ରାଜ୍ୟ

ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ

ଭଞ୍ଜନଗର: ‘ନବୀନ ବାବୁଙ୍କୁ ୨୫ ବର୍ଷ ସ‌ୁଯୋଗ ଦେ‌ଲ। ଆମକୁ ୫ ବର୍ଷ ଦିଅ। ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ବିକାଶ ଦୁଇଗୁଣା ହେବ। ଗଞ୍ଜାମ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ। ପ୍ରତି କ୍ଷେତ୍ରରେ ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରାଯିବ। ଓଡ଼ିଶା ସରକାର ବର୍ତ୍ତମାନ କିଛି ଅଣଓଡ଼ିଆ ବାବୁଙ୍କୁ ନେଇ ଶାସନ ଚଳାଇଛନ୍ତି। ଓଡ଼ିଶାରେ ଓଡ଼ିଆ ନେତୃତ୍ବକୁ ଅଣଦେଖା କରାଯାଉଛି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ। ଆସନ୍ତା ୨୦ ତାରିଖରେ ଭୋଟ୍‌ ଦିନ ଜନସାଧାରଣ ବିଜେଡିକୁ କଡ଼ା ଜବାବ ଦିଅନ୍ତୁ। ନବୀନ ବାବୁଙ୍କ ସରକାରଙ୍କୁ ହଟାଇ ବିଜେପିକୁ ବିଜୟୀ କରାନ୍ତୁ। ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏଭଳି ଆହ୍ବାନ ଦେଇଛନ୍ତି। ଶ୍ରୀ ଶାହ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରିଥିଲେ। ଏହାସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଶଶିଭୂଷଣ ରଥ ଓ ପଦ୍ମଶ୍ରୀ ଭଗବାନ ସାହୁଙ୍କ ଭଳି ବିଶିଷ୍ଟ
ବରପୁତ୍ରଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ।

ଓଡ଼ିଶାରେ ଚାଷୀ ବିକ୍ରି କରୁଥିବା ଧାନର ଦର ଠୁ ଆରମ୍ଭ କରି କେନ୍ଦ୍ର ସରକାର ଦେଉଥିବା ଚାଉଳ, ଶ୍ରୀମନ୍ଦିର ରତ୍ନଭଣ୍ଡାର ନଖୋଲିବା ଓ ଚିଟଫଣ୍ଡ୍ ଠକେଇ ସମେତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ସମ୍ମାନ ପାଇଁ ଅନେକ ମହାନ କାର୍ଯ୍ୟ କରିଛନ୍ତି। ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଜି-୨୦ ସମ୍ମିଳନୀ‌ରେ କୋଣାର୍କ ଚକ୍ର ରଖି ଓଡ଼ିଶାର ମର୍ଯ୍ୟାଦାକୁ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି। ସେହିପରି ପାଇକ ସଂଗ୍ରାମ ସ୍ମୃତିରେ ଡାକଟିକେଟ୍ ଜାରି କରିଛନ୍ତି। କିନ୍ତୁ ଦୁଃଖର କଥା ହେଉଛି ଯେ ନବୀନ ସରକାର ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଅଣଓଡ଼ିଆ ବାବୁମାନଙ୍କ ହାତରେ ଶାସନଭାର ଟେକି ଦେଇଛନ୍ତି। ଏଣୁ ରାଜ୍ୟବାସୀ ଏହାର ଜବାବ ଦେଇ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ। ବିଜେପି କ୍ଷମତାକୁ ଆସିଲେ, ଓଡ଼ିଶା ନିଶ୍ଚିତ ଭାବେ ଏକ ବିକଶିତ ରାଜ୍ୟରେ ପରିଣତ ହେବ। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ। ରତ୍ନଭଣ୍ଡାରର ଅସଲ ଚାବି କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିବା ସହ ବିଜେପି ସରକାର ଗଢ଼ିଲେ ଏସଂକ୍ରାନ୍ତରେ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି କହିଛନ୍ତି।

ସୋରଡ଼ା ବିଜୟ ସଂକଳ୍ପ ସମାବେଶରେ ଆହ୍ବାନ
ବିଜେପି ଆସିଲେ ବିକାଶ ଦୁଇଗୁଣା ହେବ
ଗଞ୍ଜାମ ୧ ନମ୍ବର ହେବ, ଚିଟ୍‌ଫଣ୍ଡ୍‌ ଟଙ୍କା ଫେରିବ
ଆସିକାରେ ବୟନଶିଳ୍ପ ପାର୍କ ନିର୍ମାଣ ହେବ
ଓଡ଼ିଶାରେ ଅଣଓଡ଼ିଆ ବାବୁଙ୍କ ଶାସନ ଚାଲୁଛି

ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି ସହ ବ୍ୟାପକ ଜଳସେଚନ ପାଇଁ ପଦକ୍ଷେପ ନିଆଯିବ। ଆଉ ଆଖୁଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରାଯିବ। ସେହିପରି ଗଞ୍ଜାମ ଜିଲ୍ଲା‌ରେ ଗୋଟିଏ ବି କଳକାରଖାନା ନଥିବା ବେଳେ ବିଜେପି ସରକାର ଆସିଲେ ଏହାକୁ ଦେଶର ଏକ ନମ୍ବର ଜିଲ୍ଲାରେ ପରିଣତ କରାଯିବ। ମତ୍ସ୍ୟଜୀବୀ, କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ଓ ଆସିକାରେ ଟେକ୍ସଟାଇଲ୍ସ ପାର୍କ ଗଢ଼ି ଓଡ଼ିଆଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ମହିଳାଙ୍କୁ ‌୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର୍ ଦିଆଯିବା ସହ ଗରିବଙ୍କ ପାଇଁ ୧୫ ଲକ୍ଷ ନୂଆ ଘର ତିଆରି ହେବ ବୋଲି ଶ୍ରୀ ଶାହ କହିଛନ୍ତି। ସେହିପରି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ସହ ‘ୱାନ୍‌ ନେସନ୍ ୱାନ୍ ରାସନ୍’ ମଧ୍ୟ ଲାଗୁ କରାଯାଇନି। କେନ୍ଦ୍ର ଚାଉଳ ଦେଇଥିବା ବେଳେ ନବୀନ ସରକାର ବ୍ୟାଗ୍ ବାଣ୍ଟି ଦାୟିତ୍ବ ସାରିଦେଇଛନ୍ତି। ମୋଦୀ ସରକାର ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କରି ଦେଶରେ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ବେଳେ ଓଡ଼ିଶା ସରକାର ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଓଡ଼ିଆ ଲୋକଙ୍କୁ ସାମିଲ ନହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବାଧା ସୃଷ୍ଟି କରିଥିଲେ। ବର୍ତ୍ତମାନ ମୋଦୀଙ୍କ ନିକଟରେ ୧୦ ବର୍ଷର ଟ୍ରାକ୍‌ ରେକର୍ଡ଼ ରହିଥିବା ବେଳେ ଏହାକୁ ଆଗକୁ ନେବା ପାଇଁ ୨୫ ବର୍ଷର ରୋଡମ୍ୟାପ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ଚଳିତଥର ଓଡ଼ିଶାରେ ନିଶ୍ଚିତ ଭା‌ବେ ବ‌ିଜେପି ସରକାର କ୍ଷମତାସୀନ ହେବ। ସେହିପରି ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଆତଙ୍କବାଦ ଓ ନକ୍ସଲ୍ ଆତଙ୍କ ଲୋପ ପାଇଛି ବୋଲି ଶ୍ରୀ ଶାହ କହିବା ସହ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ବି ସମାଲୋଚନା କରିଥିଲେ। ଆସିକା ବିଜେପି ଲୋକସଭା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ, ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ବିଜେପି ନେତା ମହେଶ ମହାନ୍ତି, ଅଜୟ ମିଶ୍ର ଓ ଯଜ୍ଞନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ଭିକ୍ଷା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।