ଭୁବନେଶ୍ୱର ୨୨/୧୦ : ପାଞ୍ଜି ଅନୁଯାୟୀ, ଅକ୍ଟୋବର ୨୨ ତାରିଖ ଗୁରୁବାର ଆଶ୍ୱିନ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି। ଏହା ନବରାତ୍ରର ଷଷ୍ଠ ଦିନ। ନବରାତ୍ରର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ର ଷଷ୍ଠୀ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରିବା ବିଧି ରହିଛି। ମା’ କାତ୍ୟାୟନୀ ମହିଷାସୁର ବଧ କରିଥିଲେ। ସେଥିପାଇଁ ମା’ଙ୍କୁ ଅସୁର, ଦାନବ ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତି ନିଜ ଇନ୍ଦ୍ରିୟକୁ ବସ କରିବାକୁ ଶକ୍ତି ପ୍ରାପ୍ତ କରିଥାଏ ବୋଲି ବିଶ୍ୱାସ ରହିଛି।

ମା’ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଆକର୍ଷଣୀୟ। ମା’ଙ୍କ ଶରୀର ସୁନା ଭଳି ଝଟକୁଥାଏ। ମା’ଙ୍କ ଚାରିଟି ଭୁଜା ଓ ସିଂହ ଉପରେ ବିରାଜମାନ। ମା’ଙ୍କ ଗୋଟିଏ ହାତରେ ଖଣ୍ଡା, ଗୋଟିଏ ହାତରେ ପଦ୍ମ ଫୁଲ ଓ ଅନ୍ୟ ଦୁଇ ହାତରେ ବରମୁଦ୍ରା ଓ ଅଭୟମୁଦ୍ରା ରହିଛି।
ବିବାହ ବାଧା ଦୂର କରନ୍ତି :
ବିଧି ପୂର୍ବକ ମା’ଙ୍କ ପୂଜା କଲେ ବିବାହ ବାଧା ଦୂର ହୋଇଥାଏ। ଏକ ପୌରାଣିକ କଥା ଅନୁଯାୟୀ, ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ରୂପରେ ପାଇବାକୁ ବୃନ୍ଦାବନର ଗୋପୀମାନେ ମା’କାତ୍ୟାୟନୀଙ୍କୁ ପୂଜା କରୁଥିଲେ। ମା’ଙ୍କ ପୂଜାରେ ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୁଅନ୍ତି ଓ କନ୍ୟାଙ୍କୁ ଭଲ ବର ପ୍ରାପ୍ତି ପାଇଁ ଆଶୀର୍ବାଦ ଦିଅନ୍ତି।
ଏକ ପୌରାଣିକ କଥା ଅନୁସାରେ, କତ ନାମକ ଜଣେ ପ୍ରସିଦ୍ଧ ମହର୍ଷି ଥିଲେ। ତାଙ୍କ ପୁତ୍ର ଥିଲେ ଋଷି କାତ୍ୟା। କାତ୍ୟା ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଉତ୍ପନ୍ନ ହୋଇଥିଲେ ଓ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀ ଉପରେ ବଢିଗଲା ସେତେବେଳେ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମିଶି ମହିଷାସୁରର ବିନାଶ ପାଇଁ ଦେବୀଙ୍କୁ ଉତ୍ପନ୍ନ କରିଥିଲେ। ଋଷି କାତ୍ୟାୟନଙ୍କ ଘରେ ଜନ୍ମ ନେଇଥିବାରୁ ତାଙ୍କୁ ମା’ କାତ୍ୟାୟନୀ ନାଁ ଦିଆଗଲା।

ମା‘ଙ୍କ ପୂଜା ବିଧି :
ମା’ କାତ୍ୟାୟନୀଙ୍କ ପୂଜା ବିଧି ପୂର୍ବକ କରିବା ଉଚିତ। ଏହାଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ମା’ କାତ୍ୟାୟନୀଙ୍କ ପୂଜା କଲେ ଶତ୍ରୁଙ୍କ ବିନାଶ ହୋଇଥାଏ, ରୋଗରୁ ମୁକ୍ତି ମିଳିଥାଏ। ମା’ଙ୍କୁ ଗୋଧୂଳି ଅର୍ଥାତ ସନ୍ଧ୍ୟା ସମୟରେ ପୂଜା କରିବା ଉଚିତ। ନବରାତ୍ରିର ଷଷ୍ଠ ଦିନ ମା’ଙ୍କୁ କାଠ ପିଢାରେ ନାଲି ଆସନ ବିଛାଇ ସ୍ଥାପିତ କରନ୍ତୁ। ନବରାତ୍ରର ଅନ୍ୟ ଦିନମାନଙ୍କରେ ଯେଉଁଭଳି ମା’ଙ୍କ ପୂଜା କରାଯାଏ ସେହିଭଳି ମା କାତ୍ୟାୟନୀଙ୍କ ପୂଜା କରନ୍ତୁ। ପୂଜାରେ ମହୁ ନିଶ୍ଚୟ ବ୍ୟବହାର କରନ୍ତୁ। ମା’ଙ୍କୁ ଭୋଗ ଦେବା ପରେ ମହୁ ପ୍ରସାଦ ନିଜେ ଗ୍ରହଣ କରିବା ସହ ପରିବାର ସଦସ୍ୟଙ୍କୁ ଦିଅନ୍ତୁ। ଷଷ୍ଠୀ ଦିନ ମା’ଙ୍କୁ ହଳଦିଆ ବସ୍ତ୍ରରେ ଶୃଙ୍ଗାର କରିବା ଉଚିତ।

