ପାଟଣା ୨୦।୧: ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିବା ପରେ ମଶାଣିରୁ ଜୀଇଁ ଉଠିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଗୁରୁବାର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବୁଧବାର ସାହାରପଡା ବ୍ଲକ୍ ଖଡ଼ିକାପଦା ଗାଁର ସୁନିଆ ମୁଣ୍ଡା ଓ ରାଇମଣୀ ମୁଣ୍ଡାଙ୍କ ନବଜାତ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଶିଶୁ ପୁତ୍ରକୁ ମଶାଣିରେ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଜଣାପଡିଥିଲା । ଏଭଳି ଘଟଣା ସାହାରପଡା ବ୍ଲକ୍ ଖଡ଼ିକାପଦା ଗାଁର ଘଟିଥିଲା ।
ସୂଚନାଯୋଗ୍ୟ ଯେ, ନବଜାତ ଶିଶୁକୁ ମୃତ ବୋଲି ମେଡିକାଲରୁ ପଠାଇଦେଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର । ମୃତ ଶିଶୁକୁ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଘଟଣା ଦେଖିବାକୁ ମିଳିଥିଲା । ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ପ୍ରସବ ପରେ ଶିଶୁକୁ ମୃତ ବୋଲି ଘରକୁ ଫେରାଇ ଦେଇଥିଲେ ଡାକ୍ତର ।
ତେବେ ଡାକ୍ତର ଫେରାଇ ଦେବା ପରେ ସୁନିଆ ଏକ ବ୍ୟାଗରେ ଶିଶୁକୁ ଆଣି ଗାଁ ମଶାଣିରେ ପୋତିବା ସମୟରେ ଶିଶୁଟି କାନ୍ଦିଥିଲା । ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ । ପରେ ଆଇସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଥିଲା । କିନ୍ତୁ ଗୁରୁବାର ଶିଶୁଟି ଆଖି ବୁଜିଦେଇଛି ।