ବାରଙ୍ଗ: ୧୯୬୦ରେ ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖି ବନ୍ୟପ୍ରାଣୀଙ୍କ ଲାଗି ଅତି କମ୍ ସିମେଣ୍ଟ, କଂକ୍ରିଟ ଓ ଲୁହାର ବ୍ୟବହାର କରି ଅବାସସ୍ଥଳୀ ନିର୍ମାଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ସେହି ମୁତାବକ ବହୁଳ ପରିମାଣରେ କାଠ ଓ ପଥର ବ୍ୟବହାର କରି ଜୀବଜନ୍ତୁଙ୍କ ଆବାସସ୍ଥଳୀ ନିର୍ମାଣ କରାଯାଇଥିଲା, ଯାହାକି ଏଠାକୁ ବୁଲି ଆସୁଥିବା ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରି ପାରିଥିଲା। ପର୍ଯ୍ୟଟକମାନେ ପ୍ରକୃତି ପରିବେଶ ଭରା ନନ୍ଦନକାନନର ବନ୍ୟଜନ୍ତୁମାନେ ମୁକ୍ତରେ ବିଚରଣ କରୁଥିବା ଭଳି ଅନୁଭବ କରୁଥିଲେ। ମାତ୍ର ନନ୍ଦନକାନନ କର୍ତ୍ତୃପକ୍ଷ ସେସବୁ ଭୁଲି ଗଲେଣି। ପ୍ରାଣୀ ଉଦ୍ୟାନର ଗୋଟିଏ ପରେ ଗୋଟିଏ ଯୋଜନା ବାଟବଣା ହେବାରେ ଲାଗିଛି।
୨୦୦୬ରୁ ନନ୍ଦନକାନନର ସବୁଜିମା ଭରା ଗଛ ଓ ଜଙ୍ଗଲକୁ କାଟି ଅଧୁନିକ ଢାଞ୍ଚା ଉପରେ ନିର୍ମାଣ ଚାଲିଛି। ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇ ସିମେଣ୍ଟ, ରଡ, କଂକ୍ରିଟ ଓ ପିଚୁ ବ୍ୟବହାର କରି ରାସ୍ତାଘାଟ, ପାର୍କ ପ୍ରଭୃତି ନିର୍ମାଣ ହେଉଛି। ୨୦୦୮ରେ ସ୍ଥିତି ଏମିତି ହୋଇଥିଲା ଯେ ପ୍ରାଣୀ ଉଦ୍ୟାନ ପରିସରରେ ସିଂହ ଓ ବାଘ ଖୁଆଡ଼ ନିକଟରେ ଥିବା ପ୍ରାୟ ଦଶ ଏକର ପରିମିତ ଜଙ୍ଗଲକୁ କାଟି ପାର୍କ ନିର୍ମାଣ କରାଗଲା। ସେହିପରି କାଞ୍ଜିଆ ହ୍ରଦ କୂଳରେ ଲନ୍ କରାଯାଇଛି। ଜିରାଫ ଘର ପାଖ ୯ ନମ୍ବର ଗେଟ୍ ପାଖକୁ ଲାଗି ବିସ୍ତୃତ ଜଙ୍ଗଲକୁ କାଟି ଦିଆଯାଇଛି। କେବଳ ସେତିକି ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନର୍ମିତ ହୋଇଥିବା ନୀଳଗିରି ହନୁ, ବବୁନ ଓ ସିଂହଲାଞ୍ଜି, ବନେଟ ମାଙ୍କଡ଼ ଖୁଆଡକୁ ଏବେ ଭାଙ୍ଗି ନୂତନ ରୂପରେଖ ଦେବା ଲାଗି କାମ ଚାଲିଛି। ଏହି ପରିସରର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଖୁଆଡ଼ ଚାରିପାଖ ପାଚେରି ଥିଲା ଏବଂ ଏହାମଧ୍ୟରେ ପ୍ରାଣୀଙ୍କ ଲାଗି ପାହାଡ଼ିଆ ପଥର ଗୁମ୍ଫା, ବଡ଼ ବଡ଼ କାଠ ନିର୍ମିତ ସିଡ଼ି ଓ କିଛି ଗଛ ମଧ୍ୟ ରହିଥିଲା। ନୂତନ ଖୁଆଡ଼ ନିର୍ମାଣ ଲାଗି ଜେସିବି ଲଗାଇ ସେଗୁଡ଼ିକୁ ଧ୍ବଂସ କରି ଦିଆଯାଇଛି। ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଯାବତ କାର୍ଯ୍ୟର ଅଗ୍ରଗତି ହୋଇପାରି ନାହିଁ। କେବଳ ନିଅଁ ପଡ଼ିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କାମ କେବେ ସରିବ ତାହା ଠିକ ଭାବେ ଜଣା ନାହିଁ। ଏନେଇ କେହି ବି ମୁହଁ ଖୋଲୁନାହାନ୍ତି।
ରୋପୱେ ଜାଗାକୁ ପରିବର୍ତ୍ତନ କରି ଆଉ ଏକ ବିସ୍ତୃତ ଜଙ୍ଗଲକୁ କାଟି ନିର୍ମାଣ କାର୍ଯ୍ୟ ଚାଲିଛି ଯେ ସରିବାର ନାଁ ଧରୁନି। ନିର୍ମାଣ ଲାଗି ଖୋଳା ଯାଉଥିବା ପାହଡ଼ର ମୋରମ କୁଆଡ଼େ ଯାଉଛି ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଚାରି ବର୍ଷ ତଳେ ବିଲୁଆ, ହେଟା ବାଘ ଓ ଧୂସର ଗଧିଆ ଘର ନିର୍ମାଣରେ ପ୍ରଚୁର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହାର ସଫଳ ମିଳିପାରି ନାହିଁ। ଜଙ୍ଗଲୀ ହାତୀ ପ୍ରାଣୀ ଉଦ୍ୟାନ ପରିସରରେ ଅନୁପ୍ରବେଶ କରି ବାରମ୍ବାର ଭାଙ୍ଗୁଛନ୍ତି। ପ୍ରତି ମାସେ ଦୁଇ ମାସରେ କର୍ତୃପକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ମରାମତି କରୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେଉନାହାନ୍ତି। ବରଂ ଠିକାଦାରଙ୍କୁ ଖୁସି କରିବାରେ ଲାଗିପଡ଼ିଛନ୍ତି। କେବଳ ତିକିରେ ସୀମିତ ନୁହେଁ କର୍ତୃପକ୍ଷଙ୍କ କାରସାଦି। ନନକାନନରେ ମାଙ୍କଡ଼ ପ୍ରଜାତିଙ୍କ ସଂଖ୍ୟା ବହୁତ କମ୍ ରହିଥିବା ବେଳେ କୋଟିଏରୁ ଅଧିକ ଟଙ୍କା କାହା ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଉଛି ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନ ବଂଶ ଲୋପ ଓ ଏକାକୀ ରହିଥିବା ଜୀବଜନ୍ତୁଙ୍କର ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ବଂଶ ଲୋପ ପାଇଥିବା ତାଲିକାରେ ଅଛନ୍ତି ବିରଳ ମାଙ୍କଡ଼ ପ୍ରଜାତି ମଧ୍ୟରେ ହୁଲୁକ ଗିବନ, ସିଂହଲାଞ୍ଜି, ଓରାଙ୍ଗଓଟାନ, ଲଜ୍ୟାବତୀ, ନୀଳଗିରି ହନୁ, ଜେବ୍ରା, ଗଣ୍ଡା, ବିରଳ କଳା ଚିତା ବାଘ ଓ ପକ୍ଷୀଙ୍କ ମଧ୍ୟରେ କାସ୍ବାରୀ, ନି କୋବାର ପାରା, ଲାଲ ମୁନିଆ, ଲାଲ ମାକାଓ ପ୍ରଭୃତି। ସେହିପରି ଏକାକୀ ରହିଥିବା ପ୍ରାଣୀଙ୍କ ମଧ୍ୟରେ ଜିରାଫ, ଧୂସର ଗଧିଆ, ଲାଲହାତ ତାମାରିନ୍ ମାଙ୍କଡ଼, କଳା ହିଂସ, ସାରସ ପକ୍ଷୀ, ସିଲଭର କ୍ରାଷ୍ଟେଡ୍ କକାଟୋ, ହଳଦୀ ପିଠିଆ ଲରି, ବର୍ମା ଅଜଗର ଭଳି ଅନେକ ପ୍ରଜାତିର ଶରୀସୃପ ଏବେ ଏକାକୀ ଜୀବନ ବିତାଉଛନ୍ତି। ପ୍ରତିବର୍ଷ ପ୍ରତିଷ୍ଠା ଦିବସରେ ଏହି ସବୁ ପ୍ରଜାତିର ବନ୍ୟପ୍ରାଣୀ ଖୁବ୍ଶୀଘ୍ର ଆଣିବାର ବ୍ୟବସ୍ଥା କରାଯାଉଥିବା କର୍ତୃପକ୍ଷ ଘୋଷଣା କରିଆସୁଥିଲେ ମଧ୍ୟ ଏଯାବତ୍ ଆଣିବା ସମ୍ଭବ ହୋଇପାରି ନାହିଁ।