ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧର ସାଂଘାତିକ ସ୍ଥିତି ଉପୁଜିଲାଣି। ୨୦୨୨ ମସିହାରେ କେବଳ ୧୦ରୁ ଅଧିକ ନକଲି ଔଷଧ ରାଜ୍ୟରେ ଚିହ୍ନଟ ହୋଇସାରିଲାଣି। ତହିଁରୁ କିଛି ଔଷଧ ରାଜ୍ୟ ବାହାରୁ ଆସିଥିବା ବେଳେ ଆଉ କେତେକ ରାଜ୍ୟ ଭିତରେ ପ୍ରସ୍ତୁତ ହୋଇଛି। ଏଭଳି ଅନେକ ନକଲି ଔଷଧ ଆଦୌ ଚିହ୍ନଟ କରିବାରେ ସକ୍ଷମ ହୋଇପାରିନାହିଁ ଭେଷଜ ନିର୍ଦେଶାଳୟ। ତେବେ ଚିହ୍ନଟ ସମସ୍ତ ନକଲି ଔଷଧ ହୋଲସେଲ୍ ଓ ଖୁଚୁରା ଦୋକାନରୁ ଜବତ ହୋଇଥିବା ବେଳେ ଅନ୍ଲାଇନ୍ କଥା ସମସ୍ତେ ଭୁଲି ଯାଇଛନ୍ତି। ଏବେ ଅନ୍ଲାଇନ୍ ଜରିଆରେ ବହୁତ ମାତ୍ରାରେ ଔଷଧ କାରବାର ଚାଲିଥିବା ବେଳେ ସେଥିରେ ନକଲି ଔଷଧ ଯୋଗାଣକୁ କିଏ ଜଗିବ? ରାଜ୍ୟରେ ଉଚ୍ଚ ରକ୍ତଚାପ ଔଷଧ ଟେଲ୍ମା ଏମ୍ ଓ ୪୦ ଚିହ୍ନଟ ପରେ ରାଜ୍ୟ ଭେଷଜ ନିର୍ଦେଶକ ଅନ୍ଲାଇନ୍ ଔଷଧ କିଣା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। ଲୋକମାନେ ଅନ୍ଲାଇନ୍ ଔଷଧ ନ କିଣନ୍ତୁ ବୋଲି ପରାମର୍ଶ ଦେଇଥିଲେ। ମାତ୍ର ଭେଷଜ ନିର୍ଦେଶାଳୟ ପକ୍ଷରୁ ଅନ୍ଲାଇନ୍ରେ ଔଷଧ କିଣା ବ୍ୟବସ୍ଥାର ଯାଞ୍ଚ/ତଦାରଖ ନେଇ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ। ଅନେକ ଜାତୀୟସ୍ତରୀୟ ସଂସ୍ଥା ଅନ୍ଲାଇନ୍ ଜରିଆରେ କୋଟି କୋଟି ଟଙ୍କାର କାରବାର କରୁଥିବା ବେଳେ ଏହାର ଯାଞ୍ଚ ପାଇଁ ରାଜ୍ୟରେ ସେମାନଙ୍କ ପାଇଁ କୌଣସି ପ୍ରକାର ମାର୍ଗଦର୍ଶିକା ଜାରି ହୋଇନାହିଁ। ସଂସ୍ଥାମାନେ ନିର୍ଭୟରେ ଔଷଧ ବିକ୍ରି କରି ଚାଲିଛନ୍ତି।
୨୦୨୦ ମସିହାରେ ଦେଶରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉପଭୋକ୍ତାଙ୍କ ଘରେ ଔଷଧ ଯୋଗାଣ/ଅନ୍ଲାଇନ୍ରେ ଔଷଧକୁ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଗ୍ରାହକଙ୍କୁ ଘରେ ଔଷଧ ଯୋଗାଇବାକୁ ହେଲେ ସଂପୃକ୍ତ ଔଷଧ କମ୍ପାନିର ଲାଇସେନ୍ସ ସେହି ଜିଲ୍ଲାରେ ରହିଥିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଥିଲେ। ମାତ୍ର ଏହି ନିୟମକୁ ଉଲ୍ଲଂଘନ କରି ଜାତୀୟସ୍ତରୀୟ ସଂସ୍ଥାମାନେ ରାଜ୍ୟରେ ଔଷଧ ଯୋଗାଉଛନ୍ତି। ନକଲି ଉଚ୍ଚ ରକ୍ତଚାପ ଔଷଧକୁ ନେଇ ତନାଘନା ହେବା ପରେ ରାଜ୍ୟ ଭେଷଜ ନିର୍ଦେଶାଳୟ ପକ୍ଷରୁ ବଡ଼ ନାମୀ କମ୍ପାନିମାନଙ୍କୁ ସେମାନଙ୍କର ପ୍ରତି ମାସର ବ୍ୟାଚ୍ ନମ୍ବର ପଠାଇବାକୁ ନିର୍ଦେଶ ହୋଇଛି। ହେଲେ ଅନ୍ଲାଇନ୍ରେ ବ୍ୟବସାୟ କରୁଥିବା କମ୍ପାନିମାନଙ୍କ କ୍ଷେତ୍ରରେ ଏଭଳି ନିୟମ କେବେ ଲାଗୁ ହେବ ?
ଅପରପକ୍ଷରେ ଭୁବନେଶ୍ବର ରେଞ୍ଜ-୫ ଡ୍ରଗ୍ ଇନ୍ସପେକ୍ଟର(ଡିଆଇ) ନିଜ ତରଫରୁ ଗତ ସେପ୍ଟେମ୍ବର ମାସରେ ଏହି ରେଞ୍ଜ ଅଧୀନରେ ଥିବା ସି ଏଣ୍ଡ ଏଫ୍, ଷ୍ଟକିଷ୍ଟ, ହୋଲସେଲରମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଏଥିରେ ଅନ୍ଲାଇନ୍ରେ ଔଷଧ ବିକ୍ରି କରୁଥିବା ସଂସ୍ଥାମାନେ ଅନ୍ଲାଇନ୍ ଔଷଧ ବିକ୍ରି କରିବାକୁ ହେଲେ ଭେଷଜ ନିର୍ଦେଶକଙ୍କ ଅନୁମତି ଆଣିବା ଆବଶ୍ୟକ ବୋଲି କୁହାଯାଇଥିଲା। ତେବେ ଏଭଳି ମାର୍ଗଦର୍ଶିକାକୁ ଭେଷଜ ନିର୍ଦେଶାଳୟ ପକ୍ଷରୁ ରାଜ୍ୟବ୍ୟାପୀ ଲାଗୁ କରାଯାଉନାହିଁ କାହିଁକି ? ନିର୍ଦେଶାଳୟ ପକ୍ଷରୁ ଯଦି ଏଭଳି ମାର୍ଗଦର୍ଶିକା ଜାରି କରାଯାଏ ତାହାଲେ ଏହା ରାଜ୍ୟରେ ଅନ୍ଲାଇନ୍ ଔଷଧ କାରବାରର ନିୟମିତ ଯାଞ୍ଚ ଓ ବ୍ୟବସାୟକୁ ରୋକିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।
ୟୁସିଡିଏର ଖୋର୍ଧା ସଭାପତି ପ୍ରଗତି ରଂଜନ ମହାନ୍ତି କହିଛନ୍ତି, ଅନ୍ଲାଇନ୍ ଔଷଧ ବିକ୍ରିକୁ ସଂଘ ପୂର୍ବରୁ ବିରୋଧ କରି ଆସିଛି। କେତେକ ରାଜ୍ୟରେ ଅନ୍ଲାଇନ୍ ଔଷଧ ବିକ୍ରିକୁ ନେଇ ମାମଲା ରୁଜୁ ହେବା ସହିତ ସ୍ଥାନୀୟ ହାଇକୋର୍ଟ ମଧ୍ୟ ସେମାନଙ୍କ ବିରୋଧରେ ରାୟ ଦେଇଛନ୍ତି। ଜାତୀୟସ୍ତରରେ ମଧ୍ୟ ୮ଲକ୍ଷ ଔଷଧ ଦୋକାନୀମାନେ ଏକାଧିକ ଥର ବନ୍ଦ ଡାକରା ଦେଇଛନ୍ତି। ଏହାସତ୍ତ୍ବେ ବି ଅନ୍ଲାଇନ୍ରେ ଔଷଧ ବିକ୍ରି ବନ୍ଦ ହେଉନାହିଁ। କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ଅନ୍ଲାଇନ୍ ଔଷଧ ବିକ୍ରି ନେଇ କଠୋର ପଦକ୍ଷେପ ନେବା ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ସେହିପରି ରାଜ୍ୟରେ ନକଲି ଔଷଧକୁ ନେଇ ହୁଲୁସ୍ତୁଲ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। ରାଜ୍ୟରେ ନକଲି ଔଷଧକୁ ନେଇ ପ୍ରଥମଥର ଲାଗି ରାଜ୍ୟରେ ଏଭଳି ଏକ ଟିମ୍ ଗଠନ ହୋଇଛି। ଏହି ୫ଜଣିଆ ଟିମ୍କୁ ଗଣମାଧ୍ୟମ ଓ ନିଜସ୍ବ ସୂତ୍ରରୁ ନକଲି ଔଷଧ ସଂପର୍କରେ ଖବର ପାଇ ଚଢ଼ାଉ କରିବାକୁ ନିର୍ଦେଶ ଦିଆଯାଇଛି। ଡ୍ରଗ୍ ଏସ୍ଟିଏଫ୍ର ଚଢ଼ାଉ ପରେ ରାଜ୍ୟରେ ନକଲି ଔଷଧର ବଡ଼ ଗୁମର ଖୋଲିବ ବୋଲି ଆଶା କରାଯାଉଛି। ହେଲେ ଏହି ଟିମ୍ ଗଠନକୁ ପ୍ରାୟ ସପ୍ତାହ ବିତିବାକୁ ବସିଲାଣି। ଟିମ୍ ପକ୍ଷରୁ ବର୍ତମାନ ସୁଦ୍ଧା କୌଣସି ଚଢ଼ାଉ କରାଯାଇନାହିଁ। ଏପରିକି ଟିମ୍ ପକ୍ଷରୁ ଏସ୍ଓପି ମଧ୍ୟ ଜାରି ହୋଇନାହିଁ। ଟିମ୍ର ଜଣେ ସଦସ୍ୟ କହିଛନ୍ତି, ନକଲି ଔଷଧର ଚଢ଼ାଉ ନେଇ ଏସ୍ଓପି ପ୍ରସ୍ତୁତି ଜାରି ରହିଛି। ବିଭିନ୍ନ ଦିଗକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଉଛି। ଏସ୍ଓପି ପ୍ରସ୍ତୁତି ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ତେବେ ଯଥାଶୀଘ୍ର ଏହାକୁ ପ୍ରସ୍ତୁତ କରିବା ଲାଗି ଉଦ୍ୟମ ଜାରି ରହିଥିବା ସଦସ୍ୟ ଜଣକ ସୂଚନା ଦେଇଛନ୍ତି।