ନୂଆଦିଲ୍ଲୀ ୩୦।୧୨: ସଂଶୋଧିତ କୃଷି ଆଇନକୁ ନେଇ ଗତ ୩୫ ଦିନ ହେଲା ଚାଷୀମାନେ ଦିଲ୍ଲୀ ପ୍ରବେଶ ଦ୍ୱାରରେ ବସିଛନ୍ତି। ଆନ୍ଦୋଳନକାରୀ ଚାଷୀମାନେ ବୁଧବାର ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ବୈଠକରେ ବସିଥିଲେ। ସବୁଥର ଭଳି ଏଥର ମଧ୍ୟ ଚାଷୀ ନିଜ ଖାଦ୍ୟ ପୁଟୁଳି ସାଙ୍ଗରେ ନେଇ ଆସିଥିଲେ। ତେବେ ଏଥର ଆଲୋଚନାର ମଧ୍ୟାହ୍ନ ବିରତିରେ ଚାଷୀ ଖାଇବା ପାଇଁ ପୁଟୁଳି ଖୋଲି ବସିବା ବେଳେ ସେମାନଙ୍କ ସହ ଭୋଜନରେ ଯୋଗ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ ନରେନ୍ଦ୍ର ସିଂ ତୋମାର। ଜମିଯାଇଥିଲା ମଧ୍ୟାହ୍ନ ଭୋଜନ, ପରେ ଆଉ ୩ ଘଣ୍ଟା କାଳ ଆଲୋଚନା ହେଲା। ଶେଷରେ ଉଭୟ ପକ୍ଷ ଦୁଇଟି ପ୍ରସଙ୍ଗରେ ସହମତ ହେବା ସହ ୪ ଜାନୁୟାରୀ ଅପରାହ୍ନରେ ପରବର୍ତ୍ତି ବୈଠକ ଲାଗି ନିଷ୍ପତ୍ତି ନେଇଛନ୍ତି।
‘ଯାହାର ଅନ୍ନ ଏକ ତାର ମନ ବି ଏକ’ ପୁଣି ଥରେ ପ୍ରମାଣିତ ହୋଇଛି ଦିଲ୍ଲୀ ବିଜ୍ଞାନ ଭବନରେ। ଚାଷୀମାନେ ସଂଶୋଧିତ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୫ ଦିନ ହେଲା ଅଡି ବସିଛନ୍ତି। ୪ଟି ବିଷୟକୁ ଚାଷୀ ପ୍ରସଙ୍ଗ କରିଛନ୍ତି, ସେମାନେ ସଂଶୋଧିତ କୃଷି ଆଇନ ଚାହୁଁ ନାହାନ୍ତି ଏଣୁ ଏହାର ପ୍ରତ୍ୟାହାର ସେମାନଙ୍କର ପ୍ରଥମ ପ୍ରସଙ୍ଗ, ସେହିପରି ଏମଏସପି ଲାଗି ସରକାରଙ୍କ ଲିଗାଲ ଗ୍ୟାରେଣ୍ଟିକୁ ଦ୍ୱିତୀୟ ପ୍ରସଙ୍ଗ କରିଥିବା ବେଳେ ବିଦ୍ୟୁତ ବିଲ ସଂଶୋଧନ ତୃତୀୟ ଓ ପାଳକୁଟା ଜାଳିଲେ ଆଇନଗତ କଟକଣା ପ୍ରତ୍ୟାହାର ସେମାନଙ୍କ ଚତୁର୍ଥ ଦାବି ରହିଛି। ଏଥିରୁ ବୁଧବାର ଅନୁଷ୍ଠିତ ବୈଠକରେ ସରକାର ଓ ଚାଷୀ ୨ଟି ପ୍ରସଙ୍ଗରେ ସହମତ ହୋଇଛନ୍ତି। କୃଷିମନ୍ତ୍ରୀ ଓ ବାଣିଜ୍ୟମନ୍ତ୍ରୀ ଚାଷୀଙ୍କ ଅନ୍ନ ଗ୍ରହଣ କରିବା ପରେ ଚାଷୀ ଓ ଚାଷ ପ୍ରତି ସେମାନଙ୍କ ମନ ବଦଳିଛି।
୫ ଘଣ୍ଟାର ଦୀର୍ଘ ଆଲୋଚନାରେ ବିଦ୍ୟୁତ ବିଲ ଓ ପାଳକୁଟା ଜଳାଇବା ନେଇ ଥିବା ସମସ୍ୟାର ଉଭୟ ପକ୍ଷ ସହମତ ହୋଇଯାଇଛନ୍ତି। ଏଥିରେ କୃଷକନେତା ମଧ୍ୟ ସରକାରଙ୍କ ଲାଗି ନରମ ହୋଇଛନ୍ତି। ସେମାନଙ୍କର ୩୧ ଡିସେମ୍ବର ଟ୍ରାକ୍ଟର ରାଲି ପ୍ରତ୍ୟାହାର ଘୋଷଣା କରିଛନ୍ତି। ତେବେ କୃଷି ଆଇନ ଓ ଏମଏସପିକୁ ନେଇ ନା ସରକାର ନା ଚାଷୀ କେହି ହେଲେ ବୁଝାମଣା ବିନ୍ଦୁରେ ପହଞ୍ଚିପାରିନାହାନ୍ତି।
ପରିବେଶ ସମ୍ପର୍କିତ ଅଧ୍ୟାଦେଶରେ ଚାଷୀଙ୍କୁ ସାମିଲ ନ କରିବାକୁ ସେମାନେ ଚାହୁଁଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଏଣୁ ଚାଷୀଙ୍କ କଥାରେ ସରକାର ମଧ୍ୟ ରାଜି ବୋଲି କୃଷିମନ୍ତ୍ରୀ କହିଛନ୍ତି। ସେହିପରି ଚାଷୀମାନେ ବିଦ୍ୟୁତ ସଂଶୋଧନ ଅଧିନିୟମକୁ ନେଇ ସେମାନଙ୍କ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସରକାର ଏହି ଆଇନରେ ସଂଶୋଧନ କରି ନାହାନ୍ତି। ଯଦି ବି ସଂଶୋଧନ ହୁଏ ଏଥିରେ ଚାଷୀଙ୍କ ଉଦବେଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି। ଯେଉଁଥିରେ ସେମାନେ ଜଳସେଚନ ଲାଗି ପାଉଥିବା ବିଦ୍ୟୁତ ସବସିଡି ପ୍ରଥାରେ ଆଇନ ପ୍ରତିବନ୍ଧକ ହେବନି ବୋଲି ତୋମାର କହିଛନ୍ତି।
ତେବେ କୃଷି ଆଇନକୁ ନେଇ ଚାଷୀ ଓ ସରକାର କୌଣସି ନିଷ୍ପତ୍ତିରେ ଉପନିତ ହୋଇ ପାରିନାହାନ୍ତି। ଚାଷୀ ଚାହୁଁଛନ୍ତି ସଂଶୋଧିତ କୃଷି ଆଇନ ପ୍ରତ୍ୟାହୃତ ହେଉ। ତେବେ ସରକାର କହୁଛନ୍ତି ଏଥିରେ ସମସ୍ୟା କେଉଁଠି ଅଛି କୁହନ୍ତୁ। ଚାଷୀମାନେ ଆଇନକୁ ନେଇ ଯେଉଁ ଆଶଙ୍କାରେ ଅଛନ୍ତି ସରକାର ତାର ସମାଧାନ ଲାଗି ପ୍ରସ୍ତୁତ। ଏମଏସପି ନେଇ ସରକାର ଚାଷୀଙ୍କୁ ପ୍ରଥମରୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ତେବେ ଚାଷୀ ଏହାକୁ ଆଇନରେ ପ୍ରାବଧାନ କରିବାକୁ କହୁଛନ୍ତି। ଉଭୟ ପ୍ରସଙ୍ଗରେ ସରକାର ଓ ଚାଷୀ ଏବେବି ମାନସ ମନ୍ଥନ ଜାରି ରଖିଛନ୍ତି। ନୂଆବର୍ଷର ନୂଆ ସକାଳ ସେମାନଙ୍କ ସମସ୍ୟାର ସମାଧାନ ନେଇ ଆସିବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି।