ବଲାଙ୍ଗୀର ୦୪।୧୦ : ଧୁମଧାମରେ ଚାଲିଛି ବଲାଙ୍ଗିରର ବଏଲ ଯାତ୍ରା। ଏହି ବଏଲ ଯାତ୍ରାର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । କରୋନା ଲାଗି ଦୁଇ ବର୍ଷ ଧରି କଟକଣାରେ ପୂଜା ଚାଲିଥିଲା । କିନ୍ତୁ ଚଳିତ ବର୍ଷ କରୋନା କେସ୍ କମିଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ତେବେ ଏହି ବଏଲ୍ ଯାତ୍ରାର ଏକ କିମ୍ବଦନ୍ତି ରହିଛି। ପାଟଣା ରାଜ୍ୟ ସମୟରେ ଚାଲିଥିଲା ଅଷ୍ଟମଲ୍ଲଙ୍କ ରାଜୁତି । ଧୀରେ ଧୀରେ ବଢ଼ିଥିଲା ସେମାନଙ୍କ ଦୌରାତ୍ମ୍ୟ । ତାହାକୁ ଶେଷ କରିବା ପାଇଁ ରମାଇଦେଓ ରାଜା ଅଷ୍ଟମଲ୍ଲଙ୍କୁ ମାରିବା ପାଇଁ ୩ ଦେବୀଙ୍କୁ ପୂଜା କରିଥିଲେ । ଦେବୀଙ୍କ କୃପା ଲାଭ କରି ସେମାନଙ୍କୁ ଗୋଟି ଗୋଟି ମାରିବାକୁ ସଫଳ ହୋଇଥିଲେ। ସେମାନଙ୍କୁ ପାଟଣାଗଡ଼ ଗଡ଼ ଭିତରେ ପୋତିଥିଲେ । ଏହି ଅଷ୍ଟମଲ୍ଲ ପୁଣି ସେହି ସ୍ଥାନରୁ ନ ଆସନ୍ତୁ ଓ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ପାଟଣାଗଡ଼ରେ ବଏଲ ଯାତ୍ରା ନାମରେ ପାଳିତ ହୋଇ ଆସୁଛି ଦେବୀଙ୍କ ପୂଜା । ରାତିରୁ ଭୋର୍ ପର୍ଯ୍ୟନ୍ତ ହେବ ଯାତ୍ରା । ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା ଆକଳନ କରି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

