ଅପରାଧ ରାଜ୍ୟ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୁଲିସ

ଭୁବନେଶ୍ବର/ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ୧୧ ନଂ ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ଘରେ ଧର୍ମେନ୍ଦ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୁଲିସ ଗତକାଲି ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଜବତ କରିଥିଲା। ଆଜି ତାକୁ ଫରେନସିକ ଯାଞ୍ଚ ପାଇଁ ପଠାଇଛି ପୁଲିସ। ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ ଥିଲା। ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଯାଞ୍ଚ ହେବ। ଧର୍ମେନ୍ଦ୍ର ଘରର ସବୁ ସିସିଟିଭି କ୍ୟାମେରାକୁ ନିଜର ଘଣ୍ଟା ଜରିଆରେ ଅପରେଟ କରୁଥିଲେ। ତେଣୁ ସେ ସବୁକୁ ମଧ୍ୟ ପୁଲିସ ଯାଞ୍ଚ କରିବ।ଗତକାଲି ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ ଧର୍ମେନ୍ଦ୍ର ବିଭିନ୍ନ ସମୟରେ ଘରୁ ଲକ୍ଷାଧିକ ଟଙ୍କା ନେଇଥିଲେ।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ବିରୋଧୀଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଜେପି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କୁ ଏହି ଘଟଣା ପାଇଁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଦୋଳବେଦୀ ଛକରେ ନିମାପଡ଼ା ବିଜେପି ଶାଖା ପକ୍ଷରୁ ରାସ୍ତାରୋକ କରାଯାଇଛି।

ଏଣେ ଗୋପ ବଜାରରେ ଏହି ଶୋଭାଯାତ୍ରା କରିବା ସହିତ ଦଳ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ଭୁବନେଶ୍ବର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏଥିସହିତ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଫେସ୍‌ବୁକ୍‌ ପୋଷ୍ଟିଂକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ହଟାଇଛି ବୋଲି ପ୍ରଶ୍ନ କରିଛି।

ପୁଲିସ ଏହି ମୃତ୍ୟୁ ଘଟଣାର ତଦନ୍ତ କରୁଥିବା‌ ବେଳେ ଆଜି ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗୋପ ବଜାରରେ ଶୋଭାଯାତ୍ରା କରାଯାଇଛି। । ଏହି ଘଟଣାରେ ଗଣଶିକ୍ଷା ଶ୍ରୀଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ଗୋପଥାନାରେ ଲିଖିତ ଅଭିଯୋଗ କରିଛି ଯୁବମୋର୍ଚ୍ଚା। ଗୋପ ଥାନା ବନ୍ତଳି ଗାଁର ରାଜକିଶୋର ନାୟକ ଏହି ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ରାଜକିଶୋର ଦର୍ଶାଇଛନ୍ତି, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଗତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ଜିଲ୍ଲା ପରିଷଦ ଟିକେଟ୍‌ ଦେଇଥିଲେ। ଶ୍ରୀ ଦାଶଙ୍କ ସହ ଧର୍ମେନ୍ଦ୍ରଙ୍କ ବହୁ ଘନିଷ୍ଠତା ରହିଛି। ଯେଉଁଥିପାଇଁ ତାଙ୍କୁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଓ ପ୍ରଭାରୀ ପଦବିରେ ବି ରଖାଯାଇଥିଲା। ଅନେକ ଦଳୀୟ ବୈଠକ ଓ ସାମାଜିକ କାର୍ଯ୍ୟକ୍ରମରେ ଦୁହିଁଙ୍କ ଫଟୋ ଦେଖିଲେ, ଘନିଷ୍ଠତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଧର୍ମେନ୍ଦ୍ର ସୋସିଆଲ୍‌ ମିଡିଆରେ ଯେଉଁ ଭିଡିଓ ଛାଡ଼ିଛନ୍ତି, ସେଥିରେ ସେ ରାଜନୈତିକ ପ୍ରସଙ୍ଗ ଉଠାଇଛନ୍ତି। ରାଜନୀତି ତାଙ୍କ ପାରିବାରିକ କଳହର ମୁଖ୍ୟ କାରଣ ବୋଲି ଭିଡିଓରେ କହିଛନ୍ତି। ଏ ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଭୂମିକା ସନ୍ଦେହଜନକ ଲାଗୁଛି। ଧର୍ମେନ୍ଦ୍ର ଉଠାଇଥିବା ମୋବାଇଲ୍‌ରେ ଶ୍ରୀ ଦାଶଙ୍କ କଥୋପକଥନ ଓ ତାଙ୍କ ପାରିବାରିକ ଘଟଣାବଳୀ ଉପରେ ଏପରି କିଛି ତଥ୍ୟ ଥାଇପାରେ। ଏହିସବୁ କାରଣରୁ ଧର୍ମେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ରାଜକିଶୋର ଅଭିଯୋଗ କରିଛନ୍ତି।

ଅପରପକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପୁରୀ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ ମଧ୍ୟ ଅନୁରୂପ ଭାବେ ସୋସିଆଲ ମିଡିଆରେ ଧ‌ର୍ମେନ୍ଦ୍ରଙ୍କ ପୋଷ୍ଟିଂ ପ୍ରସଙ୍ଗ ଉଠାଇଛନ୍ତି।। ସେ କହିଛନ୍ତି, ଏହି ପୋଷ୍ଟ୍‌ ସତ କ’ଣ ପ୍ରମାଣିତ କରୁଥିବାବେଳେ ଉଦ୍ଦେଶ୍ୟମୂଳକ ଭାବେ ଫେସ୍‌ବୁକ୍‌ରୁ ଏହାକୁ ହଟାଇ ଦିଆଯାଇଛି। ଧର୍ମେନ୍ଦ୍ର ନିଜ ଦୁଇଟି ମୋବାଇଲ୍‌ରେ ଥିବା ଯେଉଁ ଭିଡିଓ କଥା ଉଠାଇଛନ୍ତି, ତାହା ଲୋକଲୋଚନକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହିତ, ମୃତକଙ୍କ ଶ୍ବଶ୍ବରୁ ଯେଉଁଭଳି ମନ୍ତବ୍ୟ ରଖିଛନ୍ତି, ତାହା ବି ସନ୍ଦେହଜନକ। ପାରିପାର୍ଶ୍ବିକ ଅବସ୍ଥା ଓ ଅନ୍ୟାନ୍ୟ ଘଟଣାବଳୀରୁ ଏହା ଆତ୍ମହତ୍ୟା ନୁହେଁ ବୋଲି ସ୍ପଷ୍ଟ ହେଉଥିବା ବେଳେ ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶ୍ରୀ ସେଠୀ ଦାବି କରିଛନ୍ତି। ଶ୍ରୀ ସେଠୀଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧିଦଳ ଭୁବନେଶ୍ବର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାଶ, ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆ ଉଲ୍‌ ହକ୍‌, ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ସୁବତ୍ର ମହାପାତ୍ର, ମିହିର ଆଚାର୍ଯ୍ୟ, ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।