ସଙ୍ଗଲି, ୦୫/୦୬: ଦ୍ରୁତ ଗତିରେ ଆସି ଟ୍ରକ୍କୁ ଧକ୍କା ଦେଇଛି କାର୍ । ଫଳରେ ଘଟଣା ସ୍ଥଳରେ ୩ ଜଣ ଶିଶୁଙ୍କ ସହ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ପୁନେ-ବେଙ୍ଗାଲୁରୁ ରାଜପଥରେ ଘଟିଛି ।
ଏହି ଦୁର୍ଘଟଣା ଶନିବାର ଉପରବେଳା ଘଟିଛି । ସଙ୍ଗଲିର କେସଗାଁଓ ନିକଟସ୍ଥ ୟେୱାଲୱାଡି ଫାଟ ଅଞ୍ଚଳ ଦେଇ କାର୍ଟି ପୁନେରୁ ଜୟସିଙ୍ଗପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ କୋଲ୍ହାପୁରରେ ରହୁଥିବା ମୃତକଙ୍କ ପଡ଼ୋଶୀ କହିଛନ୍ତି ।
ପୋଲିସ୍ର ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାର୍ଟି ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ ଏକ ଷ୍ଟେସିଓନାରୀ ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଫଳରେ କାର୍ ଭିତରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ତେବେ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଅରିଞ୍ଜୟ ଶିରୋଟେ (୩୫), ଏବଂ ତାଙ୍କ ସମ୍ପର୍କୀୟ ସ୍ମିତା ଶିରୋଟେ (୩୮), ପୁରଭା ଶିରୋଟେ (୧୪), ସୁନେଶା ଶିରୋଟେ (୧୦) ଏବଂ ବିରୁ ଶିରୋଟେ (୪) । ଅରିଞ୍ଜୟ ଅନ୍ୟ ୪ ସଂପର୍କୀୟଙ୍କୁ ଜୟସିଂହପୁର ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ୍ କହିଛି ।