ନୂଆଦିଲ୍ଲୀ, ୩୦।୦୧: ଅଣ୍ଡର-୧୯ ବିଶ୍ୱକପରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୧୦ ଥର ସେମିଫାଇନାଲରେ ପହଁଚି ରେକର୍ଡ କରିଛି । ଟିମ୍ ଇଣ୍ଡିଆ ଶନିବାର କ୍ୱାଟର ଫାଇନାଲ ମୁକାବିଲାରେ ବାଂଲାଦେଶକୁ ୫ ଓ୍ୱିକେଟରେ ହରାଇଥିଲା । ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ବାଂଲା ବ୍ୟାଟସମ୍ୟାନ୍ ୧୧୧ ରନରେ ଅଟକି ଯାଇଥିଲେ । ଏହି ବିଜୟ ପରେ ଭିଭିଏସ ଲକ୍ଷ୍ଣଣଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେ ମଧ୍ୟ ଅଣ୍ଡର-୧୯ ଟିମ୍ ସହ ଓ୍ୱେଷ୍ଟ ଇଣ୍ଡିଜରେ ଅଛନ୍ତି । ରାହୁଲ ଦ୍ରାବିଡଙ୍କ ବଦଳରେ ଏନସିଏର ଦାୟିତ୍ୱ ଏବେ ଲକ୍ଷ୍ଣଣଙ୍କ ହାତରେ ।
ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏଥିପାଇଁ ଅଧିକ ଗୁରୁତ୍ୱ ରଖୁଛି, କାରଣ ପ୍ରଥମ ମ୍ୟାଚ୍ ପରେ ଅଧିନାୟକ ୟଶ ଧୁଲଙ୍କ ସହ ୬ ଖେଳାଳି କୋଭିଡ ପଜିଟିଭ୍ ହୋଇଥିଲେ । ଟିମରେ କେବଳ ୧୧ ଜଣ ଖେଳାଳି ସୁସ୍ଥ ଥିଲେ । ଏହାସତ୍ତ୍ୱେ ଦଳ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ନେଇଥିଲା । ନକଆଉଟ୍ ମୁକାବିଲା ପରଠୁ ସବୁ ଖେଳାଳି ଫିଟ୍ ହୋଇଯାଇଥିଲେ । ଭାରତ ଏବେ ପଞ୍ଚମ ଥର ପାଇଁ ବିଶ୍ୱକପ ଜିତିବା ଆଶାରେ ରହିଛି । ପୂର୍ବରୁ ଦଳ ସର୍ବାଧିକ ୪ ଥର ଚାମ୍ପିଅନ ହୋଇଛି । ଭିଭିଏସ ଲକ୍ଷ୍ଣଣ ଜୁନିଅର ଟିମ୍ ସହ କାମ କରୁଛନ୍ତି । ଖେଳାଳିଙ୍କୁ ଟିପ୍ସ ମଧ୍ୟ ଦେଉଛନ୍ତି । ଯାହାର ଭିଡିଓ ଆଇସିସି ସେୟାର କରିଛି ।
ଭାରତ ୨୦୦୦,୨୦୦୮,୨୦୧୨ ଓ ୨୦୧୮ରେ ଅଣ୍ଡର ୧୯ ଚାମ୍ପିଅନ ହୋଇଥିଲା । ପ୍ରଥମେ ମହମ୍ମଦ କୈଫଙ୍କ ନେତୃତ୍ୱରେ ଦଳ ଟ୍ରଫି ଜିତିଥିଲା । ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନମୁକ୍ତ ଚାମ୍ଦ ଓ ୨୦୧୮ରେ ପୃଥ୍ୱୀ ଶଙ୍କ ନେତୃତ୍ୱରେ ଦଳ ଚାମ୍ପିଅନ ହୋଇଥିଲା । ଯଦି ଏଥର ଧୁଲଙ୍କ ସମୟରେ ଦଳ ଚାମ୍ପିଅନ ହୁଏ ତେବେ ସେ ଏହି ତାଲିକାରେ ସାମିଲ ହୋଇଯିବେ ।
ତେବେ ସିନିଅର ଟିମ୍ ୨୦୧୩ ପରଠୁ ଆଇସିସି ଟ୍ରଫି ଜିତି ନାହିଁ । ୨୦୨୧ରେ ଅଷ୍ଟ୍ରେଲିଆ ଟି୨୦ବିଶ୍ୱକପ ହାତେଇଥିଲା । ୨୦୨୨ରେ ଦଳ ଟି୨୦ ବିଶ୍ୱକପ ଜିତିବ ବୋଲି ଆଶା କରାଯାଉଛି ।