ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ୬୧୨ ମେଡିକାଲ କଲେଜ୍ ପରିଚାଳିତ ହେଉଛି। ଏହି କଲେଜଗୁଡ଼ିକରେ ମୋଟ ୯୧,୯୨୭ MBBS ସିଟ୍ ରହିଛି। ସେଥିମଧ୍ୟରୁ ୩୨୨ ସରକାରୀ ମେଡିକାଲ କଲେଜରେ ୪୮,୦୧୨ ସିଟ୍ ଓ ୨୯୦ ଘରୋଇ କଲେଜ୍ରେ ୪୩,୯୧୫ ଆସନ ରହିଛି। ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଏହିସବୁ ମେଡିକାଲ କଲେଜ୍ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି। ୫୪ ଇନ୍ଷ୍ଟିଚ୍ୟୁଟ୍ରେ ୮,୬୫୨ ସିଟ୍ ବୃଦ୍ଧି ପାଇଥିବା ବେଳେ ୫୫୮ କଲେଜ୍ରେ ୨୩,୨୭୫ ଆସନ ବୃଦ୍ଧି ହୋଇଛି।
ଲୋକସଭାର ପ୍ରଶ୍ନକାଳରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ପ୍ରଶ୍ନ କରାଯାଇଥିଲା। ବର୍ତ୍ତମାନ ଦେଶର ସରକାରୀ ଓ ବେସରକାରୀ କଲେଜ୍ଗୁଡ଼ିକରେ କେତୋଟି MBBS ଆସନ ଅଛି ଓ ଗତ ୫ ବର୍ଷ ଭିତରେ କେତେ ନୂଆ ମେଡିକାଲ କଲେଜ୍ ସ୍ଥାପନା କରାଯାଇଛି ସେ ନେଇ ପ୍ରଶ୍ନ କରାଯାଇଥିଲା। ଜବାବରେ ମନ୍ତ୍ରୀ ଏଭଳି ଉତ୍ତର ରଖିଥିଲେ। ଦେଶର ଲୋକସଂଖ୍ୟା ଅନୁସାରେ ମେଡିକାଲ କଲେଜ୍ଗୁଡ଼ିକରେ ଥିବା ଆସନ ସଂଖ୍ୟା ବଢ଼ିଛି କି ସରକାର ସିଟ୍ ବଢ଼ିବା ନେଇ କୌଣସି ପଦକ୍ଷେପ ନେଇଛନ୍ତି ସେ ନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେପି ସାଂସଦ ଡ. ହୀନ ଗାଭିତ୍ ଓ ଶିବସେନା ଡା.ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।
ଆସନ ସଂଖ୍ୟା ବଢ଼ିବା ନେଇ ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କର ପ୍ରାୟୋଜିତ ଯୋଜନାରେ ୩,୪୯୫ ଅତିରିକ୍ତ ଆସନ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି। ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ମେଡିକାଲ କଲେଜ୍ଗୁଡ଼ିକରେ ଏହି ଆସନଗୁଡ଼ିକ ବୃଦ୍ଧି ପାଇବ। ସେଥିମଧ୍ୟରୁ ଆନ୍ଧ୍ର ପ୍ରଦେଶରେ ୧୫୦ ଆସନ, ଗୁଜରାଟ ୨୭୦, ହିମାଚଳ ପ୍ରଦେଶ ୨୦, ଜାମ୍ମୁ-କାଶ୍ମୀର ୬୦, ଝାରଖଣ୍ଡ ୧୦୦, କର୍ଣ୍ଣାଟକ ୫୫୦, ମଧ୍ୟପ୍ରଦେଶ ୬୦୦, ମହାରାଷ୍ଟ୍ର ୧୫୦, ମଣିପୁର ୫୦, ଓଡ଼ିଶା ୨୦୦, ପଞ୍ଜାବ ୧୦୦, ରାଜସ୍ଥାନ ୭୦୦ , ତାମିଲନାଡୁ ୩୪୫, ଉତ୍ତର ପ୍ରଦେଶ ୫୦, ଉତ୍ତରାଖଣ୍ଡ ୫୦ ଆସନ ବଢ଼ିବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୧୦୦ ଆସନ ବଢିବ।
ସେହିପରି ପିଜି ପାଇଁ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫,୯୩୦ ଆସନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖଯାଇଛି। ଏହା ଦୁଇିଟି ପର୍ଯ୍ୟାୟରେ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ବର୍ତ୍ତମାନ ତାମିଲନାଡୁର ସରକାରୀ କଲେଜ୍ଗୁଡ଼ିକରେ ସର୍ବାଧିକ ଏମ୍ବିବିଏସ୍ ଆସନ (୩୮ କଲେଜ୍ରେ ୫,୨୨୫ ଆସନ) ରହିଛି। ତା ପଛକୁ ମହାରାଷ୍ଟ୍ରରେ ୨୯ କଲେଜ୍ରେ ୪,୮୨୬, ଉତ୍ତର ପ୍ରଦେଶର ୩୫ରେ ୪,୩୦୩, ଗୁଜରାଟ ୧୮ରେ ୩୭୦୦, ପଶ୍ଚିମବଙ୍ଗ ୨୦ରେ ୨୩୩୫ ଥିବା ଛୋଟ ରାଜ୍ୟଗୁଡ଼ିକରେ ଥିବା ମେଡିକାଲ କଲେଜ୍ରେ ଅଳ୍ପ ସଂଖ୍ୟାକ ମେଡିକାଲ କଲେଜ ରହିଛି। ତେବେ ଦେଶର ସିକ୍କିମ ଗୋଟିଏ ମାତ୍ର ରାଜ୍ୟ ଯେଉଁଠି ଗୋଟିଏ ବି ସରକାରୀ ମେଡିକାଲ କଲେଜ୍ ନାହିଁ। ଏଠାରେ ସବୁଗୁଡ଼ିକ ଘରୋଇ ମଡିକାଲ କଲେ ଥିବା ବେଳେ ସେଗୁଡ଼ିକରେ ମାତ୍ର ୧୫୦ ଆସନ ରହିଛି।
ସେହିପରି କର୍ଣ୍ଣାଟକରେ ଘରୋଇ ମେଡିକାଲ କଲେଜ୍ଗୁଡ଼ିକରେ ସର୍ବାଧିକ ଆସନ ସଂଖ୍ୟା ରହିଛି। କର୍ଣ୍ଣାଟକରେ ଘରୋଇ ମେଡିକାଲ କଲେଜ୍ଗୁଡ଼ିକରେ ସର୍ବାଧିକ ଆସନ ରହିଛି। ଏଠାରେ ୨୪ କଲେଜ୍ରେ ମୋଟ ୬,୯୯୫ ଆସନ ରହିଥିବା ବେଳେ ତା ପଛକୁ ତାମିଲନାଡୁରେ ୩୨ କଲେଜ୍ରେ ୫,୫୦୦ ଆସନ, ମହାରାଷ୍ଟ୍ରରରେ ୩୩ କଲେଜକୁ ୫,୦୭୦ ଆସନ, ଉତ୍ତର ପ୍ରଦେଶରେ ୩୨ କଲେଜକୁ ୪୭୫୦ ଆସନ ଓ ତେଲେଙ୍ଗାନାରେ ୨୩ କଲେଜକୁ ୩୨୦୦ ଆସନ ରହିଛି।

