ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର ଶିକ୍ଷା ଉପରେ ବି ଗୁରୁତ୍ବ ଦେଉଛନ୍ତି। ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ସବସରକାରୀ ବିଦ୍ୟାଳୟଙ୍କ ସହଭାଗିତାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବ। ଏଥିରେ ପ୍ରତି ସ୍କୁଲ ପିଛା ୨୦ରୁ ୩୮ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପାହାଡ଼ିଆ ଅଞ୍ଚଳରେ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭାରତର ଉଚ୍ଚ ଶିକ୍ଷା କମିସନ ବି ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।
ଲେହରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି। ୪କୋଟି ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ଲାଗି ସରକାର ୩୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ଛାତ୍ରଛାତ୍ରୀମାନଙ୍କ ଲାଗି ସଂଯୁକ୍ତ ଆରବ ଅମୀରାତ ସହିତ ମିଶି ଦକ୍ଷତା ବିକାଶ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ଏହାଫଳରେ ସେମାନେ ରୋଜଗାରକ୍ଷମ ହୋଇପାରିବେ। ଭାରତ ଓ ଜାପାନ ମିଳିତ ଭାବେ ଏକ ପ୍ରକଳ୍ପର ଶୁଭାରମ୍ଭ କରିଥିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

