କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଦେବୀପୀଠର ପାଟୁଆ

ଚୈତ୍ର ମାସର ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଘଣ୍ଟ ଓ ଅନ୍ୟ ବାଦ୍ୟନାଦରେ ଉଚ୍ଛୁଳି ଉଠେ। ମଥାରେ ଚନ୍ଦନ ଓ ସିନ୍ଦୂର ନାଇ, ହାତରେ ବେତ ଧରି, ପୁଷ୍ପବିଭୂଷିତ ଘଟକୁ ମୁଣ୍ଡ ଉପରେ ଥାପି, ବାହୁଟି ପିନ୍ଧି, ଶାଢ଼ି, ଘାଗରା ଓ କାଞ୍ଚୁଲିରେ ନିଜକୁ ନାରୀଟିଏ ପରି ସଜେଇ, ଏକ ବିଶେଷ ନୃତ୍ୟକାରୀ ଦଳ ପହଞ୍ଚନ୍ତି ବିଭିନ୍ନ ଦେବୀପୀଠରେ। ଲୋକେ ସେମାନଙ୍କୁ କହନ୍ତି ‘ଘଣ୍ଟପାଟୁଆ’ ଏବଂ ସେମାନଙ୍କର ନାଚକୁ କହନ୍ତି ‘ପାଟୁଆ ନାଚ’। ଏହି ପାଟୁଆମାନେ ନିଜକୁ ଦେବୀଙ୍କ ଭକ୍ତ ଓ ସେବକ ରୂପେ ଜ୍ଞାନ କରିଥାନ୍ତି। ବିଶେଷ କରି ଝଙ୍କଡ଼ର ଦେବୀ ଶାରଳା ଓ କାକଟପୁରର ମା’ ମଙ୍ଗଳାଙ୍କ ପାଖରେ ବା ଅନ୍ୟତ୍ର ଏମାନେ ବ୍ରତ ମନାସିଥାନ୍ତି।

ଏମାନେ ମୁଣ୍ଡରେ ମୁଣ୍ଡାଉଥିବା ‘ପାଟୁଆ’ ବା ‘ଘଟ’କୁ ଦେବୀଙ୍କର ପ୍ରତିମା ରୂପେ ବିବେଚନା କରାଯାଏ। ଏହା କାଠରେ ନିର୍ମିତ ହୋଇଥାଏ। ସିନ୍ଦୂରର ଲେପ ସହିତ ତାହାକୁ ଫୁଲ ଆଦିରେ ସଜାଇ ଦିଆଯାଇଥାଏ। ତାହା ଲମ୍ବା ଓ ବଡ଼ ଫୁଲଝରି ପରି ଦିଶେ। ପାଟୁଆଧାରୀ ଭକ୍ତ, ସେବକ ଓ ନର୍ତ୍ତକ ମଧ୍ୟ ପାଟୁଆ ଭାବରେ ପରିଚିତ ହୁଅନ୍ତି।

ଏହି ପାଟୁଆମାନଙ୍କୁ ମୁଖ୍ୟତଃ ‘ଘଣ୍ଟପାଟୁଆ’ ଓ ‘ରଣପାପାଟୁଆ’ କୁହାଗଲେ ମଧ୍ୟ, ସେମାନେ ଆଠ ପ୍ରକାରର। ସେମାନେ ହେଲେ ଉଡ଼ାପାଟୁଆ, କଣ୍ଟାପାଟୁଆ, ଘଟପାଟୁଆ, ଘଣ୍ଟାପାଟୁଆ, ଫୁଲପାଟୁଆ, ଦଣ୍ଡପାଟୁଆ, ଖଣ୍ଡାପାଟୁଆ ଓ ରଣପାପାଟୁଆ। ଘଣ୍ଟପାଟୁଆ ଘଣ୍ଟ ପିଟି, ମୁଣ୍ଡରେ ପାଟୁଆ ଥାପି ନାଚନ୍ତି। ରଣପାପାଟୁଆ ଗୋଡ଼ରେ ରଣପା ବାନ୍ଧି ପାଟୁଆ ଧରି ନାଚନ୍ତି। ଉଡ଼ା, କଣ୍ଟା, ଘଟ, ଘଣ୍ଟା ଓ ଦଣ୍ଡ ପାଟୁଆମାନେ ନିଜ ନିଜର ଭକ୍ତିର ପରାକାଷ୍ଠା ନିଜ ନିଜ ନାମ ଅନୁରୂପେ ଦେଖାଇଥାଆନ୍ତି।

ବ୍ରତର ଉଦ୍‌ଯାପନ ଦିନ, ଯଥା- ପଣାସଂକ୍ରାନ୍ତି ଓ ଝାମୁଯାତ୍ରାରେ ନିଆଁରେ ଚାଲିବା, ତଳେ ବିଛା ହୋଇଥିବା କଣ୍ଟା ଉପରେ ଶୋଇବା ଏବଂ ଶରୀରରେ ଲୁହାକଣ୍ଟା ଫୋଡ଼ି ଉଡ଼ାପଟାରେ ଉଡ଼ିବା ପରି ବହୁ କଷ୍ଟକର କର୍ମ ଏମାନେ କରିଥାନ୍ତି। ଦେବୀମାତାଙ୍କ ପ୍ରତି ନିଜର ଭକ୍ତିଭାବ ଓ ନିଷ୍ଠା ପ୍ରତିପାଦନ କରିବାପାଇଁ ସେମାନେ ଏପରି କାୟା କ୍ଳେଶକର ଉପାୟ ଆଦରି ନେଇଥାନ୍ତି।

ପାରମ୍ପରିକ ପାଟୁଆ ନୃତ୍ୟକୁ ଓଡ଼ିଶାର ଏକ ଲୋକନୃତ୍ୟକଳା ରୂପେ ବିବେଚନା କରାଯାଉଛି। କିନ୍ତୁ ପାଟୁଆସେବକ ଓ ଭକ୍ତଙ୍କ ପାଇଁ, ଏହା ଦେବୀଙ୍କ ପ୍ରତି ଆନ୍ତରିକ ନିଷ୍ଠାର ପରିପ୍ରକାଶ। ଦେବୀଙ୍କ ପ୍ରତି ଏକ ଭକ୍ତିଭାବାପନ୍ନ ନୃତ୍ୟ ନୈବେଦ୍ୟ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ