ଧର୍ମ

ଦେବୀପକ୍ଷ ଓ ଅଗ୍ନିବୃକ୍ଷ

ଆମ ଭାରତୀୟ ପରମ୍ପରାରେ, ଦେବଦେବୀଙ୍କ ପରି ଅନେକ ବୃକ୍ଷକୁ ମଧ୍ୟ ଦେବତାର ଆସନ ଦିଆଯାଇ ପୂଜା କରାହୋଇଥାଏ। ଯଥା: ବର, ଅଶ୍ୱତ୍ଥ, ବିଲ୍ୱ, ତୁଳସୀ ଓ ଅଁଳା ଇତ୍ୟାଦି। ସେହିପରି ‘ଅଗ୍ନିବୃକ୍ଷ’ ଭାବରେ ଚିହ୍ନିତ ଶମୀବୃକ୍ଷକୁ ମଧ୍ୟ ଆଶ୍ୱିନ ଶୁକ୍ଳପକ୍ଷରେ, ବିଶେଷକରି ବିଜୟାଦଶମୀ ଦିନ ସ୍ୱତନ୍ତ୍ର ଭାବରେ ପୂଜା କରାଯାଏ।
‘ବାମନ ପୁରାଣ’ରେ ବର୍ଣ୍ଣନା ଅଛି- ସ୍କନ୍ଦଙ୍କଠାରୁ ବଧୁଲି, ସୂର୍ଯ୍ୟଙ୍କଠାରୁ ଓସ୍ତ, କାତ୍ୟାୟନୀଙ୍କଠାରୁ ଶମୀ ଓ ଲକ୍ଷ୍ମୀଙ୍କଠାରୁ ବେଲଗଛ ଉତ୍ପନ୍ନ ହୋଇଥିଲେ। ସ୍ୱୟଂ କାତ୍ୟାୟନୀ ଅଗ୍ନିସଂଭବା। ମହିଷାସୁରକୁ ବଧ କରିବା ପାଇଁ ସେ ଦେବଗଣଙ୍କ ଅଗ୍ନିତେଜରୁ ଉତ୍ପନ୍ନ ହୋଇଥିଲେ। ତାଙ୍କଠାରୁ ଶମୀର ସୃଷ୍ଟି। ‘ମହାଭାରତ’ର ବର୍ଣ୍ଣନା ଅନୁସାରେ, ଏହି ବୃକ୍ଷରେ ଅଗ୍ନିଦେବ ବିଶ୍ରାମ ନେଇଥାନ୍ତି। ଦେବତାମାନେ ଏହି ବୃକ୍ଷରେ ଅଗ୍ନିଙ୍କୁ ଦର୍ଶନ କରିଥିବାରୁ ଶମୀଙ୍କୁ ଅଗ୍ନିର ପବିତ୍ର ସ୍ଥାନ ଭାବରେ ଗ୍ରହଣ କରାଯାଇଥାଏ। ଯଜ୍ଞକାଳରେ ଶମୀ କାଠ ସହିତ ଓସ୍ତ କାଠ ଘଷି ଅଗ୍ନିଙ୍କୁ ପ୍ରକଟ କରାଯାଏ।
ଅର୍ଜୁନ ତାଙ୍କର ଅସ୍ତ୍ରଶସ୍ତ୍ର ଅଗ୍ନିଙ୍କ ଠାରୁ ପ୍ରାପ୍ତ ହୋଇଥିବାରୁ, ଅଜ୍ଞାତବାସ କାଳରେ ପାଣ୍ଡବମାନେ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଅଗ୍ନିସ୍ୱରୂପ ଶମୀ ବୃକ୍ଷକୁ ପ୍ରଦାନ କରି ବିରାଟ ନଗରୀରେ ପ୍ରବେଶ କରିଥିଲେ। ଅଜ୍ଞାତବାସ ସଫଳ କରିବାପାଇଁ ସେଠାରେ ଦେବୀ କାତ୍ୟାୟନୀଙ୍କୁ ମଧ୍ୟ ସେମାନେ ଆରାଧନା କରିଥିଲେ। କାତ୍ୟାୟନୀ ସେମାନଙ୍କୁ ଅଭୟ ବର ପ୍ରଦାନ କରି ବିଜୟଶ୍ରୀ ଆଶୀର୍ବାଦ ଦେଇଥିଲେ। ଏହା ଫଳରେ ପାଣ୍ଡବମାନେ ସଫଳତାର ସହିତ ଅଜ୍ଞାତବାସ ଶେଷ କଲେ ଏବଂ ପୁନଶ୍ଚ ଶମୀ ବୃକ୍ଷଙ୍କଠାରୁ ନିଜର ଅସ୍ତ୍ରଶସ୍ତ୍ର ନେଇ କୁରୁକ୍ଷେତ୍ରରେ ବିଜୟଶ୍ରୀ ଲାଭ କଲେ। ଏହା ମଧ୍ୟ କଥିତ ଅଛି ଯେ ରାମଚନ୍ଦ୍ର ଲଙ୍କା ଯାତ୍ରା ପୂର୍ବରୁ ଶମୀ ବୃକ୍ଷର ପୂଜନ କରି ଲଙ୍କା ବିଜୟ କରିଥିଲେ।
ଶମୀ ବୃକ୍ଷ ଶିବଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ପ୍ରାୟତଃ ଶିବାଳୟ ପରିସରରେ ଏହି ବୃକ୍ଷ ରୋପଣ କରି ପୂଜାର୍ଚ୍ଚନା କରାଯାଏ। ଅଗ୍ନି ଯେଉଁ ସ୍ଥାନରେ ଶମୀ ବୃକ୍ଷ ମଧ୍ୟରୁ ଆବିର୍ଭୂତ ହୋଇଥିଲେ, ସେହି ଅଗ୍ନିତୀର୍ଥରେ ସ୍ନାନ କରି ବଳରାମ ବ୍ରହ୍ମଯୋନି ପ୍ରାପ୍ତ ହୋଇଥିଲେ।
ଶମୀବୃକ୍ଷ ପୂଜା ଫଳରେ ଶନି ଓ ଲକ୍ଷ୍ମୀ ଉଭୟ ସନ୍ତୁଷ୍ଟ ହୁଅନ୍ତି। ଫଳରେ ମନୁଷ୍ୟର ଶନିଦଶା କଟିଯାଏ ଏବଂ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ। ସେଥିପାଇଁ ଶନିବାର ଦିନ ସୂର୍ଯାସ୍ତ ସମୟରେ ଏହି ବୃକ୍ଷର ପାଦଦେଶରେ ଦୀପଦାନ କରାଯାଇଥାଏ।
ଡକ୍ଟର ତୁଳସୀ ଓଝା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ