ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ।
ବେଦ ଅନୁସାରେ, ପୃଥିବୀର ନିର୍ମାଣକର୍ତ୍ତା ହେଉଛନ୍ତି ବିଶ୍ୱକର୍ମା। କେତେକ ପୁରାଣର ବର୍ଣ୍ଣନା ଅନୁସାରେ, ସେ ବ୍ରହ୍ମାଙ୍କର ପୁତ୍ର ଓ ସ୍ୱୟଂଭୂ। କିନ୍ତୁ ‘ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ, ଅଷ୍ଟମବସୁ ପ୍ରଭାସ ଓ ବୃହସ୍ପତିଙ୍କ ଭଗ୍ନୀ ସ୍ୱୟଂସିଦ୍ଧାଙ୍କର ସେ ପୁତ୍ର।
ବିଶ୍ୱକର୍ମାଙ୍କୁ ପୃଥିବୀର ସମସ୍ତ ଶିଳ୍ପକର୍ମର ଉଦ୍ଭାବକ ଓ ପ୍ରକାଶକ ରୂପେ ଗ୍ରହଣ କରାଯାଏ। ସମସ୍ତ କଳାର ଜ୍ଞାତା ଭାବରେ ସେ ସ୍ୱର୍ଗଲୋକ, ମର୍ତ୍ତ୍ୟଲୋକ ଓ ପାତାଳଲୋକର ନିର୍ମାତା। ଦେବଶିଳ୍ପୀ ଭାବରେ ଦେବତାମାନଙ୍କର ସ୍ୱର୍ଗପୁରୀ, ସଭାଗୃହ, ଯାନ ଏବଂ ସମସ୍ତ ଅସ୍ତ୍ରଶସ୍ତ୍ରର ନିର୍ମାତା ମଧ୍ୟ ସେ। ଏପରିକି ଭଗବାନ ବିଷ୍ଣୁଙ୍କର ଚକ୍ର, ଶିବଙ୍କର ତ୍ରିଶୂଳ ଓ ଇନ୍ଦ୍ରଙ୍କର ବଜ୍ରର ମଧ୍ୟ ସେ ନିର୍ମାତା।
ଏ ସଂପର୍କରେ ପୁରାଣରେ ଗୋଟିଏ ସୁନ୍ଦର କାହାଣୀ ଅଛି। ବିଶ୍ୱକର୍ମା ନିଜର କନ୍ୟା ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କୁ ବିବାହ ଦେଇଥିଲେ। ସଂଜ୍ଞା ସୂର୍ଯ୍ୟଙ୍କର ତାପ ସହ୍ୟ କରି ନପାରିବାରୁ ବିଶ୍ୱକର୍ମା ଶାଣଚକ୍ରରେ ସ୍ଥାପନ କରି ସୂର୍ଯ୍ୟଙ୍କ ଔଜ୍ୱଲ୍ୟର ଏକ-ଅଷ୍ଟମାଂଶ କର୍ତ୍ତନ କରିଦେଲେ ଏବଂ ସେଥିରେ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର, ଶିବଙ୍କର ତ୍ରିଶୂଳ, କୁବେରଙ୍କର ପାଶ ଏବଂ କାର୍ତ୍ତିକଙ୍କର ଭାଲ ନିର୍ମାଣ କରିଥିଲେ।
‘ବ୍ରହ୍ମବୈବର୍ତ୍ତ ପୁରାଣ’ର ବର୍ଣ୍ଣନା ଅନୁସାରେ, ବିଶ୍ୱକର୍ମା ଓ ଅପ୍ସରା ଘୃତାଚୀ ପରସ୍ପରକୁ ଅଭିଶାପ ଦେଇ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କଠାରୁ ନବପୁତ୍ର ଜାତ ହୋଇଥିଲେ। ସେମାନେ ମର୍ତ୍ତ୍ୟଲୋକର ଶିଳ୍ପକାର ଥିଲେ। ସେମାନେ ହେଲେ- “ମାଳାକାର କର୍ମକାର କଂସେଇ ଶଙ୍ଖାର / କୁନ୍ଦବିକ କୁମ୍ଭକାର ପୁଣି ସୂତ୍ରଧାର / ସ୍ୱର୍ଣ୍ଣକାର ଚିତ୍ରକାର ଏ ନବ ପୁତ୍ରଙ୍କୁ / ଦେଖି ପିତାମାତା ତୋଷ ହୋଇଲେ ତାହାଙ୍କୁ।”
ସେହିପରି, ‘ରାମାୟଣ’ର ବର୍ଣ୍ଣନା ଅନୁସାରେ, ଘୃତାଚୀ ଓ ବିଶ୍ୱକର୍ମା ମର୍ତ୍ତ୍ୟକୁ ଆସି, ବିବାହ କରି, ସୁମେରୁ ପ୍ରଦେଶରେ ବାସ କରୁଥିଲେ। ସେଠାରେ ତାଙ୍କର ନଳ ଓ ନୀଳ ନାମରେ ଦୁଇପୁତ୍ର ଜାତ ହୋଇଥିଲେ। ଏହି ଦୁଇପୁତ୍ର, ଶ୍ରୀରାମଙ୍କ ସେତୁବନ୍ଧ ନିର୍ମାଣର ମୁଖ୍ୟ ଉପଦେଷ୍ଟା ଥିଲେ।
ସମସ୍ତ ଶିଳ୍ପଶାସ୍ତ୍ରର ଆଦିସ୍ରଷ୍ଟା ହେତୁ, ଭାରତର ପ୍ରାୟ ସମସ୍ତ ଶିଳ୍ପସଂସ୍ଥାରେ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କର ପୂଜା ହୋଇଥାଏ।
ଡକ୍ଟର ତୁଳସୀ ଓଝା