ରାଜ୍ୟ

ଦେବଦାସୀଙ୍କ ଅନ୍ତେ ଚମକ ହରାଉଛି ଲକ୍ଷ୍ମୀ-ନାରାୟଣ ବଚନିକା

ପୁରୀ : ପତି-ପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ନିଚ୍ଛକ ପ୍ରତିଫଳନ ଲକ୍ଷ୍ମୀ-ନାରାୟଣ ବଚନିକା। ମହାପ୍ରଭୁ ମାନବ ଭଳି ଲୀଳା ରଚୁଥିବାରୁ ଏହି ମାନ ଅଭିମାନର ବଚନିକା ରଥଯାତ୍ରା ପରମ୍ପରାରେ ଆକର୍ଷଣ ସାଜିଥାଏ। ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରଥଯାତ୍ରାରେ ସାଥିରେ ନେଇନଥିବାରୁ ହେରା ପଞ୍ଚମୀରେ ଯାଇ ରଥ ଭାଙ୍ଗିଦେଇ ଆସିଛନ୍ତି। ତଥାପି ମା’ଙ୍କ ଅଭିମାନ ଭାଙ୍ଗିନାହିଁ।

ସନ୍ଧ୍ୟାଧୂପ ସରିବା ପରେ ବିଜେ କାହାଳୀ ବାଜି ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରତ୍ନବେଦୀକୁ ଯିବେ। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ। ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାଆନ୍ତି। ଏତିକି ବେଳେ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦେବଦାସୀମାନେ ଯାଇ ସିଂହଦ୍ବାରକୁ ବନ୍ଦ କରିଦେବାର ପ୍ରଥା ରହିଛି। କିଛି କ୍ଷଣ ପରେ ପୁଣି ଦ୍ବାର ଖୋଲିଯାଏ। ପୁନଶ୍ଚ ଶ୍ରୀଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ବାର ନିକଟରେ ବିଜେ କରିବା ସମୟରେ ଏହି ଦ୍ବାର ଭିତର ପଟୁ ବନ୍ଦ କରାଯାଇଥାଏ। ଶ୍ରୀଜଗନ୍ନାଥ ସିଂହଦ୍ବାରରେ ପହଞ୍ଚିବା ପରେ ସିଂହଦ୍ବାର ଫିଟାଇ ଦିଅନ୍ତି। ଏହି ପ୍ରଥା ଏବେ ବି ପାଳନ ହେଉଛି, କିନ୍ତୁ ସେ ଦାୟିତ୍ବ ତୁଲାଇବାକୁ ଆଉ ଦେବଦାସୀମାନେ ନାହାନ୍ତି।

ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁସାରେ ସିଂହଦ୍ବାରଠାରେ ବଚନିକା ହୋଇନଥାଏ। ବରଂ ଏହା ଶ୍ରୀମନ୍ଦିର ଜୟ ବିଜୟ ଦ୍ବାରଠାରେ ହୋଇଥାଏ। ପୂର୍ବରୁ ଦଇତା ସେବକ ଓ ଦେବଦାସୀଙ୍କ ମଧ୍ୟରେ ବଚନିକା ହେଉଥିଲା। ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି ବୋଲି ସ୍ବତ୍ତ୍ବଲିପିରେ ଉଲ୍ଲେଖ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୟ ବିଜୟ ଦ୍ବାର ନିକଟରେ ପହଞ୍ଚିବା ପରେ ଦ୍ବାରର ବାହାର ପଟେ ଦଇତା ସେବକ ସ୍ବାଇଁ ମହାପାତ୍ର ଓ ଲକ୍ଷ୍ମୀ ଦେବୀଙ୍କ ପକ୍ଷରୁ ଦ୍ବାରର ଭିତର ପଟେ ଭିତର ଗାଏଣୀ ଦେବଦାସୀ ରହି ବଚନିକା କରୁଥିଲେ। ମାତ୍ର ଶ୍ରୀମନ୍ଦିରରୁ ଦେବଦାସୀ ସେବା ବିଲୁପ୍ତ ହେବା ପରେ ଭିତରପଟେ ଲକ୍ଷ୍ମୀ ଦେବୀଙ୍କ ପକ୍ଷରୁ ଏବେ ଭିତରଚ୍ଛ ମହାପାତ୍ର ସେବକ ଏହି ଦାୟିତ୍ବ ତୁଲାଉଛନ୍ତି। ବଚନିକାରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ବାର୍ତ୍ତାଳାପ ହେବାର ବିଧି ରହିଥିଲେ ହେଁ ଆଉ ବିଶେଷ ସେପରି ବଚନିକା ହେଉନାହିଁ। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଲକ୍ଷ୍ମୀ ନାରାୟଣ ବଚନିକା ପରମ୍ପରା ଧୀରେଧୀରେ ଲୁପ୍ତ ହେବାକୁ ବସିଛି।

ବଚନିକାର ଗାଇବା ପରେ ଦ୍ୱାର ଖୋଲାଯାଏ। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି କରାଯାଏ।

atlasobscura.com

ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ମୁତାବକ, ନୀଳାଦ୍ରି ବିଜେ ଦିନ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ କିଛି ମଠ, ସେବକ ଓ ବ୍ୟକ୍ତିବିଶେଷ ପନ୍ତି ଭୋଗ କରିଥାଆନ୍ତି। ମଙ୍ଗୁ ମଠ, ଏମାର ମଠ, ଜଗନ୍ନାଥ ଶୁକ୍ଳ, ଚେମପୃଷ୍ଟି ପାଟରା, ଉତ୍ତରପାର୍ଶ୍ବ ମଠ, ଛାଉଣୀ ମଠ, ବାଲିମଠ, କନିକା ରାଜା ସରଘର, ଶ୍ରୀରାମ ଦାସ, ରେବସା ମଠ, ଫକୀର ମହାପାତ୍ର, ଜଗନ୍ନାଥ ବଲ୍ଲଭ ମଠ, ଗୌରାଙ୍ଗ ସୁଆର, ସଂକ୍ରାନ୍ତି ମଠ, ବଳଭଦ୍ର ପୂଜାପଣ୍ଡା ସାମନ୍ତ ତଥା ଶିବତୀର୍ଥ ମଠ, ତ୍ରିମାଳି ମଠ, ପ୍ରତିହାରୀ ନିଯୋଗ, ପାଟଯୋଷୀ ମହାପାତ୍ର, ମହାଜନ, ସାନଛତା ମଠ ସିଂହଦ୍ବାରଠାରେ ପନ୍ତି ଭୋଗ କରନ୍ତି। ସମସ୍ତ ବିଗ୍ରହ ସିଂହାସନକୁ ବିଜେ କରିବା ପରେ ଦଇତାପତି ସେବକମାନେ ରୁନ୍ଧା କାର୍ଯ୍ୟ ଶେଷ କରନ୍ତି।

‘ବଚନିକା’ ସାରାଂଶ
ହେ ଦେବୀ, ଅଭିମାନ କରନାହିଁ। ଭକ୍ତମାନଙ୍କୁ ଆଲିଙ୍ଗନ କରିବାକୁ ମୁଁ ପରା ଘୋଷଯାତ୍ରା କରିଥିଲି। ତୁମେ କ’ଣ ଜାଣନାହିଁ, ରତ୍ନ ସିଂହାସନରେ ମୋତେ ଭକ୍ତଗଣ ସ୍ପର୍ଶ କରନ୍ତି ନାହିଁ। ମୋ ଭକ୍ତମାନଙ୍କ କଥା ତୁମେ କ’ଣ ବୁଝିବନି। ତୁମେ ପରା ଉଦାର ହୃଦୟ। ତଥାପି ତୁମ କଥା ଭୁଲିନାହିଁ। ନୂଆ ପାଟ ଆଣିଛି, ଗହଣା ବି ଆଣିଛି। ଏବେ ମାନଭଞ୍ଜନ କର ହେ ଦେବୀ…

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।