ଦେବଗଡ ୧୦।୧: କିଛି ଦିନ ହେବ ଦେବଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଦେବଗଡ ପୌରପରିଷଦ ପକ୍ଷରୁ ଦୈନିକ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ସହର ମଧ୍ୟରେ ଥିବା ଦୈନିକ ବଜାରକୁ ପ୍ରଧାନପାଟ ଜଳପ୍ରପାତ ରାସ୍ତା ଓ ରଥଦାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଜନସମାଗମକୁ ନିୟନ୍ତ୍ରିତ କରିବା ପାଇଁ ଦୈନିକ ବଜାରକୁ ଦୁଇଟି ଅଲଗା ଅଲଗା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ଦୈନିକ ବଜାର ସ୍ଥାନାନ୍ତରିତ କରାଯିବା ବେଳେ କିଛି ବେପାରୀ ଏହାକୁ ବିରୋଧ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସହାୟତାରେ ଏହା ସ୍ଥାନାନ୍ତରିତ କରାଯାଇଥିଲା । କୋରନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ବଜାର ସ୍ଥାନାନ୍ତରିତ କରାଯାଇଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ହେବା ପରେ ଏହା ପୁଣି ପୂର୍ବସ୍ଥାନକୁ ଫେରିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।