ବଲାଙ୍ଗୀର: ୬୦ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ନାଁରେ ଜବକାର୍ଡ କରି ମନରେଗା ଯୋଜନାର ଟଙ୍କା ହଡ଼ପ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ମନରେଗା ଯୋଜନାରେ ଏହିଭଳି ଏକ ଦୁର୍ନତି ସାମ୍ନାକୁ ଆସିଛି। ଏହି ଦୃଷ୍ଟିବାଧିତ ହେଉଛନ୍ତି ଚଞ୍ଚଳ ବାଗ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ୍ ବାଙ୍କିବାହାଲ ଗାଁରେ। ଚଞ୍ଚଳ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ୬୦ ପ୍ରତିଶତ ଦେଖିପାରନ୍ତି ନାହିଁ। ମାତ୍ର, ମନରେଗାରେ ସେ କାମ କରିଥିବା ଉଲ୍ଲେଖ ରହିଛି। ସରକାରୀ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧- ୨୨ ଆର୍ଥିକ ବର୍ଷରେ ସେ ବାଙ୍କିବାହାଲ ଗାଁ ଜଙ୍ଗଲରେ ଗାତ ଖୋଳିଛନ୍ତି। ଖେଳପଡ଼ିଆ ଓ ପୋଖରୀ ଉନ୍ନତୀକରଣ କାମ ବି କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମନରେଗାରେ କାମ କରିଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି ଚଞ୍ଚଳ। ସେ କହିଛନ୍ତି, ‘ ମୁଁ ଦିବ୍ୟାଙ୍ଗ। ହାତଗୋଡ଼ ଭଲରେ ହଲାଇ ପାରୁନି। ଏମିତିରେ କାଗଜପତ୍ର ନେଇ କିଏ କଣ କରିଛି ମୁଁ ଜାଣି ନାହିଁ।’ ‘ ମନରେଗାରେ ମୁଁ କୌଣସି ମାଟି କାମ କରିନି,’ ବୋଲି ସେ କହିଛନ୍ତି। ବାଙ୍କିବାହାଲ ଗାଁରେ ଏହା ଗୋଟିଏ ଉଦାହରଣ ମାତ୍ର। ଗାଁ ଲୋକଙ୍କ କହିବାନୁସାରେ, ବହୁ ନକଲି ଶ୍ରମିକଙ୍କ ନାଁ ମନରେଗାରେ ଚଢ଼ାଇ ଦେଇ ବିଲ୍ କରାଯାଉଛି। ମିଥ୍ୟା ବିଲ୍ କରି କାମ ବି ଠିକ୍ରେ କରାଯାଉନି। ଅସଲି ଶ୍ରମିକ କାମ ମାଗିଲେ ପଂଚାୟତ ଅଧିକାରୀ କାମ ଦେଉନାହାନ୍ତି। ନିଜ ନିଜ ଭିତରେ ମିଶି ଭାଗବଣ୍ଟା କରି ମନରେଗା କାମ ଗାଁରେ ହେଉଛି ବୋଲି ଦର୍ଶାଯାଉଛି। ଏ ନେଇ ପିଡି ଡିଆରଡିଏଙ୍କୁ ପଚାରିବାରୁ ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।