ଇସଲାମାବାଦ ୨୫।୧୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ଆଇନକୁ ମଞ୍ଜୁରୀ ଦେଇଛନ୍ତି ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ରସାୟନିକ ଉପାୟରେ ନପୁଂସକ କରିବା ଏବଂ ଯୌନ ଶୋଷଣ ମାମଲାଗୁଡିକର ଶୀଘ୍ର ଶୁଣାଣିର ବ୍ୟବସ୍ଥା ରହିଛି । ପାକିସ୍ତାନ ମିଡିଆରେ ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ଖବରରେ ଏହା ଦାବି କରାଯାଇଛି ।
ଜିୟୋ ଟିଭିର ଖବର ଅନୁସାରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ଆଇନ ମନ୍ତ୍ରଣାଳୟ ଦୁଷ୍କର୍ମ ବିରୋଧୀ ଅଧ୍ୟାଦେଶର ଏହି ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ମାତ୍ର ଏ ସମ୍ବନ୍ଧରେ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ । ଖବର ଅନୁସାରେ ଡ୍ରାଫ୍ଟରେ ପୋଲିସ ବ୍ୟବସ୍ଥାରେ ମହିଳାମାନଙ୍କର ଭୂମିକା ବଢାଇବା, ଦୁଷ୍କର୍ମ ମାମଲାର ଶୀଘ୍ର ଶୁଣାଣି କରିବା ଏବଂ ସାକ୍ଷୀମାନଙ୍କର ସୁରକ୍ଷା ସାମିଲ ରହିଛି ।
ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ଏହା ଗମ୍ଭୀର ମାମଲା । ଏହି ମାମଲାର ଶୁଣାଣିରେ ବିଳମ୍ବ ବରଦାସ୍ତ କରାଯିବନାହିଁ । ସେ କହିଛନ୍ତି ଆମକୁ ଆମ ନାଗରିକମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ହେବ । ଦୁଷ୍କର୍ମ ପୀଡିତା ଭୟଭୀତ ନହୋଇ ଅଭିଯୋଗ ଦାୟର କରିପାରିବେ । ସରକାର ସେମାନଙ୍କ ପରିଚୟ ଲୁଚାଇ ରଖିବ ।
ରିପୋର୍ଟ ଅନୁସାରେ କିଛି ସଂଘୀୟ ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦେବାକୁ ପ୍ରସ୍ତାବ ଦେଇଥିଲେ । ଶାସକ ପାକିସ୍ତାନ ତହରିକ-ଏ-ଇନସାଫର ସାଂସଦ ଫୈଜଲ ଜାଭେଦ ଖାନ୍ ଟ୍ବିଟରରେ ଲେଖିଛନ୍ତି ଯେ, ଆଇନ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ।