ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍‌କାମର ଆତ୍ମସମର୍ପଣ: ଓଡ଼ିଶା, ଛତିଶଗଡ଼ରେ ୫୭ରୁ ଊର୍ଦ୍ଧ୍ବ ମାମଲା

ଫୁଲବାଣୀ: କେକେବିଏନ୍‌ ମାଓ ଡିଭିଜନର ବରିଷ୍ଠ କ୍ୟାଡର୍‌ ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍‌କାମ ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ ପରେ ମାଡ୍‌କାମ କହିଛନ୍ତି, ମାଓ ସଂଗଠନରେ ଆଉ ନୀତିଆଦର୍ଶ ନାହିଁ। ବହୁଦିନ ଧରି ସମାଜର ମୁଖ୍ୟ‌ସ୍ରୋତରୁ ସେ ଦୂରରେ ରହିଥିଲେ। ଏବେ ସେ ପରିବାର ସହ ସମୟ ବିତାଇବେ। ମାଓ ସଂଗଠନରେ ସିନିୟରମାନେ ଜୁନିୟର୍‌ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ମାଓବାଦୀମାନେ ବେଆଇନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଥିବାରୁ ଏହା ତାକୁ ଭଲ ଲାଗିଲାନି ବୋଲି ସମାୟ ଆଜି ସାମ୍ବାଦିକଙ୍କୁ କହିଛନ୍ତି। ଗତ କିଛିଦିନ ତଳେ ପୁଲିସ ସହ ସଂଘର୍ଷରେ ଟପ୍‌ ମାଓ ନେତା ଦସୁରୁର ମୃତ୍ୟୁ ହୋଇଥିବା ବେଳେ ଆଜି ଦସୁରୁର ମୁଖ୍ୟ ସହଯୋଗୀ ମାଡ଼କାମ୍‌ ଆତ୍ମସମର୍ପଣ କରିବା ପରେ ମାଓବାଦୀଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିବା ପୁଲିସର ମନୋବଳକୁ ବଢ଼ାଇଛି ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ସମାୟ ମାଡ୍‌କାମ କେକେବିଏନ୍‌ ମାଓ ସଂଗଠନର ଡିଭିଜିନାଲ୍‌ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା। ସେ କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲା। ସମାୟର ନିଜଘର ଛତିଶଗଡ଼ ରାଜ୍ୟର ସୁକ୍‌ମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଲଗୁଡ଼ା ଗାଁରେ। ସେ ପିଲାଦିନୁ ମାଓବାଦୀ ସଂଗଠନରେ ‌ସାମିଲ ହୋଇଥିଲା। ତାକୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେ ପ୍ରଥମେ ମାଓବାଦୀ ସଂଗଠନରେ ‌ଯୋଗ ଦେଇଥିଲା। ସମାୟ ଗତ ୨୦୦୫ ମସିହାରୁ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓ ସଂଗଠନରେ କାର୍ଯ୍ୟ କରୁଥିଲା। ସେ ଛତିଗଡ଼ରେ ସକ୍ରିୟ ଥିବା କିସ୍ତାରାମ ଏରିଆ କମିଟି, ସୀତାନଦୀ ଏଲ୍‌ଓଏସ୍‌, ଉଦନ୍ତି ଏଲ୍‌ଓଏସ୍‌, ମଇନପୁର ଏଜିଏସ୍‌, ଧର୍ମବନ୍ଧ ପ୍ଲାଟୁନ୍‌ ଆଦି ମାଓ ସଂଗଠନରେ କାର୍ଯ୍ୟକରିବା ପରେ ପରବର୍ତ୍ତୀ ସମୟରେ କେକେବିଏନ୍‌ ଡିଭିଜନରେ କାର୍ଯ୍ୟ କରୁଥିଲା। କେକେବିଏନ୍‌ ମାଓ ଡିଭିଜନରେ ସମାୟ ଜଣେ ଟପ୍‌ କ୍ୟାଡର ଭାବେ କାର୍ଯ୍ୟ କରୁଥିଲା। ସମାୟ ନାମରେ ବୌଦ୍ଧ, କନ୍ଧମାଳ, ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନ‌ାରେ ମୋଟ ୧୭ଟି ମାମଲା ଥିବାବେଳେ ତାକୁ ଧରିବା ପାଇଁ ତା’ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳରେ ଦେଖା ଦେଇଥିବା ମାଓ ହିଂସା କାର୍ଯ୍ୟକଳାପରେ ସମାୟ ସମ୍ପୃକ୍ତ ଥିଲା। ସେହିଭଳି ଛତିଶଗଡ଼ର ବିଭିନ୍ନ ଥାନାରେ ମଧ୍ୟ ତା’ ନାଁରେ ୪୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ଆତ୍ମସମର୍ପଣ ଏବଂ ଥଇଥାନ ଯୋଜନା ଅନୁସାରେ ସମାୟକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗେଇ ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଏହି ଅବସରରେ କହିଛନ୍ତି।

ଓଡ଼ିଶାରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା କମ୍

ନୂଆଦିଲ୍ଲୀ: ଗତ ମାସରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୯ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ସୁରକ୍ଷା ବାହିନୀର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ତଥା ଗିରଫଦାରୀ ଆଶଙ୍କାରେ ଗତ ଗୋଟିଏ ସପ୍ତାହ ଭିତରେ ଛତିଶଗଡ ଓ ଝାଡ଼ଖଣ୍ଡରେ ୪୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷେ ଓଡ଼ିଶାରେ ମାଓବାଦୀଙ୍କ ଆତ୍ମସମର୍ପଣ ଉତ୍ସାହଜନକ ନୁହେଁ। ଛତିଶଗଡ଼ ସୀମା ନିକଟବର୍ତ୍ତୀ ଓଡ଼ିଶାର ବରଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀରରେ ମାଓ ଗତିବିଧି ରହିଛି। ଓଡ଼ିଶାର ୯୦ ପ୍ରତିଶତ ମାଓ କ୍ୟାଡର୍‌ ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି। ନକ୍‌ସଲମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଓ ପୁନଃ ଥଇଥାନ ଯୋଜନାରେ ସୁଯୋଗ ନେବାସହ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସୁରକ୍ଷା ବାହିନୀ ଓ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଉଛି। ତେବେ ମାଓପ୍ରବଣ ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶାରେ ଆତ୍ମସମର୍ପଣ ସଂଖ୍ୟାରେ ବୃଦ୍ଧି ହେଉନାହିଁ। ମାଓ ବିରୋଧୀ ଅଭିଯାନରେ ସାମିଲ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୂତ୍ର ଅନୁସାରେ ମାଓବାଦୀଙ୍କ ଠାରୁ ଆତ୍ମସମର୍ପଣ ତଥା ସମାଜର ମୁଖ୍ୟ ‌ସ୍ରୋତରେ ସାମିଲ ହେବାର ପ୍ରସ୍ତାବ ଆସୁଛି, ହେଲେ ପ୍ରସ୍ତାବଗୁଡ଼ିକ ଉପରେ ତରବରିଆ ନିଷ୍ପତ୍ତି ନିଆନଯାଇ ସେଗୁଡ଼ିକୁ ଅନୁଧ୍ୟାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।