ରାଜ୍ୟ

ଦୁର୍ଦ୍ଦଶା ବଢ଼ାଉଛି ଆଧାରକାର୍ଡ; ଗୋଟିଏ ଶବ୍ଦ ତ୍ରୁଟିରେ ଖାଦ୍ୟ, ପାଠପଢାରୁ ବାଦ୍‌ ପଡ଼ୁଛନ୍ତି ପିଲା

ଭୁବନେଶ୍ବର : ରାଜ୍ୟରେ ୦ ରୁ ୫ ବର୍ଷ ଯାଏ ୬୬ % ଅର୍ଥାତ ୨୫ ଲକ୍ଷ ୬୭ ହଜାର ୯୩୫ ଜଣ ଶିଶୁ ଏବଂ ୫ରୁ ୧୮ ବର୍ଷୀୟ ୧୮% ଅର୍ଥାତ ୨୦ ଲକ୍ଷ ୪୭ ହଜାର ୨୬୯ ଜଣଙ୍କର ଆଧାରକାର୍ଡ ନାହିଁ। ଓକାକ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ବର୍ତ୍ତମାନ ରାସନ୍‌ କାର୍ଡ, ସାମାଜିକ ସୁରକ୍ଷା ଯୋଜନା, ସ୍କୁଲ ନାମଲେଖା, ଜାତି ପ୍ରମାଣପତ୍ରଠାରୁ ଶିକ୍ଷା ବୃତ୍ତି, ଭତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡକୁ ବାଧ୍ୟ କରାଯାଉଥିବା ବେଳେ ଏତେ ସଂଖ୍ୟକ ପିଲାଙ୍କ ଆଧାରକାର୍ଡ ନଥିବାରୁ ସେମାନେ ଏହି ସମସ୍ତ ସର୍ବନିମ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ବା ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ସବୁଠାରୁ ବଡ କଥା ହେଲା, ସ୍କୁଲରେ ନାମ ଲେଖାଇବା ପାଇଁ ଦହଗଞ୍ଜ ହେଉଥିବା ନଜରକୁ ଆସୁଛି।

କିଛି ଦିନ ପୂର୍ବରୁ ଅପପୁଷ୍ଟିରେ ମୃତ୍ୟୁ ହୋଇଥିବା ଯାଜପୁର ଜିଲ୍ଲା ଘାଟସାହି ଗାଁର ଅର୍ଜୁନ ମୁଣ୍ଡାଙ୍କ ଆଧାରକାର୍ଡ ନଥିବାରୁ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ମାଆଙ୍କ ନାଁର ବନାନ ଆଧାରକାର୍ଡ ଏବଂ ରାସନ କାର୍ଡରେ ଭିନ୍ନ ଥିବାରୁ ସେ ମଧ୍ୟ ବାଦ୍‌ ପଡ଼ିଥିଲେ। ଭୁବନେଶ୍ବର ଶ୍ୟାମପୁରର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମହାନନ୍ଦଙ୍କ ନାମର ବନାନ ଜନ୍ମ ପ୍ରମାଣପତ୍ର(ଏସ୍‌ଏଚ୍‌ୟୁ) ଏବଂ ଆଧାର କାର୍ଡ (ଏସ୍‌ୟୁ)ରେ ଭିନ୍ନ ଥିବାରୁ ରାସନ୍‌ କାର୍ଡରେ ଲିଙ୍କ ହୋଇପାରୁ ନାହିଁ। ସେ ସ୍କୁଲରେ ନାମ ଲେଖାଇଛନ୍ତି ସତ, କିନ୍ତୁ ଜାତି ପ୍ରମାଣପତ୍ର ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ତାଙ୍କ ମା’ ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଛୋଟ ଶିଶୁର ମାଟ୍ରିକ୍‌ ପ୍ରମାଣପତ୍ର ନଥିବାରୁ ସଂଶୋଧନ ମଧ୍ୟ ସହଜ ହେଉ ନାହିଁ। ଦହଗଞ୍ଜ ହୋଇ ଟଙ୍କା ଜମା ପରେ କିଛି ଦିନ ପରେ ଆବାସିକ ପ୍ରମାଣପତ୍ର ପାଇବେ ବୋଲି ତାଙ୍କ ମା’ କହିଛନ୍ତି। ଏହାପରେ ଝିଅର ଆଧାରକାର୍ଡ ସଂଶୋଧିତ ହେବ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉଛି। ତା’ ସହିତ ତାଳ ଦେଇ ଚଳିତ ବର୍ଷ ଜାନୁଆରି ମାସରୁ ଆଧାରକାର୍ଡ ତିଆରି ଏବଂ ସଂଶୋଧନ ପ୍ରକ୍ରିୟାକୁ ଜଟିଳ କରିଦିଆଯାଇଛି। ପୂର୍ବରୁ ଭୋଟ୍‌ର କାର୍ଡ, ପ୍ୟାନ୍‌ କାର୍ଡ, ମାଟ୍ରିକ ପ୍ରମାଣପତ୍ର, ପାସ୍‌ପୋର୍ଟ କିମ୍ବା ସେହିଭଳି କୌଣସି ଡକ୍ୟୁମେଣ୍ଟ ନଥିଲେ ମଧ୍ୟ ସ୍ଥାନୀୟ କର୍ପୋରେଟର, ସରପଞ୍ଚ କିମ୍ବା କୌଣସି ଗେଜେଟେଡ୍ ଅଧିକାରୀଙ୍କ ହସ୍ତାକ୍ଷର ଜରିଆରେ ଆଧାରକାର୍ଡ ତିଆରି କିମ୍ବା ସଂଶୋଧିତ ହୋଇ ପାରୁଥିଲା। ବର୍ତ୍ତମାନ କିନ୍ତୁ ଏହା ଆଉ ସମ୍ଭବ ନୁହେଁ। ଏଥିପାଇଁ ଆବାସିକ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଉଛି। ଏହା ପାଠ ପଢିନଥିବା ଗରିବ, ପ୍ରବାସୀ ଶ୍ରମିକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି।

jagran.com

ଆଧାରକାର୍ଡ ଜନିତ ସମସ୍ୟା ଯୋଗୁଁ ରାଜଧାନୀରେ କାର୍ଯ୍ୟରତ ଅନେକ ବିହାରୀ ଶ୍ରମିକ ଏବଂ ଶିଶୁମାନେ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ରୁ ବଞ୍ଚିତ ହେଉଥିବା କହିଛନ୍ତି ସାମାଜିକ କର୍ମକର୍ତ୍ତା ଉମି ଡାନିଏଲ୍‌। ଆଧାରକାର୍ଡ ପ୍ରସ୍ତୁତ କରୁଥିବା ଓକାକ‌୍‌ର ଜଣେ ଅଧିକାରୀ କହିଛନ୍ତି, ଅଭିଭାବକଙ୍କ ପକ୍ଷରୁ ଜନ୍ମ ପ୍ରମାଣପତ୍ର ଦାଖଲ ହେଉନଥିବାରୁ ୦ ରୁ ୫ ବର୍ଷୀୟ ଲକ୍ଷ ଲକ୍ଷ ଶିଶୁଙ୍କ ଆଧାରକାର୍ଡ ହୋଇପାରି ନାହିଁ। ଅନେକ କ୍ଷେତ୍ରରେ ଡାକ୍ତରଖାନା ପକ୍ଷରୁ ଜନ୍ମ ପ୍ରମାଣପତ୍ର ଦାଖଲ କରାଯାଇ ପାରୁନାହିଁ ତ ପରିବାର ମଧ୍ୟ ଶିଶୁର ନାମକରଣ କରି ପ୍ରମାଣପତ୍ର ପାଇଁ ଆବେଦନ କରିବାରେ ବିଳମ୍ବ କରୁଛନ୍ତି।

ଖାଦ୍ୟ ଅଧିକାର ଅଭିଯାନର ସମିତ୍‌ ପଣ୍ଡାଙ୍କ ଅନୁସାରେ, ସାମାଜିକ ସୁରକ୍ଷା ଯୋଜନା ଯେଉଁ ଦୁର୍ବଳ ବର୍ଗଙ୍କ ପାଇଁ କରାଯାଇଛି, ଆଧାରକାର୍ଡ କରିବା ତାଙ୍କ ପାଇଁ ବେଶି କଷ୍ଟକର ହୋଇପଡ଼ୁଛି। ତେଣୁ ଦେଶ ଏବଂ ରାଜ୍ୟରେ ଏତେ ଯୋଜନା ଥାଇ ମଧ୍ୟ ଉପଯୁକ୍ତ ହିତାଧିକାରୀମାନେ ବଞ୍ଚିତ ହେଉଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ, ଆଧାରକାର୍ଡ ପାଇଁ ଖାଦ୍ୟ ସୁରକ୍ଷା ଏବଂ ସ୍କୁଲ ଶିକ୍ଷାରୁ ବଞ୍ଚିତ କରାନଯାଉ। ଆଧାରକାର୍ଡ ପ୍ରସ୍ତୁତ ବେଳେ ନାମର ବନାନରେ ଯେତେ ଭୁଲ କରାଯାଉଛି, ଏଥିଯୋଗୁଁ ହିତାଧିକାରୀଙ୍କ ଦୁଃଖ ବଢିବାରେ ଲାଗିଛି। ଏଥିପ୍ରତି ସଜାଗ ରହିବାର ଆବଶ୍ୟକତା ରହିଛି। ପୂର୍ବରୁ ଭୋଟର କାର୍ଡ ପ୍ରସ୍ତୁତ ବେଳେ ନାମ, ବୟସ ଏବଂ ଲିଙ୍ଗଗତ ଭୁଲ ହେଉଥିଲା। କିନ୍ତୁ ଏଥିଯୋଗୁଁ କେହି କୌଣସି ଯୋଜନାରୁ ବଞ୍ଚିତ ହେଉନଥିଲେ। ଆଧାରକାର୍ଡର ସାମାନ୍ୟ ତ୍ରୁଟି ହିତାଧିକାରୀଙ୍କ ପାଇଁ ପରିଚୟ ସଙ୍କଟ ତିଆରି କରୁଛି ଏବଂ ସେ ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହାର ସଂଶୋଧନ ମଧ୍ୟ ସହଜ ହେଉନାହିଁ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପ୍ରତିଦିନ କେତେ ଆଧାର ସଂଶୋଧିତ କରାଯାଉଛି, ଏଥିସମ୍ପର୍କରେ ଓକାକ୍‌ କିମ୍ବା ୟୁଆଇଏଆଇର ପରିଚାଳନା ନିର୍ଦ୍ଦେଶକ କୌଣସି ତଥ୍ୟ ଦେଉନାହାନ୍ତି। ସୂଚନା ଅନୁଯାୟୀ, ରାଜଧାନୀ ଆଚାର୍ଯ୍ୟବିହାରସ୍ଥିତ ଓକାକ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣ ୟୁଆଇଏଆଇ(ୟୁନିକ୍‌ ଆଇଣ୍ଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ)କୁ ଦୈନିକ ୧୦୦ରୁ ଊର୍ଧ୍ବ ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ହେଉଛି। ସମଗ୍ର ରାଜଧାନୀ ସମେତ ରାଜ୍ୟର ସବୁ କେନ୍ଦ୍ରରେ ସଂଶୋଧନ ଆବେଦନ କେତେ ହେଉଥିବ, ସହଜରେ ଅନୁମାନ କରାଯାଇପାରେ। ପରିଚୟ ପତ୍ର ପାଇଁ ଆଧାରକାର୍ଡ ତିଆରି ହେଉ, କିନ୍ତୁ ଏଥିପାଇଁ କେହି କଷ୍ଟ ନ ପାଆନ୍ତୁ, ପ୍ରଶାସନ ଏବଂ ସେମାନଙ୍କ ଏଜେନ୍ସିମାନେ ସଜାଗ ରହିବା ଦରକାର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।