କିଙ୍ଗଷ୍ଟନ୍: ଅଶି ଦଶକ ଶେଷ ଭାଗ ଏବଂ ନବେ ଦଶକର ପ୍ରଥମ କିଛି ବର୍ଷରେ ଯେଉଁମାନେ କ୍ରିକେଟ୍ ଦେଖିଥିବେ ସେମାନେ ୱେଷ୍ଟଇଣ୍ଡିଜ୍ର ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ପ୍ୟାଟ୍ରିକ୍ ପ୍ୟାଟରସନ୍ଙ୍କୁ କେବେବି ଭୁଲି ନଥିବେ। ଲମ୍ବା, ସୁଢ଼ଳ ଓ ବଳିଷ୍ଠ ଚେହେରା ସହ ଅଣପାରମ୍ପରିକ ରନ୍ଅପ୍ ପାଇଁ କ୍ରିକେଟ୍ପ୍ରେମୀଙ୍କ ମନରେ ସେ ସବୁବେଳେ ଅଭୁଲା ଛାପ ଛାଡ଼ନ୍ତି। କ୍ରିକେଟ୍ ପଡ଼ିଆରେ ଝଡ଼ ସୃଷ୍ଟି କରିବା ସହ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ମନରେ ଅସୀମ ଭୟ ସୃଷ୍ଟି କରିବାରେ ସିଦ୍ଧହସ୍ତ ଥିବା ସେଦିନର ସେହି ଦ୍ରୁତତମ ତଥା ଦୁର୍ଦ୍ଧର୍ଷ ବୋଲର ପ୍ୟାଟରସନ୍ ଏବେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଦୁଇ ଓଳି ଦୁଇ ମୁଠା ଭଲ ଖାଇବା ମଧ୍ୟ ତାଙ୍କ ଭାଗ୍ୟରେ ଜୁଟୁନି। ତେଲ ଲୁଣ କିଣିବାକୁ ତାଙ୍କ ପକେଟ୍ରେ ଟଙ୍କାଟିଏ ବି ନାହିଁ। ଏହି ଖବର ସମଗ୍ର କ୍ରିକେଟ୍ ଜଗତରେ ବି ଆଲୋଡ଼ନ ସୃଷ୍ଟି କରିଛି।
୧୯୯୨-୯୩ର ଅଷ୍ଟ୍ରେଲିଆ ଗସ୍ତରେ ବିଶୃଙ୍ଖଳିତ ଆଚରଣ ପାଇଁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିବା ପରେ ପ୍ୟାଟରସନ୍ ଏକପ୍ରକରେ ନିଖୋଜ ହୋଇ ଯାଇଥିଲେ। ତାଙ୍କର କୌଣସି ଖବର ଯେମିତି କାହା ପାଖରେ ନଥିଲା। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସହ ସବୁ ସଂପର୍କ ସେ ତୁଟାଇ ଦେଇଥିଲେ। ୫୯ ବର୍ଷୀୟ ପ୍ୟାଟରସନ୍ଙ୍କୁ ଖୋଜି ବାହାର କରିବାର ଉଦ୍ୟମ କିନ୍ତୁ ଭାରତୀୟ କ୍ରୀଡ଼ା ସାମ୍ବାଦିକ ଭରତ ସୁନ୍ଦରସନ ଛାଡ଼ି ନଥିଲେ। ବହୁ ଖୋଜ ଖବର ପରେ ଶେଷରେ ପ୍ୟାଟରସନ୍ଙ୍କୁ ସେ ପାଇଥିଲେ। ହେଲେ ତାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ଏଭଳି ଅବସ୍ଥାକୁ ସେ ବିଶ୍ବାସ କରି ପାରି ନଥିଲେ। ଶେଷରେ ସାମାଜିକ ଗଣମାଧ୍ୟମରେ ପ୍ୟାଟରସନ୍ଙ୍କ କାହାଣୀ ପ୍ରକାଶ କରିବା ସହ ତାଙ୍କୁ ସାହାଯ୍ୟ କରିବା ଲାଗି ସାଧାରଣ ଜନତାଙ୍କୁ ଆହ୍ବାନ କରିଥିଲେ।
ଏହି ଖବର ଜାଣି ପ୍ୟାଟରସନ୍ଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସ୍ପିନର ଆର୍ ଅଶ୍ବିନ। ଟ୍ବିଟ୍ କରି ପ୍ୟାଟରସନଙ୍କୁ ସହାୟତା କରିବାକୁ ନିଜ ପ୍ରଶଂସକଙ୍କୁ ବି ଆହ୍ବାନ କରିଛନ୍ତି ସେ। ପ୍ୟାଟରସନ୍ ସଂପ୍ରତି କିଙ୍ଗଷ୍ଟନର ସହରତଳି ଅଞ୍ଚଳରେ ଥିବା ନିଜ ପିତାଙ୍କ ଭଙ୍ଗାଦଦରା ଘରେ ରହୁଛନ୍ତି। ରୋଜଗାରର କୌଣସି ମାଧ୍ୟମ ତାଙ୍କ ପାଖରେ ନାହିଁ। ଶରୀରକୁ ରୋଗ ମାଡ଼ିବସିଲାଣି। କ୍ରିକେଟ୍କୁ କିଛି ଫେରାଇବାକୁ ସେ ଚାହୁଛନ୍ତି। ହେଲେ ମାଧ୍ୟମ ପାଉ ନାହାନ୍ତି। କ୍ରିକେଟ୍ରେ କୋଟି କୋଟି ଟଙ୍କାର ଖେଳ ହୋଇଥିଲା ବେଳେ ଜଣେ ପ୍ରସିଦ୍ଧ କ୍ରିକେଟର୍ଙ୍କ ଏଭଳି ଅବସ୍ଥା କିନ୍ତୁ ପ୍ରଶଂସକଙ୍କୁ ବିସ୍ମିତ କରିଛି। ୧୯୬୧ ମସିହା ସେପ୍ଟେମ୍ବର ୧୫ ତାରିଖରେ ଜାମାଇକାର ୱିଲିୟମ୍ସଫିଲ୍ଡ ଜନ୍ମଗ୍ରହଶ କରିଥିବା ପ୍ୟାଟରସନ୍ ୧୯୮୬ରୁ ୧୯୯୩ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୨୮ ଟେଷ୍ଟ୍ ଓ ୫୯ ଦିନିକିଆ ଖେଳିଥିଲେ।
ସେ ସମୟର ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ମଧ୍ୟରେ ସେ ଥିଲେ ଦ୍ରୁତତମ। ଏକଥା ୱେଷ୍ଟଇଣ୍ଡିଜ୍ର କିଂବଦନ୍ତି ୱିକେଟ୍ ରକ୍ଷକ ଜେଫ୍ ଦୁଜନ ବି ସ୍ବୀକାର କରିଥିଲେ। ଭାରତ ବିପକ୍ଷରେ ମଧ୍ୟ ସେ ଅନେକ ସ୍ବରଣୀୟ ପ୍ରଦର୍ଶନ ଦେଇଛନ୍ତି।୧୯୮୬-୮୭ରେ ଇଂଲଣ୍ଡ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କଲା ବେଳେ ପ୍ୟାଟରସନ୍ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ତାଙ୍କ ପୂରା ଖେଳ ଜୀବନ ଭିତରେ ଏହି ଏକମାତ୍ର ମ୍ୟାଚ୍ରେ ହିଁ ଜଣେ ବୋଲରଙ୍କୁ ସେ ଭୟ କରୁଥିଲେ ବୋଲି ଇଂଲଣ୍ଡର ପ୍ରସିଦ୍ଧ ଅଧିନାୟକ ଗ୍ରାହାମ ଗୁଚ୍ ଏକଦା କହିଥିଲେ।