ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଞ୍ଜନଗର : ଘରେ ବୃଦ୍ଧ ବାପା। ନିଆଁରେ ପୋଡ଼ି ହୋଇ ବିବାହିତା ଭଉଣୀ ସଂପୂର୍ଣ୍ଣ ଭାବେ ଅକର୍ମଣ୍ୟ ପାଲଟି ବାପଘରେ ଆଶ୍ରୟ ନେଇଛି। ସେପଟେ ମୁଣ୍ଡ ଉପରେ ଭାଣିଜୀର ଭରଣପୋଷଣ ଦାୟିତ୍ବ। ଏଭଳି ପ୍ରତିକୂଳ ପରିସ୍ଥିତିରେ ଏକମାତ୍ର ରୋଜଗାରିଆ ଭାବେ ଟୁନା ପରିବାରର ସାହାରା ପାଲଟିଥିଲେ। ସୁଖଦୁଃଖରେ ତେଲଲୁଣର ସଂସାର ଚାଲିଥିଲା। ହେଲେ ଦଇବ ଦାଉ ସାଧିଲା। ଏକ ସଡ଼କ ଦୁର୍ଘଟଣା ହଠାତ୍ ଟୁନାଙ୍କ ଜୀବନର ମୋଡ଼ ବଦଳାଇଦେଛି। ପରିବାରର ଏକମାତ୍ର ସାହାରା ଭାବେ ଦାୟିତ୍ବ ନିର୍ବାହ କରିଆସୁଥିବା, ଟୁନା ଆଜି ନିଜେ ବେସାହାରା ପାଲଟିଯାଇଛନ୍ତି।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ତନରଡ଼ା ଗ୍ରାମର ଟୁନା ଡାକୁଆ (୪୧)ଙ୍କ ମାଆଙ୍କ ତିନିବର୍ଷ ତଳେ ଦେହାନ୍ତ ହୋଇଥିବା ବେଳେ ବାପା ଭଞ୍ଜନଗରରେ ଆଖୁରସ ବିକ୍ରି କରୁଥିଲେ। କିନ୍ତୁ ବାପାଙ୍କ ଆଖିରେ ଅସ୍ତ୍ରୋପଚାର ହେବା ପରେ ସେ କାମ କରିବାକୁ ଅକ୍ଷମ ପାଲଟିଯାଇଛନ୍ତି। ଏଭଳି ପରିସ୍ଥିତିରେ ଦେଢ଼ ବର୍ଷ ତଳେ ଭଉଣୀର ଦେହରେ ନିଆଁ ଲାଗି ପୋଡ଼ି ହୋଇଯିବାରୁ ସେ ମଧ୍ୟ ଅକର୍ମଣ୍ୟ ହୋଇ ବାପଘରେ ହିଁ ଆଶ୍ରୟ ନେଇଛନ୍ତି। ଆଉ ଭାଣିଜୀ ବେଲଗୁଣ୍ଠାରେ ଥିବା ଏକ ଆଇଟିଆଇ ଅନୁଷ୍ଠାନରେ ପଢ଼ୁଥିଲା। ଟୁନା ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଭାବେ ଗ୍ରାମରେ ବାରିକ କାର୍ଯ୍ୟ କରୁଥିଲେ। ଏହାସହ ସାଇକେଲ୍ରେ ବୁଲି ଲୁଣ ବିକ୍ରି କରୁଥିଲେ। ଯାହା ବ୍ୟବସାୟ ହେଉଥିଲା, ସେଥିରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ ହେଉଥିଲା।
ଗତବର୍ଷ ଦୀପାବଳି ବେଳେ ଟୁନା ଲୁଣ ବିକ୍ରି କରି ସାଇକେଲ୍ରେ ଫେରୁଥିବା ବେଳେ ବରଙ୍ଗ ନାଳ ନିକଟରେ ଏକ ବାଇକ୍ ଧକ୍କାରେ ସେ ଗୁରୁତର ହୋଇଥିଲେ। ବାମଗୋଡ଼, ହାତ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ଟୁନାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଓ ସେଠାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବହୁଦିନ ଧରି ସେଠାରେ ରହିବା ପରେ ଟୁନା ଘରକୁ ଫେରିଛନ୍ତି। କିନ୍ତୁ ବର୍ତ୍ତମାନ ଆଉ ଚାଲିପାରୁନାହାନ୍ତି। ଫଳରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିଯାଇଛି।
ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଟୁନାଙ୍କ ପାଇଁ ସ୍ବପ୍ନ ପାଲଟିଛି। ଭାଣିଜୀର ପାଠପଢ଼ା ମଧ୍ୟ ଅଧାରୁ ବନ୍ଦ ହୋଇଯାଇଛି।
ଶେଷରେ ନିରୁପାୟ ଟୁନା ପ୍ରଶାସନର ଦ୍ବାରସ୍ଥ ହୋଇ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ଉପଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଦୁଇଟି ଆଶାବାଡ଼ି ପ୍ରଦାନ କରାଯାଇଛି। ସେହିପରି ଟୁନାଙ୍କ ବାପାଙ୍କୁ ମାସିକ ୫ଶହ ଟଙ୍କା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦ କେଜି ଚାଉଳ ମିଳୁଛି। କିନ୍ତୁ ଟୁନାଙ୍କ ଏଭଳି ଦୁରବସ୍ଥା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଅସହାୟ ପାଲଟିଯାଇଛି। ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରିବାରବର୍ଗ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ‘ବିପଦର ବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ଟୁନାଙ୍କ ପରିବାରକୁ ମାସିକ ରାସନ୍ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l