ନୂଆଦିଲ୍ଲୀ ୦୫/୦୩: ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ଗୋହର ଖାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ପିତା ଜଫର ଅହମ୍ମଦ ଖାନ ଦୁନିଆକୁ ବିଦାୟ ଦେଇଛନ୍ତି । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହରଙ୍କ ବନ୍ଧୁ ପ୍ରୀତି ସିମୋସ୍ ତାଙ୍କ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ।
ପ୍ରୀତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋହରଙ୍କ ପିତାଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ଗୋହରଙ୍କ ବାପା, ଯାହାକୁ ମୁଁ ଖୁବ୍ ଭଲ ପାଉଥିଲି। ଯିଏ ଗର୍ବର ସହିତ ବଞ୍ଚିଥିଲେ ଏବଂ ସର୍ବଦା ଗର୍ବର ସହିତ ସ୍ମରଣୀୟ ରହିବେ । ପରିବାରକୁ ଶକ୍ତି ଏବଂ ଭଲପାଇବା ।’
ଗୋହର ଖାନ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ପିତାଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସେ କ୍ୟାପସନରେ ଲେଖିଛନ୍ତି, ‘ମୋର ହିରୋ ତୁମ ପରି କେହି ନୁହଁନ୍ତି । ମୋ ବାପା ଜଣେ ଏଞ୍ଜଲ୍ ଥିଲେ ଯାହାଙ୍କର ଦେହାନ୍ତ ହୋଇଛି। ସେ ସର୍ବୋତ୍ତମ ଆତ୍ମା ଥିଲେ । ମୁଁ ତୁମକୁ ବହୁତ ଭଲ ପାଏ ।’
ଗୋହର ଖାନ ପୂର୍ବ ଦିନ ହସ୍ପିଟାଲ୍ ରୁମ୍ ର ଏକ ଫଟୋ ସେୟାର କରିଥିଲେ । ଯାହା ସହିତ ସେ ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଥିଲେ । କିନ୍ତୁ ଗହୋର ଖାନଙ୍କ ପିତାଙ୍କ ରୋଗ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

