ମୁମ୍ବାଇ ୨୪/୧୧: ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ ପଠାନର ସୁଟିଂ ଆରମ୍ଭ ହୋଇ ସାରିଛି। କିଛି ଦିନ ତଳେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶାହରୁଖ ଖାନଙ୍କ ଫିଲ୍ମର ପ୍ରଥମ ଲୁକ୍ ଜାରି ହୋଇଥିଲା। କୁହାଯାଉଛି ଯେ କିଙ୍ଗ୍ ଖାନ୍ ୟଶରାଜ ଷ୍ଟୁଡିଓରେ ଫିଲ୍ମ ସୁଟିଂ କରୁଥିବାବେଳେ ନଜର ଆସିଥିଲେ। ଦୀପିକା ପାଦୁକୋନ ଆଜିଠୁ ଶାହରୁଖ ଖାନଙ୍କ ସହ ପଠାନର ସୁଟିଂ କରିବେ। ଦୀପିକା ପାଦୁକୋନ କିଛି ଦିନ ଯାଏଁ ଶକୁନ ବାତ୍ରାଙ୍କ ଅପକମିଂ ଫିଲ୍ମକୁ ସାରିବାରେ ଜୁଟିଥିଲେ ଯାହା ପରେ ସେ ୟଶରାଜ ବ୍ୟାନରର ‘ପଠାନ’ର ସେଟ୍ରେ ପହଞ୍ଚିଥିଲେ।

ଗତ ବର୍ଷ ସବୁଠୁ ବଡ଼ ହିଟ୍ ଫିଲ୍ମ ଓ୍ବାର୍ର ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ’ର ନିର୍ଦେଶନା ଦେବେ। ସିଦ୍ଧାର୍ଥ ଏହା ପୂର୍ବରୁ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ଏବଂ ଓ୍ବାର୍ ଭଳି ଆକ୍ସନ ପ୍ୟାକଡ ଫିଲ୍ମର ନିର୍ଦେଶନା ଦେଇ ସାରିଛନ୍ତି।

ଜନ୍ ଆବ୍ରାହମ୍ ପଠାନରେ ଖଳନାୟକ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଜନ୍ ଧୁମ୍ ଏବଂ ଜିନ୍ଦା ଭଳି ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଆକ୍ସନ୍ ସିନ୍ ପାଇଁ ବିଶେଷ ପ୍ରସ୍ତୁତି କରାଯାଉଛି।

ପ୍ରଥମ ଥର ୟଶରାଜ ଫିଲ୍ମସର କୌଣସି ଆକ୍ସନ ଫିଲ୍ମରେ ଶାହରୁଖ ନଜର ଆସିବେ। ଏହା ପୂର୍ବରୁ ଡର,ଦିଲଓ୍ବାଲେ ଦୁଲହନିଆ ଲେ ଯାଏଙ୍ଗେ,ମୋହବ୍ବତେଁ,ବୀର ଜାରା,ଚକ ଦେ ଇଣ୍ଡିଆ,ରବ ନେ ବନାଦି ଯୋଡ଼ି,ଜବ ତକ ହେ ଜାନ ଏବଂ ଫ୍ୟାନ୍ ଭଳି ରୋମାଣ୍ଟିକ୍ ଏବଂ ଡ୍ରାମା ଫିଲ୍ମରେ କାମ କରି ସାରିଛନ୍ତି।

ଏହି ଫିଲ୍ମ ବ୍ୟତୀତ ଶାହରୁଖ,ରାଜକୁମାର ହିରାନୀଙ୍କ ଏକ କମେଡ଼ି ଫିଲ୍ମରେ ମଧ୍ୟ ନଜର ଆସିବେ।


