ନୂଆଦିଲ୍ଲୀ, ୧୯|୦୫ : ଭୟଙ୍କର ଅଗ୍ନିକାଣ୍ଡ । ପୁଣି ଦିଲ୍ଲୀରେ ନିଆଁ । ନୂଆଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁରୁବାର ବଓ୍ୱାନାରେ ଥିବା ଏକ ଫାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଯାହାକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି ।
ରିପୋର୍ଟ ଅନୁସାରେ, ଦିଲ୍ଲୀର ବଓ୍ୱାନାରେ ଥିବା ଏକ ଥିନର(ଏକ ପ୍ରକାର) ଫାକ୍ଟ୍ରିରେ ନିଆଁ ଲାଗିଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ଖବର ପାଇ ପୌର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ମାମଲା ବଢିବାରେ ଲାଗିଛି । ନିକଟରେ ମୁଣ୍ଡକା ଅଞ୍ଚଳରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣ ଜଳି ପ୍ରାଣ ହରାଇଥିଲେ । ଅନେକ ନିଖୋଜ ହୋଇଯାଇଥିଲେ । ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଏନଡିଆରଏଫ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯଇଥିଲା ।
ଏହାର କିଛି ଦିନ ପରେ ଗୋବିନ୍ଦପୁରୀ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫଳରେ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା ।