ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିବ୍ୟାଙ୍ଗଙ୍କୁ ମିଳୁନି ନ୍ୟାଯ୍ୟ ଅଧିକାର

ଭୁବନେଶ୍ବର : ସରକାରୀ ବାବୁଙ୍କ ଦାୟିତ୍ବହୀନତା, ସ୍ବେଚ୍ଛାଚାରିତା ଓ କ୍ଷମତାର ଅପବ୍ୟବହାର ପାଇଁ ସାଧାରଣ ମଣିଷ କିପରି ଯନ୍ତ୍ରଣାରେ ଛଟପଟ ହୁଏ, ତା’ର ନିଚ୍ଛକ ଉଦାହରଣ ହେଉଛନ୍ତି ୨୯ ବର୍ଷୀୟା ଦିବ୍ୟାଙ୍ଗ ମହିଳା ଅମ୍ବିକା ସାହୁ। ସ୍ବାମୀଙ୍କ ମୃତ୍ୟୁ ପରେ ୮ ବର୍ଷର ପୁଅକୁ ସାଙ୍ଗରେ ଧରି ନିଜର ହକ୍‌ ପାଇଁ ଦୀର୍ଘ ୭ ବର୍ଷ ହେବ ସରକାରୀ ବାବୁମାନଙ୍କ ପାଖକୁ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ୁଛନ୍ତି। ବାବୁଙ୍କ ମଧ୍ୟରେ ଚିଠି ଦିଆନିଆ ଚାଲିଛି, କିନ୍ତୁ ଅମ୍ବିକାଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ମିଳୁନାହିଁ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ବନାଥପୁର ଗାଁର ଲକ୍ଷେଶ୍ବର ସାହୁଙ୍କ ତିନି ଝିଅ ଓ ଗୋଟିଏ ପୁଅ। ଦ୍ବିତୀୟ ଝିଅକୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ପିଲାବେଳରୁ ଦିବ୍ୟାଙ୍ଗ। କହି-ଶୁଣି ପାରନ୍ତି ନାହିଁ। ଏମାନଙ୍କ ମଧ୍ୟରେ ତୃତୀୟ ଝିଅ ହେଉଛନ୍ତି ଅମ୍ବିକା। ୨୦୧୧ ମସିହାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବୁଗୁଡ଼ା ବ୍ଲକ୍‌ର ଅରବିନ୍ଦ ନଗରର ନିରଞ୍ଜନ ସାହୁଙ୍କ ଦିବ୍ୟାଙ୍କ ପୁଅ ବଳରାମ ସାହୁଙ୍କୁ ବିବାହ କରିଥିଲେ ଅମ୍ବିକା। ଅମ୍ବିକାଙ୍କ ପରି ବଳରାମ ମଧ୍ୟ ଦିବ୍ୟାଙ୍ଗ। ତେଣୁ ଉଭୟ ପରିବାର ସହମତିରେ ବିବାହ ହୋଇଥିଲା। ୨୦୧୪ ମସିହାରେ ଅମ୍ବିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଈଶ୍ବରଙ୍କ ଆଶୀର୍ବାଦରୁ ବାପା ଓ ମା’ଙ୍କ ପରି ପୁଅର କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିଲା। ଯାହାକୁ ନେଇ ଦମ୍ପତି ବେଶ୍‌ ଖୁସିଥିଲେ। ତେବେ ଦୁର୍ଭାଗ୍ୟକୁ ୨୦୧୬ ମସିହାରେ ଅଚାନକ ବଳରାମଙ୍କ ମୃତ୍ୟୁ ହୋଇଗଲା। ସେବେଠୁ ଆରମ୍ଭ ହେଲା ଅମ୍ବିକାଙ୍କର ଯନ୍ତ୍ରଣାର ଦିନ।

ଅମ୍ବିକାଙ୍କ ଅଭିଯୋଗ ମୁତାବକ, ସ୍ବାମୀ ଚାଲିଯିବାର ଦୁଇ ଦିନ ପରେ ଚତୁର୍ଥ ଭାଇକୁ ବିବାହ କରିବାକୁ ବଡ଼ ଦେଢ଼ଶୁର ଚାପ ପକାଇଥିଲେ। କିନ୍ତୁ ଏଥିରେ ଅରାଜି ହେବାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ତେଣୁ ଅମ୍ବିକା ବାପଘରକୁ ଚାଲି ଆସିଥିଲେ। ବଳରାମ ବୁଗୁଡ଼ା ବ୍ଲକ୍‌ ମାଣିତିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲ୍ୟୁ) ଭାବରେ କାର୍ଯ୍ୟ କରୁଥିଲେ। ଚାକିରିରେ ଥିବା ସମୟରେ ବଳରାମଙ୍କ ମୃତ୍ୟୁ ହୋଇଥିବାରୁ ସମସ୍ତ ସୁବିଧା ଉତ୍ତରାଧିକାରୀ ସୂତ୍ରରେ ସ୍ତ୍ରୀ ଓ ପୁଅକୁ ମିଳିବା କଥା। କିନ୍ତୁ ଗ୍ରାଚ୍ୟୁଇଟି, ପେନ୍‌ସନ୍‌, ଇନ୍‌ସ୍ୟୁରାନ୍ସ ଇତ୍ୟାଦି କୌଣସି ଟଙ୍କା ଏପର୍ଯ୍ୟନ୍ତ ଅମ୍ବିକାଙ୍କୁ ମିଳି ନାହିଁ। ଅମ୍ବିକା ବୁଗୁଡ଼ା ତସହିଲରୁ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସମସ୍ତ ସୁବିଧା ଦେବାକୁ ନିବେଦନ କରିଥିଲେ। କିନ୍ତୁ ତତ୍‌କାଳୀନ ସିଡିଏମ୍‌ଓ ଅମ୍ବିକାଙ୍କୁ ସହଯୋଗ କରିବା ବଦଳରେ ଖରାପ ବ୍ୟବହାର କରିଥିଲେ। ଏହାପରେ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ।

ଜିଲ୍ଲାପାଳ ସିଡିଏମ୍‌ଓଙ୍କୁ ଚିଠି ଲେଖି ସମସ୍ତ ସୁବିଧା ଦେବାକୁ କହିଥିଲେ। ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କରିଥିଲେ ସିଡିଏମ୍‌ଓ। ୨୦୧୭ ମସିହାରେ ଅମ୍ବିକାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବାରୁ ସେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ସେ ଭିନ୍ନକ୍ଷମ କମିସନର, ମହିଳା କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିନ୍ନକ୍ଷମ କମିସନର ବାରମ୍ବାର ସିଡିଏମ୍‌ଓଙ୍କୁ ନୋଟିସ୍‌ ପଠାଇଥିଲେ ବି କୌଣସି ଲାଭ ହୋଇ ନଥିଲା। ଶେଷରେ ଅମ୍ବିକା ଭୁବନେଶ୍ବର ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ମାନବାଧିକାର କମିସନ ମଧ୍ୟ ବାରମ୍ବାର ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ହେଲେ ପୂର୍ବ ପରି କୌଣସି ସୁଫଳ ମିଳିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।