ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାରିଦ୍ର୍ୟରେ ‘ଦମନ’ର ଯୋଦ୍ଧା ଯମୁନାମଣି; ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି, ମୂଲ ଲାଗି ଚଳୁଛନ୍ତି

ବାଲେଶ୍ବର,(ମନୋଜ ରାଉଳ) : ମ୍ୟାଲେରିଆ ନିରାକରଣ ଅଭିଯାନକୁ ସଫଳ କରିଥିବାରୁ ୨୦୧୫ ମସିହାରେ ଯେଉଁ ଯମୁନାମଣି ସିଂଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ମନ୍‌ କି ବାତ୍‌’ରେ ପ୍ରଶଂସା କରିଥିଲେ, ସେ ଏବେ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଘର ନଥିବାରୁ ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ଏବଂ ମୂଲଲାଗି ଚଳୁଛନ୍ତି। ତାଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବାପାଇଁ ସରକାରୀ ଓ ପ୍ରଶାସନ ସ୍ତ‌ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଯେ ପୂରଣ ହୋଇନାହିଁ, ଯମୁନାମଣିଙ୍କ ଅବସ୍ଥାରୁ ଏହା ସ୍ପଷ୍ଟ ହୋଇଛି।

ଯମୁନାରାଣିଙ୍କ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ତେଣ୍ଡା ସିଆଳିଘାଟି ଗାଁରେ। ବୟସ ୩୫ ବର୍ଷ। ନବମ ଶ୍ରେଣୀ ପରେ ଆଉ ଅଧିକ ପଢ଼ି ପାରିନଥିଲେ ଯମୁନାମଣି। ସେ ଯେଉଁ ଗଁାରେ ଜନ୍ମଗ୍ରହଣ କରିଥିଲେ, ସେଠି ଚିର ସହଚର ହେଉଛି ରୋଗ। ଏଠାରେ ଡାକ୍ତରୀ ଚିକିତ୍ସା ଓ ଔଷଧ ସେବନ ଅପେକ୍ଷା ଲୋକେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ଉପରେ ଅଧିକ ଭରସା କରିଥ’ନ୍ତି । ତେବେ ଯମୁନାମଣି ଗାଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ନିରନ୍ତର କାର୍ଯ୍ୟ କରିଥା’ନ୍ତି। ଗର୍ଭବତୀ ମହିଳା ହୁଅନ୍ତୁ ଅଥବା ଜ୍ୱର କି ଝାଡ଼ାବାନ୍ତି ରୋଗୀ; ସମସ୍ତଙ୍କ ପାଖରେ ଡାକ୍ତରୀ ଚିକିତ୍ସା ପହଞ୍ଚାଇ ଦେବାପାଇଁ ଆଗଭର ହୋଇ ବାହାରିପଡ଼ନ୍ତି। ଘର ଘର ବୁଲି ସ୍ୱଚ୍ଛତା ଓ ସଚେତନତା ବାର୍ତ୍ତା ବାଣ୍ଟନ୍ତି ଓ ନିରୋଗ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦିଅନ୍ତି ଯମୁନାମଣି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ (ଦମନ)ରେ ଯମୁନାମଣିଙ୍କ ଭୂମିକାକୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଗୋଟିଏ ବର୍ଷ ଭିତରେ ସେ ତେଣ୍ଡା ଅଞ୍ଚଳର ୩୫ ଜଣ ମାଲେରିଆ ଆକ୍ରାନ୍ତଙ୍କୁ ସୁସ୍ଥ କରି ପାରିଥିଲେ। ସେ ଏବେ ବି ସରକାରଙ୍କ ‘ମିସନ ଦମନ’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରୁଥିବା କୁହନ୍ତି ଯମୁନାମଣି।
୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଶଂସା କରିବା ପ‌ରେ ଚର୍ଚ୍ଚାକୁ ଆସିଥିଲେ ଯମୁନାମଣି। ଖାଲି ସେତିକି ନୁହେଁ, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ‘ନାଇଜର’କୁ ଆସିଥିବା ବେଳେ ଯମୁନାମଣିଙ୍କୁ ଡକାଇ ତାଙ୍କ ନିଃସ୍ବାର୍ଥ ଜନସେବା ନିମନ୍ତେ ହାତଯୋଡ଼ି ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ। ଆଞ୍ଚଳିକ ଗଣମାଧ୍ୟମଠାରୁ ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ, ସମସ୍ତେ ଯମୁନାମଣିଙ୍କ ସାକ୍ଷାତକାର ନେଇଥିଲେ। ତାଙ୍କ ପାଖକକୁ ପ୍ରଶଂସାର ସୁଅ ବି ଛୁଟିଥିଲା।

ଇତିମଧ୍ୟରେ ୭ ବର୍ଷ ବିତିଗଲାଣି। ମାତ୍ର, ଯମୁନାମଣି ଏବେ ବି ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ଯମୁନାମଣି ଓ ତାଙ୍କ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ପିଉସୀଙ୍କ ଚାଳଛପର ଘରେ ନିଜ ସ୍ବାମୀ ଓ ଦୁଇ ପୁଅଝିଅଙ୍କ ସହ ଆଶ୍ରା ନେଇଛନ୍ତି ସେ। ସରକାରୀ ଓ ପ୍ରଶାସନ ସ୍ତରରେ ତାଙ୍କୁ ସାହଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଏଯାବତ୍‌ ପାଳନ କରାଯାଇନାହିଁ। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ସାଧାରଣତଃ ଗରିବ ଆଦିବାସୀ ପରିବାର ଓ ଗାଁ ପରିବେଶରେ କୌଣସି ମହିଳା କେବେ ନିଜର ଇଚ୍ଛା ରଖିଥିବା କାମ କରିବାକୁ ସ୍ୱାଧୀନତା ପାଉନ ଥିବାବେଳେ ସେ କିନ୍ତୁ ଏ କ୍ଷେତ୍ରରେ ବେଶ୍‍ ଭାଗ୍ୟବତୀ। ’ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ଉଭୟ ବାପା ଓ ସ୍ୱାମୀ ଅଧିକ ଉତ୍ସାହିତ କରୁଥିବା ସେ କହିଛନ୍ତି। ଆହୁରି ମଧ୍ୟ, ସରକାର କିମ୍ବା ପ୍ରଶାସନ ତାଙ୍କୁ ଭୁଲିଗଲେ ବି ନିଜ ଅଞ୍ଚଳବାସୀଙ୍କ ପାଇଁ ସେ ସେବା ଜାରି ରଖିବେ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।