ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାଦନରୁ ଡାକ୍ତରୀ ଛାତ୍ର: ସାହୁକାରଠାରୁ ଧାର ଆଣି କଲେଜରେ ନାଁ ଲେଖାଇଛନ୍ତି

ଭବାନୀପାଟଣା: କେରଳକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଥୁଆପାଡ଼ି ଗ୍ରାମର କୃଷ୍ଣଚନ୍ଦ୍ର ଅଟକା ଚଳିତ ବର୍ଷ ଡାକ୍ତରୀ ପାଠ ପଢ଼ିବାର ସୁ‌ଯୋଗ ପାଇଛନ୍ତି। କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସେ ନାମ ଲେଖାଇବା ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରକାଶ ଯେ, ଥୁଆପାଡ଼ି ଗ୍ରାମର କୃଷ୍ଣଚନ୍ଦ୍ର ଅଟକା ୨୦୦୬ରେ ଅମ୍ବାଦୋଲା ସରକାରୀ ହାଇସ୍କୁଲରେ ମାଟ୍ରିକ ପାସ୍‌ କରିଥିଲେ। ୨୦୦୮ରେ ବ୍ରହ୍ମପୁର ଖଲିକୋଟ ଜୁନିୟର ସାଇନ୍ସ କଲେଜରୁ ଯୁକ୍ତଦୁଇ ପାସ୍‌ କରିଥିଲେ। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ୨୦୧୨ରେ କେରଳ ରାଜ୍ୟର ପେରାମ୍ବୁର ନିକଟ ଆଲୁଆକୁ ଯାଇ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ପରେ କଟାୟମଠାରେ ଦିଆସିଲି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ।

ସେ ୨୦୧୮ରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ ହେମ୍ବରୁ ଗ୍ରାମର ମିଥିଳାଙ୍କୁ ବିବାହ କରିଥିଲେ। ତାଙ୍କ ସାଢ଼େ ୩ ବର୍ଷର ଝିଅ ଫ୍ଲୋରିନା ଓ ଦେଢ଼ ବର୍ଷର ପୁଅ ଜୟପ୍ରିତ ଅଛନ୍ତି। ତାଙ୍କ ବାପା ବୈଦ ଅଟାକାଙ୍କ ୧ ଏକର ୭୦ ଡିସିମିଲ ଜମି ଅଛି। ପରିବାର ପ୍ରତିପୋଷଣରେ ବହୁ ଅସୁବିଧା ଦେଖାଦେବାରୁ ଡାକ୍ତରୀ ପଢ଼ିବା ପାଇଁ କୃଷ୍ଣଚନ୍ଦ୍ରଙ୍କ ପାଇଁ ବହୁ କଷ୍ଟ ହୋଇଥିଲା। ତଥାପି ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ଡାକ୍ତରୀ ନାମଲେଖା ପାଇଁ ରାଜ୍ୟ ମେଧା ତାଲିକାର ୩୯୦୨ ରୢାଙ୍କରେ ତାଙ୍କ ନାମ ଆସିଥିଲା। ଏବେ ସେ କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ସରକାରୀ ମେଡ଼ିକାଲ କଲେଜରେ ରାଜ୍ୟ କୋଟାରେ ନାଁ ଲେଖାଇଛନ୍ତି। ଡାକ୍ତର ହୋଇ ଗରିବ ଓ ଆଦିବାସୀଙ୍କ ମାଗଣା ଚିକିତ୍ସା କରିବା ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳତା ଆଣି ଦେଇଛି ବୋଲି ସେ କହିଛନ୍ତି।
ନିଜ ଅଞ୍ଚଳର ଗରିବ ଲୋକ ଅର୍ଥର ଅଭାବ ଯୋଗୁଁ ଆବଶ୍ୟକ ଚିକିତ୍ସା ସୁବିଧା ପାଇ ପାରୁନଥିବା ଯୋଗୁଁ ତାଙ୍କୁ ବିଚଳିତ କରିଛି। ସେ ଗାଁ ସାହୁକାର ନୀଳମାଧବ ହିକକାଙ୍କଠାରୁ ୩୭ ହଜାର ୯୦୦ ଟଙ୍କା ଧାର ଆଣି ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖାଇଛନ୍ତି। ବର୍ତ୍ତମାନ ହଷ୍ଟେଲ ପାଇଁ ୨୫ ହଜାର ଟଙ୍କା ଦରକାର ଥିବାରୁ ତାହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାହୁକାରଠାରୁ ଧାର ଆଣି ଡାକ୍ତରୀ ପଢ଼ିବାକୁ ଆସିଥିବା ବେଳେ ବିନା ସୁଧରେ ଟଙ୍କା ଫେରସ୍ତ ପାଇଁ ସେ ରାଜି ହୋଇଥିବା କହିଛନ୍ତି। ତାଙ୍କର ୪ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଗୋଟିଏ ପଟେ ଅର୍ଥର ଅଭାବ ରହିଥିବା ବେଳେ ଅନ୍ୟପଟେ ଡାକ୍ତରୀ ପଢ଼ିବା ଦୃଢ଼ ଇଚ୍ଛାଶକ୍ତି ତାଙ୍କ ପାଇଁ ଚ୍ୟାଲେଞ୍ଜ ସାଜିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।