ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ଦନେୱାଡାର ଅରନପୁର ଠାରେ ହୋଇଥିବା ମାଓ ଆକ୍ରମଣ କରିଥିବା ମାମଲାରେ ପୁଲିସ ୭ ଜଣକୁ ଗିରଫ କରିଛି। ୭ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ସେମାନଙ୍କୁ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି। ୪ ଜଣ ମାଓବାଦୀ ହେଲେ ପେଡକା ଗ୍ରାମର ବୁଧରା ମାଡବୀ, ହିଡମା ମଡକାମ, ହିଡମା ମାଡବୀ ଓ ତନେଲୀ ଗ୍ରାମର ଜିତେନ୍ଦ୍ର ମୁଚାକୀ। ଏହି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ ଅରନପୁର ଠାରେ ଆଇଇଡି ବିସ୍ପୋରଣରେ ୧୦ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭର ମୃତ୍ୟୁବରଣ କରିଥିଲେ। ଏନେଇ ଅରନପୁର ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିଲା। ଏଥିସହ ମାଓ ଆକ୍ରମଣରେ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଥିଲା। ଏହାପରେ ଅରନପୁର ପୁଲିସ ତିନି ଦିନ ଭିତରେ ୭ ଜଣ ମାଓବାଦୀକୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ଅଭିଯୁକ୍ତ ମାଓବାଦୀମାନେ ଦରଭା ଡିଭିଜନର ମଲାଙ୍ଗିର ଏରିଆ କମିଟିରେ ମିଲେସିଆ ସଦସ୍ୟ ଭାବେ ସକ୍ରିୟ ରହିଥିଲେ। ଧରପଡିଥିବା ଅଭିଯୁକ୍ତକୁ ପଚରାଉଚୁରା କରାଯାଇଥିବା ବେଳେ ସେମାନଙ୍କ ମିଳିଥିବା ତଥ୍ୟ ଅନୁଯାୟୀ ତଦନ୍ତ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଦନ୍ତେୱାଡା ଏସ୍ପି ସୂଚନା ଦେଇଛନ୍ତି।