ସିଓଲ ୧୭।୮: ଓମିକ୍ରନ ସଂକ୍ରମଣ ମଧ୍ୟରେ ଦକ୍ଷିଣ କୋରିଆରେ କୋଭିଡ-୧୯ ପରିସ୍ଥିତି ଏବେ ସଙ୍ଗିନ ହୋଇପଡିଛି। ଗୁରୁବାର ଦେଶରେ ଗୋଟିଏ ଦିନରେ ୬ ଲକ୍ଷ ନୂଆ କୋଭିଡ ଚିହ୍ନଟ ହେବା ପରେ ପରିସ୍ଥିତି ଜଟିଳ ହୋଇପଡିଛି। ଦକ୍ଷିଣ କୋରିଆ ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ଏଜେନ୍ସୀ ଗୋଟିଏ ଦିନରେ ଦେଶରେ ୬ଲକ୍ଷ ୨୧ ହଜାର ୩୨୧ ନୂଆ ମାମଲା ଚିହ୍ନଟ କରିଥିବା ଗୁରୁବାର କହିଛନ୍ତି। ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି।

ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ଏବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମସ୍ତ ଆକଳନକୁ ପାର କରିଯାଇଛି। ଗତ ମଙ୍ଗଳବାର ଦକ୍ଷିଣ କୋରିଆ ଲାଗି ଏକ ଘାତକ ଦିନ ଥିଲା। ଏହି ଦିନ ଦେଶରେ କରୋନା ଯୋଗୁ ସର୍ବାଧିକ ୨୯୩ ଜଣ ପ୍ରାଣ ହରାଇଥିଲେ। ମଧ୍ୟ ମାର୍ଚ୍ଚ ବେଳକୁ ଦେଶରେ କରୋନା ସଂକ୍ରମଣର ପିକ୍ ରେ ଥିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଏହିସମୟରେ ଦୈନିକ ସଂକ୍ରମଣ ପାଖାପାଖି ୧ ଲକ୍ଷ ୪୦ ହଜାରରୁ ୨ଲକ୍ଷ ୭୦ ହଜାରକୁ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଅନୁମାନ କରିଥିଲେ। ତେବେ ୬ ଲକ୍ଷ ୨୧ ହଜାରରେ ପହଞ୍ଚିବ ତାହା କେହି କଳ୍ପନା ବି କରିନଥିଲେ।

ତେବେ ଦେଶରେ କରୋନା ସଂକ୍ରମଣ ବଢ଼ିବଢ଼ି ଚାଲିଥିଲେ ବି ସରକାର ଏପର୍ଯ୍ୟନ୍ତ କଟକଣା ନେଇ ବିଚାର ମଧ୍ୟ କରୁ ନାହାନ୍ତି। ସଂକ୍ରମଣ ମାଡି ମାଡି ଚାଲିଥିବା ବେଳେ କାର୍ଯ୍ୟାଳୟ, ବ୍ୟବସାୟ ବାଣିଜ୍ୟ ସ୍ୱଭାବିକ ଚାଲିଛି। ଦେଶରେ ଯାହାବି କଟକଣା ଅଛି ତାକୁ ମଧ୍ୟ ସରକାର ଆଗାମୀ ଦିନରେ ପ୍ରତ୍ୟାହାର କରିନେବାକୁ ଏବେ ବିଚାର କରୁଥିବା ଜଣାପଡିଛି। ଏବେ ଦେଶରେ କେବଳ ଘରୋଇ ସମାରୋହ ମାନଙ୍କରେ ଲୋକଙ୍କ ସଂଖ୍ୟା ନେଇ କଟକଣା ରହିଛି। ତେବେ ଏହା ମଧ୍ୟ ପ୍ରତ୍ୟାହାର ହେବ ବୋଲି କୁହାଯାଉଛି। ହେଲେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ରହିଛି ଓ ରହିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।