ରାଜ୍ୟ ସ୍ପେଶାଲ ରିପୋର୍ଟ

ଥାନାରେ ସିସି କ୍ୟାମେରା: ୯୬ କୋଟି ଖର୍ଚ୍ଚ, ୬୬ ପ୍ରତିଶତ ଅଚଳ

କଟକ,(ଚିରଂଜୀବ କର): ରାଜ୍ୟର ୫୯୧ ଥାନାରେ ସିସି କ୍ୟାମେରା ଲଗାଇବାକୁ ଗଲା ୩ ବର୍ଷରେ ଖର୍ଚ୍ଚ ହୋଇଛି ୯୬ କୋଟି ୬୬ ଲକ୍ଷ ୧୫ ହଜାର ଟଙ୍କା। କିନ୍ତୁ, ୧୯ଟି ପୁଲିସ ଜିଲ୍ଲାର ଥାନାରେ ଲାଗିଥିବା କ୍ୟାମେରା ମଧ୍ୟରୁ ୬୬ ପ୍ରତିଶତ କ୍ୟାମେରା ଅଚଳ ହୋଇପଡ଼ିଛି। ଅବଶିଷ୍ଟ ୧୫ ପୁଲିସ ଜିଲ୍ଲା ଓ କ୍ରାଇମବ୍ରାଞ୍ଚ ସମ୍ପର୍କରେ ଓଡ଼ିଶା ପୁଲିସ ବିଭାଗ ପାଖରେ ହୁଏତ ସବିଶେଷ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ମିଳିଥିବା ବେଳେ ସିସି କ୍ୟାମେରା ପାଇଁ ​ହୋଇଥିବା ଖର୍ଚ୍ଚରେ ଏକ ବଡ଼ ଦୁର୍ନୀତିର ଗନ୍ଧ ଅନୁଭବ ହେଉଛି।

ରାଜ୍ୟର ସବୁ ଥାନାର କାର୍ଯ୍ୟକଳାପରେ ସ୍ବଚ୍ଛତା ଆଣିବା ପାଇଁ ସିସି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ଓଡ଼ିଶାର ପ୍ରତ୍ୟେକ ଥାନାରେ ସିସି କ୍ୟାମେରା ଲଗାଇବାକୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ମାଧ୍ୟମରେ କ୍ରିଷ୍ଟାଲ୍ ଇଣ୍ଟିଗ୍ରେଟେଡ୍ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍‌କୁ ସ୍ବୀକୃତି ମିଳିଥିଲା।

Representational ( DNA)

ସୂଚନା ଅଧିକାର ଆଇନ ବଳରେ ଲୋଡ଼ାଯାଇଥିବା ତଥ୍ୟରୁ ଯେଉଁ ସୂଚନା ସାମ୍‌ନାକୁ ଆସିଛି ତାହା ଚକିତ କରିଦେଲା ଭଳି। ଥାନାରେ ସିସି କ୍ୟାମେରା ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ଓ ୨୦୨୧-୨୨ ବର୍ଷରେ ୪୬ କୋଟି ୬୬ ଲକ୍ଷ ୧୫ ହଜାର ଟଙ୍କା(୨୦୨୧ ଅଗଷ୍ଟ ୨୩ ତାରିଖରେ ୩ କୋଟି ୪୨ ଲକ୍ଷ ୧୫ ହଜାର ଟଙ୍କା ଓ ୨୦୨୨ ଫେବ୍ରୁଆରି ୨ ତାରିଖରେ ୪୩ କୋଟି ୨୪ ଲକ୍ଷ ଟଙ୍କା) ଦିଆଯାଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର(ଓସିଏସି)ର ମୁଖ୍ୟ ନିର୍ବାହୀଯନ୍ତ୍ରୀଙ୍କୁ ଏହି ଟଙ୍କା ଦିଆଯାଇଛି। ପରେ ଏହି ଟଙ୍କା କ୍ରିଷ୍ଟାଲ୍ ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡକୁ କ୍ୟାମେରା ଲଗାଇବାକୁ ଓସିଏସି ପକ୍ଷରୁ ଦିଆଯାଇଥିବା ସୂଚନା ଅଧିକାର ତଥ୍ୟ କହୁଛି।

ପୁଲିସ ମୁଖ୍ୟାଳୟ ପକ୍ଷରୁ କ୍ୟାମେରା ଲାଗିଥିବା ସଂସ୍ଥା ସହିତ ଯେଉଁ ଚୁକ୍ତି ହୋଇଛି, ଏଥିରେ ଉଲ୍ଲେଖ ରହିଛି ଯେ ସଂସ୍ଥା ସିସି କ୍ୟାମେରା ଲଗାଇବା ସହିତ ରକ୍ଷଣାବେକ୍ଷଣ ଓ ତାହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ନେବ। ସିସିଟିଭି ସହିତ ଜଡ଼ିତ ସମସ୍ତ ପ୍ରକାର ସାମଗ୍ରୀ ସଂସ୍ଥା ଯୋଗାଇବ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ କ୍ୟାମେରା ଲଗାଇଥିବା ସଂସ୍ଥା ୩୬୫ ଦିନ ପାଇଁ ଡାଟା ଯେଭଳି ସଂରକ୍ଷିତ ରହିପାରିବ, ତାହା ନିଶ୍ଚିତ କରିବ। ଏହି ଡାଟାକୁ ତଦନ୍ତ ଓ ପ୍ରମାଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ସଂସ୍ଥା ଯୋଗାଇଥିବା ସମସ୍ତ ସାମଗ୍ରୀ କାର୍ଯ୍ୟକାରୀ ହେବାର ପ୍ରଥମ ତିନିବର୍ଷ ଅନ୍ ସାଇଟ୍ ଵାରେଣ୍ଟି ପ୍ରଦାନ କରିବ। ପରେ ଚତୁର୍ଥ ଓ ପଞ୍ଚମ ବର୍ଷ ପାଇଁ ବାର୍ଷିକ ମରାମତି ସହାୟତା (ଏଏମସି) ଯୋଗାଇ ଦେବ। ସିସି କ୍ୟାମେରା ଲାଗିବାର ୩୬ ମାସ(ତିନି ବର୍ଷ) ଭିତରେ ଯେଭଳି ତାହା ଅଚଳ ନ ହେବ, ତାହା ବି ନିଶ୍ଚିତ କରାଯିବ।

କିନ୍ତୁ ତଥ୍ୟ ଅନୁଯାୟୀ, ୧୯ଟି ପୁଲିସ ଜିଲ୍ଲାର ୨୯୪ଟି ଥାନାରେ ୭ ହଜାର ୫୬୦ କ୍ୟାମେରା ଲାଗିବା କଥା। ବର୍ତ୍ତମାନ ୫ ହଜାର ୪୪୯ଟି କ୍ୟାମେରା ଲାଗିଥିବା ବେଳେ ସେଥିରୁ ୨ ହଜାର ୮୧୫ଟି କ୍ୟାମେରା ଅଚଳ ହୋଇପଡ଼ିଛି। ୭ ହଜାର ୫୬୦ଟି କ୍ୟାମେରା କାର୍ଯ୍ୟ କରିବା ବଦଳରେ ୨ ହଜାର ୬୩୪ଟି କ୍ୟାମେରା କାର୍ଯ୍ୟ କରୁଛି। ଥାନାରେ ଲାଗିଥିବା କ୍ୟାମେରାରେ କେଉଁଠି ବ୍ୟାଟେରି ବ୍ୟାକଅପ୍ ରଖୁନାହିଁ ତ ଆଉ କେଉଁଠି କ୍ୟାମେରାର ଭିଡିଓ ଓ ଅଡ଼ିଓ ଠିକ ଢଙ୍ଗରେ ରେକର୍ଡ ହେଉନାହିଁ। ଅନେକ ସ୍ଥାନରେ ସିସିଟିଭି ପାଇଁ ଲାଗିଥିବା ମନିଟର, ଏନଭିଆର ବି କାମ କରୁନାହିଁ। ଡାଟା ସାଇତି ରଖିବାର ବ୍ୟବସ୍ଥା ନାହିଁ। ଏଭଳି ଚୁକ୍ତି ଓଡ଼ିଶା ପୁଲିସ ସହିତ ସଂସ୍ଥାର ଥିବା ବେଳେ ଏହାର କାର୍ଯ୍ୟାକାରିତାକୁ ନେଇ ପ୍ରଶ୍ନ ଉଠିଛି। ସିସି କ୍ୟାମେରା ଲାଗିବା ପଛରେ ଅନିୟମିତା ହୋଇ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ରାଜ୍ୟରେ ଥାନା ମାନଙ୍କରେ ଲାଗିଥିବା ସିସି କ୍ୟାମେରାର ସ୍ଥିତିକୁ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ପୂର୍ବରୁ ‘ସମ୍ବାଦ’ରେ ମାର୍ଚ୍ଚ ୨୯ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ଏ ସଂକ୍ରାନ୍ତରେ ଦ୍ବିତୀୟ ପର୍ଯ୍ୟାୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଲୋ​ଡା ଯାଇଥିଲା। ପୁଲିସ ମୁଖ୍ୟାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ମୋଟ ଖର୍ଚ୍ଚ ପରିମାଣ ଓ ସଂସ୍ଥା ସହ ହୋଇଥିବା ଚୁକ୍ତି ସଂପର୍କରେ ଏଭଳି ତଥ୍ୟ ପ୍ରଦାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।