ନୂଆଦିଲ୍ଲୀ, ୨୭।୦୪: ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୧ ପ୍ରତିଯୋଗିତାରେ ଚମକିଛନ୍ତି ଭାରତର ତୀରନ୍ଦାଜୀ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ। ଗୁଆଟେମାଲାରେ ଆୟୋଜିତ ରିକର୍ଭ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ଉଭୟ ଖେଳାଳି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ଏହି ପ୍ରଦର୍ଶନ ବଳରେ ଦୀପିକା ଓ ଅତନୁ ତୀରନ୍ଦାଜୀ ବିଶ୍ୱକପ୍ ଫାଇନାଲ୍କୁ ଯୋଗ୍ୟତା ହାସଲ କରିଛନ୍ତି।
ଏଥିସହ ଭାରତ ମୋଟ ୪ଟି ପଦକ ସହ ଅଭିଯାନ ଶେଷ କରିଛି। ସେଥିମଧ୍ୟରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି। ବିଶ୍ୱକପ୍ରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ।ପୂର୍ବତନ ଏକନମ୍ବର ତୀରନ୍ଦାଜ ଦୀପିକା ବେଶ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣ ଥିଲା। ଗତ ରବିବାର ଭାରତୀୟ ମହିଳା ରିକର୍ଭ ଦଳ ସ୍ୱର୍ଣ୍ଣ ପ୍ରଥମ ପଦକ ହାସଲ କରିଥିଲେ। ଦଳର ଏହି ସଫଳତାରେ ଦୀପିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ବିଶ୍ୱକପ୍ରେ କ୍ୟାରିୟରର ତୃତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୧୨ (ଅଣ୍ଟାଲ୍ୟ) ଏବଂ ୨୦୧୮ (ସଲ୍ଟ ଲେକ୍ ସିଟି) ପ୍ରତିଯୋଗିତାରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ।
ବିଶ୍ୱକପ୍ରେ ଏହା ଦୀପିକାଙ୍କ ସପ୍ତମ ସ୍ୱର୍ଣ୍ଣ (ଟିମ୍ ଇଭେଣ୍ଟରେ ୪ଟି) ପଦକ। ଅନ୍ୟ ପଟରେ ଅତନୁ ବିଶ୍ୱକପ୍ରେ ପ୍ରଥମ ସ୍ୱର୍ଣ୍ଣ ହାତେଇବାରେ ସଫଳ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଏହା ତାଙ୍କର ଦ୍ୱିତୀୟ ପଦକ। ପୂର୍ବରୁ ସେ ଅଙ୍କିତା ଭକତ୍ଙ୍କୁ ସାଥି କରି ରିକର୍ଭ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ।ଦୀପିକା ପ୍ରଥମେ ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ମଇଦାନକୁ ଓହ୍ଲାଇଥିଲେ। ଫାଇନାଲ୍ରେ ସେ ସୁଟ୍ ଅଫ୍ରେ ଆମେରିକାର ମ୍ୟାକେଞ୍ଜି ବ୍ରାଉନ୍ଙ୍କୁ ୬-୫ (୯-୯)ରେ ପରାସ୍ତ କରିଥିଲେ। ଏହି ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଥିରେ ଦୀପିକା ଅସୀମ ଧୈର୍ଯ୍ୟର ନମୁନା ପ୍ରଦର୍ଶିତ କରିଥିଲେ।
ପୂର୍ବରୁ ସେ ସେମି ଫାଇନାଲ୍ରେ ମେକ୍ସିକୋର ଆଲେଜାଣ୍ଡ୍ରା ଭାଲେନ୍ସିଆଙ୍କୁ ୭-୩ରେ ହରାଇ ସ୍ୱର୍ଣ୍ଣ ରାଉଣ୍ଡରେ ପ୍ରବେଶ କରିଥିଲେ। ଏହାପରେ ଅତନୁଙ୍କ ପାଳି ପଡ଼ିଥିଲା। ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟ ଫାଇନାଲ୍ରେ ସ୍ପେନ୍ର ନବାଗତ ଡାନିଏଲ୍ କାଷ୍ଟ୍ରୋଙ୍କୁ ୬-୪ରେ ହରାଇ ଅତନୁ କ୍ୟାରିୟରର ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣ ହାସଲ କରିଥିଲେ। ୨୦୧୬ ଅଣ୍ଟାଲ୍ୟ ବିଶ୍ୱକପ୍ରେ ସେ ବ୍ୟକ୍ତିଗତ ବର୍ଗରେ ଚତୁର୍ଥ ସ୍ଥାନରେ ରହିଥିଲେ। ବ୍ରୋଞ୍ଜ ପ୍ଲେ-ଅଫ୍ ରାଉଣ୍ଡରେ କିମ୍ ଓଜିନ୍ଙ୍କ ନିକଟରୁ ହାରି ଯାଇଥିଲେ।