ରାଜ୍ୟ ସ୍ପେଶାଲ ରିପୋର୍ଟ

ତଳସରାରେ ଗଜାଧରଙ୍କ ଉତ୍ତରାଧିକାରୀ ଖୋଜା

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ୧୯୬୧ରେ ଗଠିତ ତଳସରା ବିଧାନସଭା କ୍ଷେତ୍ର ଗଣତନ୍ତ୍ର ପରିଷଦ ପରେ କଂଗ୍ରେସର ଅଭେଦ୍ୟ ଗଡ଼ ହୋଇ ରହିଥିଲା। ଏଠାରେ ବର୍ତ୍ତମାନ ସୁଦ୍ଧା ୧୪ ଥର ନିର୍ବାଚନ ହୋଇଥିବାବେଳେ ସର୍ବାଧିକ ୯ ଥର କଂଗ୍ରେସ ବିଜୟୀ ହୋଇଛି। ୧୯୭୪ରେ କଂଗ୍ରେସର ପ୍ରେମାନନ୍ଦ କାଲୋଙ୍କ ବିଜୟ ପରେ ଦଳର ଜଣେ ଜନପ୍ରିୟ ବିଧାୟକ ଭାବେ ସ୍ବର୍ଗତ ଗଜାଧର ମାଝୀ ଏଠାରୁ ୫ ଥର ନିର୍ବାଚିତ ହୋଇଥିଲେ। ୨୦୦୬ ମେ ୨୫ରେ ଗଜାଧରଙ୍କ ଦେହାନ୍ତ ପରେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଡ. ପ୍ରଫୁଲ୍ଲ ମାଝୀ ୨୦୦୬ ଉପନିର୍ବାଚନ ପରଠୁ ଲଗାତର ୩ ଥର ନିର୍ବାଚିତ ହୋଇଥିଲେ। ୨୦୧୯ରେ କଂଗ୍ରେସର ଗଡ଼ ଭୁଶୁଡ଼ି ପଡ଼ିଥିଲା। ପ୍ରଥମ ଥର ପାଇଁ ଏଠାରେ ବିଜେପି ଖାତା ଖୋଲିଥିଲା। ପ୍ରଫୁଲ୍ଲଙ୍କୁ ବିଜେପିର ଭବାନୀ ଭୋଇ ପରାଜିତ କରିଥିଲେ। ହ୍ୟାଟ୍ରିକ ମାରିଥିବା ଟାଣୁଆ ଆଦିବାସୀ ନେତା ଡ. ମାଝୀ କଂଗ୍ରେସର ଗୋଡ଼ଟଣା ନୀତି ଯୋଗୁ ପରାଜୟର ମୁହଁ ଦେଖିଥିବା ଅଭିଯୋଗ ଆଣି ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ। ପ୍ରଫୁଲ୍ଲ ଯିବା ପରେ ତଳସରାରେ କଂଗ୍ରେସ ଏକ ପ୍ରକାର ଦୋହଲି ଯାଇଥିଲା।

ଏ ସ୍ଥିତିରେ ଗଜାଧରଙ୍କ ପାରମ୍ପରିକ (ଲିଗାସି) ଉତ୍ତରାଧିକାରୀ କିଏ ହେବ, କିଏ ଧରିବ ଦଳର ମଙ୍ଗ, ଏ ପ୍ରଶ୍ନ ସାଧାରଣ ମତଦାତାଙ୍କ ମନରେ ଗୁଡ଼େଇତୁଡ଼େଇ ହେଉଥିବା ବେଳେ କଂଗ୍ରେସ ସମ୍ମୁଖରେ ବଡ଼ ଆହ୍ବାନ ଛିଡ଼ା କରିଛି। ଏ ଆହ୍ବାନର ମୁକାବିଲା ପାଇଁ ଦଳ ଅଣ୍ଟା ଭିଡ଼ିଛି। ଭୁଶୁଡ଼ି ପଡ଼ିଥିବା ୪୪ ବର୍ଷର ଅଭେଦ୍ୟ ଦୁର୍ଗକୁ ପୁଣିଥରେ ଠିଆ କରିବାକୁ ରଣନୀତି ତିଆରି କରିଛି। କଂଗ୍ରେସରେ ହକିଇଣ୍ଡିଆର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ଯୋଗଦାନ ଦଳ‌ରେ ନୂଆ ଉତ୍ସାହ ଭରିଛି। ପୂର୍ବତନ ଯୁବକଂଗ୍ରସ ଜିଲ୍ଲା ସଭାପତି ତଥା ଜଙ୍ଗଲ ଜମି ଅଧିକାର ମଞ୍ଚ ନେତା ଆଲବର୍ଟ କିଣ୍ଡୋ, ପୂର୍ବତନ ଲୋକସଭା ସଦସ୍ୟ ମୋରିସ କୁଜୁରଙ୍କ ପୁତ୍ରବଧୂ ଅନିମା ମିଞ୍ଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସାନଝିଅ ତଥା ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ବିଧାନସଭା ପାଇଁ ଲଢ଼ିଥିବା ଅମିତା ବିଶ୍ବାଳ, ନାରୀନେତ୍ରୀ ‌ଗେରୋଟି ଖେସଙ୍କ ନାମ ସାମ୍ନାକୁ ଆସିଛି।

ଏହାଛଡ଼ା ଅବସରପ୍ରାପ୍ତ ବାଣିଜ୍ୟକର ବିଭାଗ ନିର୍ଦ୍ଦେଶକ ଆନ୍ଥୋନି କୁଲୁ, ହକି ଖେଳାଳି ଇଲିୟାସ ତିର୍କୀ, ଅବସରପ୍ରାପ୍ତ ଆୟକର ବିଭାଗ ଅଧିକାରୀ ଗୋବିନ୍ଦ ଭୋଇ, ଦେବେନ୍ଦ୍ର ଭିତିରିଆ, ସୁନୀଲ କିଷାନ, ପ୍ରଦୀପ ମିଞ୍ଜଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ତଳସରା ବିଧାନସଭା ବିଜେଡି ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋଙ୍କ ନିଜ କ୍ଷେତ୍ର। ଯଦିଓ ଶ୍ରୀ ଟପ୍ପୋ ଗତ ୨୦୧୪ ନିର୍ବାଚନରେ ପରାଜୟର ମୁହଁ ଦେଖିଥିଲେ ଏବଂ ପରବର୍ତ୍ତୀ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକଟ ନଦେଇ ଏକ ନୂଆ ମୁହଁକୁ ପ୍ରାର୍ଥୀ କରି ପୁଣି ପରାଜିତ ହୋଇଥିଲା, ତଥାପି ଏଯାଏ ବିନୟଙ୍କ ଉପରେ ଦଳର ଆସ୍ଥା ଅତୁଟ ରହିଛି। ତଳସରାର ପ୍ରଥମ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ବଡ଼ପୁଅ ବଡ଼ଗାଁ ଜିଲ୍ଲା ପରିଷଦ ସଭ୍ୟ ଅମିୟ କୁମାର ପ୍ରଧାନ, ୨୦୧୯ର ବିଧାୟକ ପ୍ରାର୍ଥୀ ଷ୍ଟିଫେନ ସୋରେଙ୍ଗ, ପୂର୍ବତନ ବିଧାୟକ ରଂଜିତ ଭିତିରିଆ, ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ଏକ୍କା ଆଶାୟୀ ଥିବାରୁ ପ୍ରାର୍ଥିତ୍ବକୁ ନେଇ ଦଳର ଅନ୍ତଃକନ୍ଦଳ ଆହୁରି ତୀବ୍ର ହେବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।