କଟକ: ବାଲିଯାତ୍ରା ପଡିଆରେ ଫାଙ୍କା ପଡିଛି ଦେଢଶହ ଷ୍ଟଲ୍। କେଉଁ ଷ୍ଟଲକୁ ନେବା ପାଇଁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି ତ କିଏ ଷ୍ଟଲ୍ ନେଇ ବି ଖୋଲି ନାହାନ୍ତି। ଏଭଳି ସ୍ଥିତିରେ ବାଲିଯାତ୍ରାର ତୃତୀୟ ଦିନରେ ଯାତ୍ରା ଜମି ଯିବ ବୋଲି ଯାହା ଆଶା କରାଯାଉଥିଲା, ତାହା ହୋଇ ନାହିଁ। କିନ୍ତୁ ପୁଲିସର ତଥ୍ୟ ଅନୁଯାୟୀ ପ୍ରଥମ ଦୁଇ ଦିନରେ ହାରାହାରି ଭାବେ ୩ଲକ୍ଷ ଲୋକଙ୍କ ଦିନସାରା ସମାଗମ ହୋଇଥିବା ବେଳେ ଆଜି ପାଖାପାଖି ୫ ଲକ୍ଷ ଲୋକଙ୍କ ସମାଗମ ସାରା ଦିନ ଭିତରେ ହୋଇଛି।
ବାଲିଯାତ୍ରାରେ ୧୪୦୦ ଷ୍ଟଲ୍ କରାଯାଇଥିବାବେଳେ ସେଥିରୁ କେବଳ ସରକାରୀ ଷ୍ଟଲ୍ ସଂଖ୍ୟା ହେଉଛି ୧୫୦। ଏଯାଏ ତଳ ବାଲିଯାତ୍ରା ପଡିଆର ଓରମାସ୍, କଟକ-ଇନ୍-କଟକ, ଦୋଳି, ଫିସ୍ ଟନେଲରେ ଭିଡ ଜମୁଥିବା ବେଳେ ଉପର ପଡ଼ିଆ କିନ୍ତୁ ଫାଙ୍କା ରହୁଛି। ଅନ୍ୟପଟେ ବାଲିଯାତ୍ରାର ପଥୋତ୍ସବ କାର୍ଯ୍ୟକ୍ରମରେ ଏଯାଏ ଜିଲ୍ଲାପାଳ ସାମିଲ ହୋଇ ନଥିବାରୁ ସେଥିରେ ବି ଅଧିକାରୀମାନଙ୍କ ସଂପୃକ୍ତି ଢିଲା ପଡି ଯାଉଥିବା କୁହାଯାଉଛି।