ରାଜ୍ୟ

ଡ୍ରେନ୍‌ ପାଇପ୍‌ରେ ଚାପି ହୋଇଗଲେ ଛାତ୍ରୀ: ଛଟପଟ ହୋଇ ଜୀବନ ଗଲା

କଟକ: କଟକରେ ଉନ୍ନୟନ ଆଳରେ ଚାଲିଥିବା ବେପରୱା କାମ ଯୋଗୁଁ ଆଉ ଏକ ଅମୂଲ୍ୟ ଜୀବନ ଅକାଳରେ ଚାଲି ଯାଇଛି। ଗତକାଲି ବିନା ସୁରକ୍ଷାରେ ଚାଲିଥିବା ତାଳଦଣ୍ଡା କେନାଲ କାମରେ ଫସି କାର୍‌ ଚଳାଇ ଯାଉଥିବା ଜଣେ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଆଜି କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ‌ହୋଇ ଜଣେ ୧୭ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ବିକଳ୍ପ ବ୍ୟବସ୍ଥା ନଥିବାରୁ ସହଜରେ ରାସ୍ତା ପାର ହେବା ପାଇଁ ଗହ୍ମାଡିଆଠାରେ ଏକ ପାଣି ପାଇପ ତଳେ ଛାତ୍ରୀ ଜଣକ ଗଳିକି ଯାଉଥିବା ବେଳେ ବିପଦସଙ୍କୁଳ ସ୍ଥିତିରେ ଥିବା ଗୋଟିଏ ପାଇପ ତାଙ୍କ ଅଣ୍ଟା ଉପରେ ପଡି ଯାଇଥିଲା। ସେଠାରେ କ୍ରେନ୍ ଓ ଜେସିବି ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଏସ୍‌ସିବି ଓ ପରେ ସିଡିଏର ଅଶ୍ବିନୀ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ୨୪ ଘଣ୍ଟାରୁ କମ ସମୟ ବ୍ୟବଧାନରେ କଟକରେ ଏଭଳି ଦୁଇ ଦୁଇଟି ଘଟଣା ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଆସନ୍ତାକାଲି ଏହି ଘଟଣାକୁ ନେଇ ସେଠାରେ ରାସ୍ତାରୋକ କରାଯିବ ବୋଲି ସୂଚନା ରହିଛି। କେଶରପୁର ପୋଲ ନିକଟରେ ବକ୍ସ ଡ୍ରେନ୍‌ କାମ ଚାଲିଥିବା ବେଳେ ସେଠାରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ୩ଟି ପାଇପକୁ ବ୍ୟବହାର କରାଯାଉଥିଲା। କିନ୍ତୁ ବକ୍ସ ଡ୍ରେନ୍ ନିର୍ମାଣ କାମରେ ନିୟୋଜିତ ଠିକା ସଂସ୍ଥା ସଂପୂର୍ଣ୍ଣ ବେପରୱା ଭାବେ ୪୦ ଫୁଟରୁ ଅଧିକ ଲମ୍ବର ପାଣି ପାଇପକୁ ଏକ ଭଙ୍ଗା କାନ୍ଥ ଉପରେ ରଖିଥିଲା। ଇମର୍ତ୍ତିଦେବୀ ମହିଳା କଲେଜ‌ର ଯୁକ୍ତ ଦୁଇରେ ପଢୁଥିବା ନୂଆ ରାଉସାପାଟଣାର କ୍ରିଷ୍ଣା ଦାସ ଓ ହେମ ଦାସଙ୍କ ଝିଅ ଏନ୍‌. ମଇନୀ ଦାସ ସେହି ବାଟ ଦେଇ ଯାଉଥିବା ବେଳେ ଅଘଟଣର ଶିକାର
ହୋଇଥିଲେ। କେଶରପୁର ପୋଲରୁ ବଜ୍ରକବାଟୀ ରୋଡ ପର୍ଯ୍ୟନ୍ତ ବକ୍ସ ଡ୍ରେନ୍ ନିର୍ମାଣ ଚାରି ବର୍ଷରୁ ଅଧିକ ହେଲାଣି ଏଭଳି ସ୍ଥିତିରେ ଚାଲିଛି।

ଗହ୍ମାଡିଆରୁ ନୂଆ ରାଉସାପାଟଣାକୁ ସଂଯୋଗ କରୁଥିବା ଏମ୍‌ଏସ୍‌ଡବ୍ଲୁସି-୧ ଡ୍ରେନ ଉପରେ ଥିବା ପୋଲର ଗୋଟିଏ ପାର୍ଶ୍ବକୁ ଆବଦ୍ଧ କରି ୩ଟି ୩ଫୁଟର ଗୋଲେଇ ପାଇପରେ ଡ୍ରେନ ପାଣି ନିଷ୍କାସନ କରାଯାଉଥିଲା। ସଂକୀର୍ଣ୍ଣ ବିପଦସଙ୍କୁଳ ରାସ୍ତା ଓ ବିକଳ୍ପ ବ୍ୟବସ୍ଥା ନଥିବାରୁ ଉକ୍ତ ପାଣି ପାଇପ ଓ ପୋଲ ତଳେ ଥିବା ୨ ଫୁଟର ଫାଙ୍କ ଦେଇ ନୂଆରାଉସାପାଟଣାକୁ ଲୋକେ ଯିବା ଆସିବା କରୁଥିଲେ। ତେବେ ୪୦ ଫୁଟରୁ ଅଧିକ ଲମ୍ବର ପାଣି ପାଇପ ଗୁଡିକୁ ଏକ ଭଙ୍ଗା କାନ୍ଥ ଉପରେ ରଖାଯାଇଥିଲା। ନୂଆ ରାଉସାପାଟଣାକୁ କେଶରପୁର ଦେଇ ଯିବାର ରସ୍ତା ଥିଲେ ବି ଲମ୍ବା ବାଟ ନ ବୁଲି ପୂର୍ବ ଭଳି ସହଜରେ ରାସ୍ତା ପାର ହେବା ପାଇଁ ଉକ୍ତ ବାଟକୁ ବହୁ ଲୋକ ବ୍ୟବହାର କରୁଥିଲେ। ଆଜି ସକାଳ ସାଢେ ୧୦ଟାରେ ମଇନୀ ଉକ୍ତ ପାଣି ପାଇପ ତ‌େଳ ଗଳିକି ଗହ୍ମାଡିଆକୁ ଆସୁଥିବା ବେଳେ ଗୋଟିଏ ପାଇପ ଉକ୍ତ କାନ୍ଥରୁ ଖସି ତାଙ୍କ ଅଣ୍ଟା ଉ‌ପରେ ପଡିଯାଇଥିଲା। ତଳେ ପୋଲ ଓ ଉପରେ ପାଣି ପାଇପ ମଝିରେ ମଇନୀ ଦୀର୍ଘ ଏକ ଘଣ୍ଟା ଧରି ଫସି ରହିଥିଲେ। ସ୍ଥାନୀୟ ବାସିନ୍ଦା ପ୍ରଥମେ ପାଣି ପାଇପ ଉଠାଇ ମଇନୀଙ୍କୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହେବାପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏକ ଘଣ୍ଟା ଧରି ପ୍ରବଳ ଯନ୍ତ୍ରଣାରେ ମଇନୀ ଛଟପଟ ହେଉଥିଲେ ମଧ୍ୟ ଲୋକେ ଅସହାୟ ହୋଇପଡ଼ିଥିଲେ। ପରେ ଏକ ‌କ୍ରେନ ଓ ଜେସିବି ସାହାଯ୍ୟରେ ପୋଲକୁ ଭଙ୍ଗାଯାଇ ମଇନୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏସ୍‌ସିବି ଓ ପରେ ଅଶ୍ବିନୀ ହସ୍ପିଟାଲକୁ ମଇନୀଙ୍କୁ ପଠାଯାଇଥିଲା। ମାତ୍ର ଅପରାହ୍ନ ୩ଟାରେ ଅଶ୍ବିନୀ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଆସନ୍ତାକାଲି ମଇନୀଙ୍କ ଶବ ବ୍ୟବଚ୍ଛେଦ କରାଯିବ।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା କେଶପୁରଠାରେ ଥିବା ଜାଇକାର ଅସ୍ଥାୟୀ କାର୍ଯ୍ୟାଳୟକୁ ଘେରିଥିଲେ। ମାତ୍ର ଉକ୍ତ ସ୍ଥାନ ଛାଡି ଜାଇକା ଅଧିକାରୀ ଓ କର୍ମଚାରୀ ପଳାଇଥିଲେ। ଏହାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ୪୦ ଫୁଟର ଲମ୍ବା ପାଣି ପାଇପକୁ ଭଙ୍ଗା ପାଚେରି ଉପରେ ରଖିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମଇନୀଙ୍କ ମୃତ ଶରୀରକୁ କେଶରପୁର ପୋଲ ନିକଟରେ ରଖି ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଧାରଣା ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ମଇନୀଙ୍କ ବାପା ଓ ମା ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ନୂଆରାଉସାପାଟଣାର ସଂପାଦକ ପ୍ରବୀଣ ବରାଳ ଓ ସ୍ଥାନୀୟ ବାସିନ୍ଦା ବିଷ୍ଣୁମୋହନ ଦାସସାମନ୍ତ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।