ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଜୋନାଲ ରେଲୱେ ଡ୍ୟୁଟିରେ ଥିବା ଟ୍ରେନ ଚାଳକମାନଙ୍କୁ ଏସି ୨, ୩ ଓ ସ୍ଲିପର କ୍ଲାସ୍ର ଖାଲି ବର୍ଥ ଆବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳ ସୁରକ୍ଷା ସହ ଜଡିତ ଡ୍ରାଇଭର ଓ ସହାୟକ ଡ୍ରାଇଭରଙ୍କ ଯାତ୍ରାର ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଟ୍ରେନ ଚଳାଇବା ପାଇଁ ଅନ୍ୟ ଟ୍ରେନରୁ ଡ୍ରାଇଭରଙ୍କୁ ଆଣିବା ଲାଗି ସେମାନଙ୍କ ପାଇଁ ଟ୍ରେନର କୌଣସି ଶ୍ରେଣୀରେ ବର୍ଥର ବ୍ୟବସ୍ଥା ନାହିଁ। ଅଧିକାଂଶ ସମୟରେ ଟିଟିଇ ସେମାନଙ୍କୁ ଟ୍ରେନରୁ ଓହ୍ଲାଇଦେଇଥାନ୍ତି, ଯାହାଦ୍ବାରା ଅନେକ ସମୟ ସେମାନେ ଲଗେଜ ଥିବା ବଗିରେ ବସି ଡ୍ୟୁଟିରେ ଯାଇଥାନ୍ତି। ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ମଧ୍ୟ ରେଲୱେ ଜୁଲାଇ ୫ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଟ୍ରେନ ଚଳାଇବାକୁ ଯାଉଥିବା ଡ୍ରାଇଭର ଏସି ୨, ୩ ଓ ସ୍ଲିପର କ୍ଲାସ୍ରେ ଯାତ୍ରା କରିପାରିବେ।
ଅଧିକାରୀଙ୍କ ସୂଚନା ଅନୁସାରେ, ଟିଟିଇ ଉପଲବ୍ଧତା ଅନୁସାରେ ଡ୍ରାଇଭର ଓ ସହାୟକ ଡ୍ରାଇଭରଙ୍କୁ ଟ୍ରେନରେ ବର୍ଥ ଆବଣ୍ଟନ କରିବ। ଡ୍ରାଇଭରକୁ ନିଜ ପାଖରେ ଡ୍ୟୁଟି ପାସ ଓ ପରିଚୟପତ୍ର ରଖିବାକୁ ପଡିବ। ଟିଟିଇ ଯଦି ଦୁର୍ବ୍ୟବହାର କରନ୍ତି, ତେବେ ଡ୍ରାଇଭର ସେ ବିଷୟରେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେବା ଆବଶ୍ୟକ। ଟିଟିଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଡ୍ରାଇଭରଙ୍କ ସହିତ କୌଣସି ପ୍ରକାର ଯୁକ୍ତି କରିବେ ନାହିଁ। କୌଣସି ପ୍ରକାର ସମସ୍ୟା ହେଲେ ତାହାର ସୂଚନା ଅବିଳମ୍ବେ କଣ୍ଟ୍ରୋଲ ରୁମ୍କୁ ଦେବାକୁ ପଡିବ। ଏହି ବ୍ୟବସ୍ଥା ଏବେ ଦକ୍ଷିଣ-ମଧ୍ୟ ରେଲୱେ ଜୋନରେ ଲାଗୁ ହୋଇଛି ଏବଂ ଅନ୍ୟାନ୍ୟ ଜୋନରେ ଏହି ବ୍ୟବସ୍ଥା ଖୁବ୍ ଶୀଘ୍ର ଲାଗୁ କରାଯିବାର ଯୋଜନା ରହିଛି।