ରାଜ୍ୟ ସ୍ପେଶାଲ ରିପୋର୍ଟ

ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍‌ ଆଲ୍‌ବୋପିକ୍ଟସ୍ ମଶା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ଚଳିତବର୍ଷ ଡେଙ୍ଗୁ ସଂକ୍ରମଣ ବ୍ୟାପିବା ପଛର ଏକ ବଡ଼ କାରଣ ସାମ୍ନାକୁ ଆସିଛି। ପୂର୍ବରୁ ଏଡିସ୍‌ ମଶାର ଯେଉଁ ପ୍ରଜାତି ଡେଙ୍ଗୁ ରୋଗ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କେଉଁ ପରିସ୍ଥିତିରେ ଏଡିସ୍‌ର ଅନ୍ୟ ପ୍ରଜାତି ଡେଙ୍ଗୁର ବାହାକକୁ ଧାରଣ କରିବାରେ ସକ୍ଷମ ହେଲା ତାହାକୁ ଜାଣିବା ଲାଗି ଗବେଷକମାନେ ଚେଷ୍ଟା ଚଳାଇଛନ୍ତି।

ଓଡ଼ିଶାର ଏଡିସ୍‌ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲ୍‌ବୋପିକ୍ଟସ୍ ଓ ଭିଟ୍ଟାଟସ୍‌ ଦେଖିବାକୁ ମିଳିଥାଏ। ତହିଁରୁ ସହରାଞ୍ଚଳରେ ଏଜିପ୍ଟାଆଇ ଅଧିକ ରହିଥିବା ବେଳେ ଆଲ୍‌ବୋପିକ୍ଟସ୍ କମ୍ ରହିଥିଲା। ମାତ୍ର ଏବେ ସବୁକିଛି ଓଲଟପାଲଟ ହୋଇଯାଇଛି। ଏବେ ଆଲ୍‌ବୋପିକ୍ଟସ୍‌ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ବେଳେ ଏଜିପ୍ଟାଆଇ କମ୍ ରହିଛି। ଏଡିସ୍‌ର ଏହି ଦୁଇ ପ୍ରଜାତି କାମୁଡ଼ିବା ଫଳରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଏପରିକି କିଛି ଅଞ୍ଚଳରେ ଆଲ୍‌ବୋପିକ୍ଟସ୍‌ର ମାତ୍ରା ଅଧିକ ରହିବା କାରଣରୁ ସେସବୁ ଅଞ୍ଚଳ ଡେଙ୍ଗୁ ସଂକ୍ରମଣ ହଟ୍‌ସ୍ପଟ୍‌ ପାଲଟିଛି।

ଆରଏମ୍‌ଆରସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଏଡିସ୍‌ ଏଜିପ୍ଟାଆଇର ଡେଙ୍ଗୁ ରୋଗ ସୃଷ୍ଟି କରିବାର କ୍ଷମତା ରହିଥିଲା। ହେଲେ ଏବେ ଆଲ୍‌ବୋପିକ୍ଟସ୍‌ ଦେହରେ ଡେଙ୍ଗୁର ଭେକ୍ଟର ଦେଖିବାକୁ ମିଳିଛି। ଯଦି କୌଣସି ସ୍ଥାନରୁ ୧୦ଟି ଏଡିସ୍‌ ମଶା ଧରାଯାଏ, ତହିଁରୁ ୮-୯ ମଶା ଆଲ୍‌ବୋପିକ୍ଟସ୍‌ ବାହାରୁଛନ୍ତି। ଆଲ୍‌ବୋପିକ୍ଟସ ମଶା ଶରୀରରେ ଏଭଳି କ’ଣ ପରିବର୍ତ୍ତନ ହୋଇଛି ଯାହାଫଳରେ ଡେଙ୍ଗୁ ଭେକ୍ଟର ଧାରଣ କରିବାରେ ସକ୍ଷମ ହୋଇପାରୁଛି ତାହାର ଅନୁଧ୍ୟାନ କରାଯାଉଛି। ଯେହେତୁ ଏବେ ଓଡ଼ିଶାରେ ଏଡିସ୍‌ ମଶାର ଦୁଇଟି ପ୍ରଜାତି ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛନ୍ତି, ଏ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ସ୍ବାଭାବିକ। ଡେଙ୍ଗୁ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଉପରେ ଗବେଷଣା ଜାରି ରହିଛି। ଆସନ୍ତା କିଛିମାସ ଭିତରେ ଏ ସଂପର୍କିତ ଗବେଷଣା ରିପୋର୍ଟ ପ୍ରକାଶ ବୋଲି ଆରଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସହରାଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ଘର ଭିତରେ ସ୍ଥିର ପାଣି ସହିତ ବୋତଲ, ଟାୟାର ଆଦିରେ ବଂଶ ବିସ୍ତାର କରିଥାଏ। ଆଲ୍‌ବୋପିକ୍ଟସ୍‌ ପ୍ଲାଣ୍ଟ ବା ଗଛଲତାରେ ରହିଥାଏ। ହେଲେ ଜଳବାୟୁ ପରିବର୍ତ୍ତନ, ଦେଶାନ୍ତର ବା ମାଇଗ୍ରେସନ୍ ସହିତ ସହର ସଂଖ୍ୟା ବଢ଼ିବା ଫଳରେ ଏବେ ସହରାଞ୍ଚଳରେ ମଧ୍ୟ ଆଲବୋପିକ୍ଟସ୍‌ ମଶା ଦେଖିବାକୁ ମିଳିଛି। ତେବେ ଏହି ଦୁଇ ମଶାଙ୍କ ଶରୀରରେ ମ୍ୟୁଟେସନ୍ ହୋଇଛି କି ନାହିଁ ତାହା ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ। ପୂର୍ବରୁ କୌଣସି ବିଜ୍ଞାନ ପତ୍ରିକାରେ ଏ ସଂପର୍କିତ ତଥ୍ୟ ସମ୍ବଳିତ ଗବେଷଣା ପ୍ରକାଶ ପାଇନାହିଁ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ହୋଇଥିବା ଏଣ୍ଟୋମୋଲୋଜିକାଲ ସର୍ଭେରେ ଏଡିସ୍‌ ଏଜିପ୍ଟାଆଇ ତୁଳନାରେ ଆଲ୍‌ବୋପିକ୍ଟସ ଅଧିକ ରହିଥିବା ନଜରକୁ ଆସିଛି। ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଆଲବୋପିକ୍ଟସ୍‌ ଅଧିକ ଦେଖିବାକୁ ମିଳିଛି। ସହରାଞ୍ଚଳରେ ଅଳ୍ପ କିଛି ସ୍ଥାନରେ ଏଜିପ୍ଟାଆଇ ନଜରକୁ ଆସୁଛନ୍ତି। ଏହାସହ ଏଡିସ୍‌ ମଶାର ଶାରୀରକ ଗଠନରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏଡିସ୍‌ ଆଲ୍‌ବୋପିକ୍ଟସର ଯେଉଁ ଆକାର ଥିଲା ତାହା ହ୍ରାସ ପାଇଛି। ଏପରିକି ଏଡିସ୍‌ ମଶା ସାଧାରଣଭାବେ ଦିନରେ କାମୁଡ଼ୁଥିବା ନଜରକୁ ଆସିଥାଏ। ମାତ୍ର ଏବେ ଏଡିସ୍‌ ମଶା ରାତିରେ ମଧ୍ୟ କାମୁଡ଼ୁଛନ୍ତି। ତେଣୁ ଲୋକମାନେ ରାତିରେ ମଶାରୀ ‌ଟାଙ୍ଗୀ ‌ଶୋଇବା ଉଚିତ୍। ରାଜ୍ୟରେ ଏବେ ଡେଙ୍ଗୁର ନମୁନା ପରୀକ୍ଷା ୧ଲକ୍ଷ ପାର୍ କରିଛି। ତହିଁରୁ ୭ ହଜାରରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଡା. ମିଶ୍ର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।