ଭୁବନେଶ୍ବର: ପାଞ୍ଚ କି ଦଶ ଏକର ନୁେହଁ, ପାଞ୍ଚ ହଜାର ବର୍ଗ କିଲୋମିଟର ଜଙ୍ଗଲକୁ ଉଡ଼ାଇଦେବାକୁ ସରକାରୀ ଷଡ଼୍ଯନ୍ତ୍ର। ଯେତେବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶା ଭୀଷଣ ପରିସ୍ଥିତି ସାମ୍ନା କରୁଛି ଏବଂ ବୃକ୍ଷରୋପଣକୁ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି, ସେବେ ଆଉ କେହି ନୁହେଁ, ଖୋଦ୍ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଡିମ୍ଡ ଫରେଷ୍ଟ ବା ଔପଚାରିକ ଜଙ୍ଗଲକୁ ଗିଳି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆହୁରି ଆଚମ୍ବିତ କଥା ହେଲା, ଏ ସଂକ୍ରାନ୍ତରେ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟସଚିବଙ୍କ ନିର୍ଦ୍ଦେଶନାମାକୁ ତାଙ୍କ ବିଭାଗର ଅତିରିକ୍ତ ସଚିବ ଅଟକାଇ ଦେଇ ସରକାରଙ୍କୁ ଅପଦସ୍ତ କରିଛନ୍ତି। ଅନ୍ୟପଟେ ପରିବେଶବିତ୍ କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟକୁ ବୁଝିଗଲେଣି। ସେମାନେ ଏହା ପଛରେ ଶିଳ୍ପ ପ୍ରୀତି ରହିଥିବା ଆଙ୍ଗୁଳି ଉଠାଇଲେଣି। ସେପଟେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟକୁ ପୂର୍ବତନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। କାହିଁକି ଏବଂ କାହା ସ୍ବାର୍ଥ ସାଧନ ପାଇଁ ଏତେ ବଡ଼ ପରିମାଣର ଜଙ୍ଗଲ ଜମିକୁ ଆଇନ ବଳୟରୁ ବାହାରକୁ ନେଇଯିବା ଲାଗି ସରକାର ମାତ୍ରାଧିକ ଉତ୍ସାହିତ, ତାହାକୁ ନେଇ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଗଲାଣି।
ସଂଶୋଧିତ ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩କୁ ସବୁ ରାଜ୍ୟ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଚଳିତ ଅଗଷ୍ଟ ୪ରେ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଲ୍ ପାସ୍ ହେବା ପୂର୍ବରୁ ଡିମ୍ଡ ଜଙ୍ଗଲକୁ ସୁରକ୍ଷିତ ରଖିବା ଲାଗି ଆଇନ ଆଧାରିତ ନିୟମାବଳୀରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର ଯୁଗ୍ମ ସଂସଦୀୟ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଗୁରୁତ୍ବ ନଦେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶର ୭ ଦିନ ନଯାଉଣୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଗତ ୧୧ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଚିଠି (ନଂ ୧୭୨୧୭) ଲେଖି ଜଣାଇଦେଲେ ଯେ ସଂଶୋଧିତ ଆଇନ ଅନୁଯାୟୀ ଓଡ଼ିଶାରେ ଡିମ୍ଡ ଜଙ୍ଗଲର ଅସ୍ତିତ୍ବ ନାହିଁ। ତଦନୁଯାୟୀ ଅଣଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଉପଯୋଗ କରିବାକୁ ଆଉ ଆଇନଗତ ବାଧା ନାହିଁ।
ଅତିରିକ୍ତ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ଅଟକାଇଲେ ଅତିରିକ୍ତ ସଚିବ
ପ୍ରଶାସନରେ ହଟଚମଟ, ଆଗକୁ ସମସ୍ୟା ସୃଷ୍ଟି ହେବ କହିଲେ ପରିବେଶବିତ୍
ବନୀକରଣ ପାଇଁ ଜମି ନଥିବ, ଏଫ୍ଆର୍ଏ ମାଡ଼ ଖାଇବ
ଏହାର ୭୨ଘଣ୍ଟା ନଯାଉଣୁ ବିଭାଗୀୟ ଅତିରିକ୍ତ ସଚିବ ଦେବେନ୍ କୁମାର ସାହୁ ଚିଠି (ନଂ୧୭୨୮୫)ରେ ଜିଲ୍ଲାପାଳମାନଙ୍କୁ ପୁନର୍ବାର ଜଣାଇଦେଲେ ଯେ କେନ୍ଦ୍ର ସରକାରଙ୍କ ସଂଶୋଧିତ ଆଇନ ଆଧାରରେ ପୂର୍ଣ୍ଣାଙ୍ଗ ନିୟମାବଳୀ ତଥା ମାର୍ଗଦର୍ଶିକା ହସ୍ତଗତ ହୋଇନାହିଁ। ଏହା ମିଳିବା ପରେ ହିଁ ସଂଶୋଧିତ ଜଙ୍ଗଲ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରାଯିବ। ଅର୍ଥାତ୍ ଅତି ବ୍ୟାକୁଳ ହୋଇ ଅତିରିକ୍ତ ମୁଖ୍ୟ ସଚିବ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ପୂର୍ବରୁ ତାଙ୍କ ବିଭାଗର ଜଣେ ଅଧସ୍ତନ ଅଫିସର ତଥା ଅତିରିକ୍ତ ସଚିବ କେଉଁ ପରିସ୍ଥିତିରେ ବା କେଉଁ ଉଦ୍ଦେଶ୍ୟରେ ସେଥିରେ ପରୋକ୍ଷ ରୋକ୍ ଲଗାଇଲେ, ତାହା ପ୍ରଶାସନିକ ତଥା ବୁଦ୍ଧିଜୀବୀ ମହଲରେ ବେଶ୍ ହଟଚମଟ ସୃଷ୍ଟି କରିଛି। ସେମାନଙ୍କ ମତରେ ଟି.ଏନ୍.ଗୋଦାବର୍ମନ ମାମଲାରେ ସୁପ୍ରିମ୍କୋର୍ଟ ୧୯୯୬ରେ ଦେଇଥିବା ରାୟରେ ଡିମ୍ଡ ଜଙ୍ଗଲର ପରିଭାଷା ସ୍ପଷ୍ଟ କରିଥିଲେ। କୋର୍ଟ ଦର୍ଶାଇଥିଲେ, ଯେଉଁ ଅଞ୍ଚଳ ଜଙ୍ଗଲ ଭଳି ପ୍ରତୀୟମାନ ମାତ୍ର ଜଙ୍ଗଲ ଜମି ଭାବେ ବିଜ୍ଞପିତ ହୋଇ ନାହିଁ, ତାହା ଡିମ୍ଡ ଜଙ୍ଗଲ ଭାବେ ବିବେଚିତ ହେବ। ତଦନୁଯାୟୀ ତତ୍କାଳୀନ ଜେ.ବି.ପଟ୍ଟନାୟକଙ୍କ ସରକାର ୧୯୯୮ରେ ୨୮୩୮.୮୭ ବର୍ଗ କିଲୋମିଟର ଡିମ୍ଡ ଜଙ୍ଗଲ ଜମି ରେକର୍ଡ଼ କରିଥିଲେ। ରାଜ୍ୟ ଜଙ୍ଗଲ ବିଭାଗ ୨୦୨୩ରେ ଦର୍ଶାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୫୨,୧୫୬ ବର୍ଗ କିମି ଜଙ୍ଗଲ ଜମି ଥିବା ବେଳେ ଏହା ବାଦ୍ ଅଣବିଜ୍ଞପିତ ୫୦୦୪ ବର୍ଗ କିମି ଅଞ୍ଚଳରେ ଗଛ ସହିତ ବୁଦୁବୁଦିଆ ଜଙ୍ଗଲ ରହିଛି। ତେଣୁ ରାଜ୍ୟର ଡିମ୍ଡ ଜଙ୍ଗଲ ହଠାତ୍ ଅସ୍ତିତ୍ବ ହରାଇଲା କେମିତି?
କେନ୍ଦ୍ର ସରକାରଙ୍କ ସଂଶୋଧିତ ଜଙ୍ଗଲ ସଂରକ୍ଷଣ ଆଇନ୍-୨୦୨୩ରେ ଓଡ଼ିଶାର ଡିମ୍ଡ ଜଙ୍ଗଲ ହଠାତ ଉଭାନ ହେବାର କାରଣ ସମ୍ପର୍କରେ ପଚରାଯିବାରୁ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଦେବଦତ୍ତ ବିଶ୍ବାଳଙ୍କ ପ୍ରତିକ୍ରିୟା ଆହୁରି ବିସ୍ମୟ ସୃଷ୍ଟି କରେ। ସେ କହିଛନ୍ତି ଯେ ଆଇନ ସଂଶୋଧନ ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଯେଉଁ ମତାମତ ଲୋଡ଼ିଥିଲେ, ତାହାର ଉତ୍ତର ଦେବାକୁ ଆଉ ସମୟ ନଥିଲା। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ରାଜ୍ୟର ଡିମ୍ଡ ଜଙ୍ଗଲ ସଂକ୍ରାନ୍ତ ସବିଶେଷ ତଥ୍ୟ ଦାଖଲ କରାଯିବା ସମ୍ଭବ ହୋଇନଥିଲା।
ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ କିନ୍ତୁ ପରିବେଶବିତ୍ମାନେ ଗ୍ରହଣ କରିପାରିନାହାନ୍ତି। ପରିବେଶବିତ୍ ତପନ କୁମାର ପାଢ଼ୀଙ୍କ ପ୍ରତିକ୍ରିୟା ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଛନ୍ତି, ସଦ୍ୟ ଅନୁମୋଦିତ ସଂଶୋଧିତ ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩ର ପୂର୍ଣ୍ଣାଙ୍ଗ ନିୟମାବଳୀ ରାଜ୍ୟ ସରକାରଙ୍କ ହସ୍ତଗତ ନହେଉଣୁ ତାହାର ଅନୁପାଳନ ନିମନ୍ତେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ବ୍ୟାକୁଳ ହେଲେ କାହିଁକି? ପୁଣି ତୁରନ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ସ୍ବାଭାବିକ ଭାବେ ଅନେକ ସନ୍ଦେହ ସୃଷ୍ଟି କରୁଛି। ହୁଏତ ପୁଞ୍ଜି ପ୍ରତିଶ୍ରୁତି ଦେଇଥିବା ଶିଳ୍ପପତିଙ୍କୁ ନିର୍ବିଘ୍ନରେ ଜମି ଯୋଗାଣ ଲକ୍ଷ୍ୟରେ ଲ୍ୟାଣ୍ଡ୍ ବ୍ୟାଙ୍କରେ ଅଧିକ ଜମି ପଞ୍ଜୀକୃତ କରିବା କିମ୍ବା ଅଟକିଥିବା କୌଣସି ପ୍ରକଳ୍ପକୁ ତୁରନ୍ତ ଜମି ହସ୍ତାନ୍ତର କରିବା ଭଳି ଅନ୍ତର୍ନିହିତ ଉଦ୍ଦେଶ୍ୟ ବା ଷଡ୍ଯନ୍ତ୍ର ପଛର କାରଣ ହୋଇପାରେ। ରାଜ୍ୟ ସରକାର ଯଦି ଡିମ୍ଡ ଜଙ୍ଗଲର ଅସ୍ତିତ୍ବକୁ ଉଡ଼ାଇଦେବାକୁ ବ୍ୟଗ୍ର ତେବେ ଆଗାମୀ ଦିନରେ ରାଜ୍ୟରେ ସଘନ ବନୀକରଣ ପାଇଁ ଉପଯୁକ୍ତ ଜମି ଦୁଷ୍ପ୍ରାପ୍ୟ ହେବ। କେବଳ ସେତିକି ନୁହେଁ, ଖଣି, ଶିଳ୍ପ ତଥା ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଧ୍ବଂସପ୍ରାପ୍ତ ଜଙ୍ଗଲର ଭରଣା ସକାଶେ ବିପୁଳ କାମ୍ପା ପାଣ୍ଠି ଉପଯୋଗରେ ବନୀକରଣ ଅସମ୍ଭବ ହୋଇପଡ଼ିବ। ପୁନଶ୍ଚ ଜଙ୍ଗଲ ଜମି ଅଧିକାର ଆଇନ (ଏଫ୍ଆର୍ଏ) କାର୍ଯ୍ୟକାରୀରେ ବାଃ ବାଃ ନେଉଥିବା ଆମ ସରକାର ହିତାଧିକାରୀମାନଙ୍କ ଜୀବିକା ନିମନ୍ତେ ଯୋଗାଉଥିବା ଡିମ୍ଡ ଜଙ୍ଗଲ ଜମି ଆଉ ମିଳିବ କେଉଁଠୁ? ସଂଶୋଧିତ ଆଇନ ବଳରେ ରାଜ୍ୟରେ ଚିହ୍ନଟ ୫୦୦୪ ବର୍ଗ କିମି ଡିମ୍ଡ ଜଙ୍ଗଲ ଜମିର ଅସ୍ତିତ୍ବକୁ ସରକାର ଯଦି ଭୁଲିଯାଆନ୍ତି, ତେବେ ଆଗାମୀ ଦିନରେ ଏହି ବିବାଦ ଯେ ଅନେକ ସମସ୍ୟା ଆମନ୍ତ୍ରଣ କରିବ-ସେଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।