ରାଜ୍ୟ

ଡିପୋରେ ପଡିଛି ଗଣ୍ଡି, ମିଳୁନି ଚିରାକାଠ: ଶବ ଜାଳିବାକୁ ୫ ଘଣ୍ଟା ଅପେକ୍ଷା

ରାଉରକେଲା: ଫର୍ଟିଲାଇଜର ବାଲିଯୋଡିର ପ୍ରସନ୍ନ କୁମାର ବିଶୋଇ। ୧୪ ବର୍ଷ ପୁଅର ଶବ ସଂସ୍କାର କରିବାକୁ ବେଦବ୍ୟାସ ଶ୍ମଶାନ ଘାଟକୁ ଆସିଥିଲେ। ସରକାରୀ ଡିପୋରେ ଚିରା କାଠ ନ ମିଳିବାରୁ ପୁଅ ଶବ ଦାହ କରିବାକୁ ତାଙ୍କ ପରିବାରକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସମାନ ଦଶା ଭୋଗିଛନ୍ତି ବେଦବ୍ୟାସ ବ୍ୟାସଦେବ ସରକାରୀ ବିଦ୍ୟାଳୟର ପିଅନ ଲକ୍ଷ୍ମୀଧର ସାହୁ। ମା’ଙ୍କ ଶବ ଦାହ କରିବାକୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ୨/୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। କେବଳ ଏହି ଦୁଇ ପରିବାର ନୁହଁନ୍ତି, ରାଉରକେଲା, ବୀରମିତ୍ରପୁର, ଫର୍ଟିଲାଇଜର, ନୂଆଗାଁ, ରାଜଗାଙ୍ଗପୁର, ବିଶ୍ରା, କୁଆରମୁଣ୍ଡା ଏମିତି କି ପଡୋଶୀ ଝାଡ଼ଖଣ୍ଡରୁ ଶବ ସଂସ୍କାର କରିବାକୁ ଆସୁଥିବା ଶତାଧିକ ପରିବାର ଏମିତି ଦହଗଞ୍ଜ ହେବାକୁ ପଡୁଛି। ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ମୃତକଙ୍କ ପରିବାର ଉଭୟ ଜିଲ୍ଲା ପ୍ରଶାସନ ଓ ବନ ଉନ୍ନୟନ ନିଗମର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଶବଦାହ କରି ଆସୁଥିବା ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଶବ ସଂସ୍କାର ପାଇଁ ୫ଟି ସେଡ୍‌ ରହିଛି।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଗୋଟିଏ ସେଡ୍‌ ରହିଛି। ଆର୍‌ଏମ୍‌ସି ସେଡ୍‌ ବନ୍ଦ ପଡିଛି। ଅନ୍ୟ ୫ଟି ସେଡ୍‌ ଚାଲିଛି। ପ୍ରତ୍ୟେକ ଦିନ ଦାହ ପାଇଁ ବେଦବ୍ୟାସକୁ ୧୫ରୁ ୧୮ଟି ଶବ ଆସୁଛି। ଶବ ଦାହ କରିବାକୁ ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ସରକାରୀ କାଠ ଡିପୋ ରହିଛି। ମୃତକଙ୍କ ପରିବାର ଚିରା କାଠ କେଜି ପ୍ରତି ୪ ଟଙ୍କା ୮୦ ପଇସା, ଗଣ୍ଡି କେଜି ପତି ୩ଟଙ୍କା ୮୦ ପଇସାରେ କିଣିଥାନ୍ତି। ଗୋଟିଏ ଶବ ଦାହ କରିବାକୁ ପାଖାପାଖି ଅଢ଼େଇ କ୍ବିଣ୍ଟାଲ କାଠ ଆବଶ୍ୟକ ପଡ଼ିଥାଏ। ଗତ ପ୍ରାୟ ୭ ଦିନ ଧରି ଆବଶ୍ୟକ ଚିରା କାଠ ନଥିବାରୁ ମୃତକଙ୍କ ପରିବାରକୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଦୂରଦୂରାନ୍ତରୁ ଆସୁଥିବା ପରିବାର ବାହାରେ ଚଢ଼ା ଦରରେ କାଠ କିଣିବାକୁ ବାଧ୍ୟ ହେଉଛନ୍ତି।

ଗରିବ ପରିବାର କାଠଗଣ୍ଡି ଚିରା ସରିବା ପର୍ଯ୍ୟନ୍ତ ୫/୬ ଘଣ୍ଟା ପର୍ଯ୍ୟନ୍ତ ଶବଧରି ସେମିତି ବସି ରହିଥାନ୍ତି। ରାତିରେ ଏକକାଳୀନ ୪/୫ ଶବ ଦାହ ପାଇଁ ଆସିଗଲେ, କିଛି ପରିବାରଙ୍କୁ ଶୀତକାକରରେ ରାତିତମାମ ଅପେକ୍ଷା କରିବାକୁ ପଡେ। ବେଦବ୍ୟାସ ଘାଟରେ ଶବଦାହର ଏଭଳି ସମସ୍ୟା ସଂକ୍ରାନ୍ତରେ ଟ୍ରଷ୍ଟବୋର୍ଡର ଗୋଲାପ ଚନ୍ଦ୍ର କୌଶିକଙ୍କୁ ପଚାରିବାରୁ ସେ କହିଛନ୍ତି, ଟ୍ରଷ୍ଟ ପକ୍ଷରୁ ସମସ୍ୟା ସଂକ୍ରାନ୍ତରେ ଓଡ଼ିଶା ବନ ଉନ୍ନୟନ ନିଗମର ଡିଏମ୍‌ଙ୍କୁ ଅବଗତ କରାଯାଇଛି। ଡିପୋ ଦାୟିତ୍ବରେ ଥିବା ‌ଲେଥୋ ଓରାମ କହିଛନ୍ତି, କାଠ ଚିରିବାକୁ ଆବଶ୍ୟକ ସଂଖ୍ୟକ ଶ୍ରମିକ ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ବିଭାଗୀୟ ଅଧିକାରୀଙ୍କୁ କହିଛୁ ବୋଲି କହିଛନ୍ତି। ସେମିତି ଓଡ଼ିଶା ବନ ଉନ୍ନୟନ ନିଗମର ଡିଡିଏମ୍‌ ଶୁଭମ୍‌ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, ସେ କଲ୍‌ ଉଠାଇ ନଥିଲେ। ଜିଲ୍ଲାପାଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।