ଅନୁଗୋଳ,୧୩/୦୩ : ମାଛ ଧରିବା ହେଲା କାଳ । ଡିନାମାଇଟ୍ ଫୁଟାଇ ମାଛ ଧରିବା ବେଳେ ଉଡିଗଲା ଯୁବକଙ୍କ ପାପୁଲି । ମୁହଁରେ ଲାଗିଲା ଗଭୀର ଆଘାତ । ଏହାସହ ଡାହାଣ ଆଖି ନଷ୍ଟ ମଧ୍ୟ ହୋଇଗଲା । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କମ୍ପସଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟଣା ସାମ୍ନାକୁ ଆସିଥି।
ଗୁରୁତର ଯୁବକ ହେଲେ, କମ୍ପସଲା ଗ୍ରାମର ପତି ସାହୁଙ୍କ ପୁଅ ପିପୁନ୍ ସାହୁ(୨୨) । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ଣରେ ପିପୁନ୍ ତାଙ୍କ ୪ ଜଣ ସାଙ୍ଗଙ୍କ ସହ ଡିନାମାଇଟ୍ ସହାୟତାରେ ମାଛ ମାରିବାକୁ ନିକଟସ୍ଥ ଟିକିରା ନାଳକୁ ଯାଇଥିଲେ । ସେଠାରେ ମାଛ ମାରିବା ପାଇଁ ଡିନାମାଇଟ୍ ଖଞ୍ଜିବାକୁ ପ୍ରସ୍ତୁତି ଚାଲିଥିଲା । ତେବେ ଡିନାମାଇଟ୍ ଧରି ନଦୀ ଗଭୀରେ ପ୍ରବେଶ କରିବା ବେଳେ ହାତରେ ବିସ୍ଫୋରଣ ଘଟିଥିଲା ।
ଏଥିରେ ପିପୁନଙ୍କ ଡାହାଣ ହାତର ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୁହଁ ଓ ଛାତିରେ ଗଭୀର କ୍ଷତ ଲାଗିଥିବା ବେଳେ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ପରିବାର ଲୋକ ତାଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।