ମୁମ୍ବାଇ ୨୬/୦୬: ବଲିଉଡର ବଚ୍ଚନ ପରିବାର ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି । ବଚ୍ଚନ ପରିବାରର ପ୍ରଶଂସକଙ୍କ କୌଣସି ଅଭାବ ନାହିଁ, ଯେଉଁମାନେ ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଆଗ୍ରହୀ ରହିଥାନ୍ତି । ବର୍ତ୍ତମାନ ଜୟା ବଚ୍ଚନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଅଭିଷେକ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରେ ବର୍ତ୍ତମାନ ଜୟା ବଚ୍ଚନ ମଧ୍ୟ ଡିଜିଟାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି। ଅଭିଷେକ ବଚ୍ଚନଙ୍କ ଫିଲ୍ମ ଏବଂ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲ୍ଜ୍ ହୋଇଛି । ଏଥି ସହିତ ଅମିତାଭ ବଚ୍ଚନଙ୍କ ‘ଗୁଲାବୋ-ସିତାବୋ’ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ବର୍ତ୍ତମାନ ଜୟା ବଚ୍ଚନ ମଧ୍ୟ ଡିଜିଟାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି।
ଜୟା ବଚ୍ଚନ ‘ସଦାବହାର’ ସହିତ ଡିଜିଟାଲ ପ୍ଲାଟଫର୍ମରେ ଧମାକା କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଜୟା ବଚ୍ଚନ ଏହି ୱେବ୍ ସିରିଜ୍ ପାଇଁ ଫେବୃଆରୀରେ ସୁଟିଂ ଆରମ୍ଭ କରିଥିଲେ। କିନ୍ତୁ, କରୋନାର ଦ୍ୱିତୀୟ ଲହର ପରେ ଶୁଟିଂ ବନ୍ଦ ହୋଇଯାଇଥିଲା। କିନ୍ତୁ, ବର୍ତ୍ତମାନ ପରିସ୍ଥିତି ସୁଧୁରିବା ପରେ ୱେବ୍ ସିରିଜର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ‘ସଦାବହାର’ର ଟିମ୍ ଏହି ସପ୍ତାହରେ କେବଳ ୨ ଟି ସିକ୍ୱେନ୍ସ ଶୁଟ୍ କରିଛି । କରୋନା ପ୍ରୋଟୋକଲଗୁଡ଼ିକୁ ଧ୍ୟାନରେ ରଖି ଏହି ଶୋ’କୁ କେବଳ ୫୦ ଜଣ ସଦସ୍ୟଙ୍କ ସହିତ ବାୟୋ ବବଲରେ ସୁଟ୍ କରାଯାଇଥିଲା।
ତେବେ, ୱେବ୍ ସିରିଜ୍ କେଉଁ ବିଷୟ ଉପରେ ଆଧାରିତ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ, ଏହା ସତ୍ୟ ଯେ ୱେବ୍ ସିରିଜରେ ଜୟା ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଜୟା ବଚ୍ଚନ ପାଞ୍ଚ ବର୍ଷ ପରେ ପରଦାରେ ନଜରଆସିବାକୁ ଯାଉଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୧୬ ରେ ରିଲିଜ୍ ହୋଇଥିବା କରୀନା କପୁର-ଅର୍ଜୁନ କପୁରଙ୍କ ଅଭିନୀତ ‘କି ଅର କା’ରେ ଦେଖିବାକୁ ମିଳିଥିଲା। ୨୦୧୬ ପରେ, ଜୟା ବଚ୍ଚନ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ଅଭିନୟ କରିନଥିଲେ । କିନ୍ତୁ, ସେ ରାଜନୀତିରେ ନିରନ୍ତର ସକ୍ରିୟ ଅଛନ୍ତି।

