ଚନ୍ଦ୍ରଶେଖରପୁର : ବଡ଼ବଡ଼ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ କାର୍ରେ ଯିବା ଆସିବା କରୁଥିଲେ। ଠକେଇ ଟଙ୍କାରେ ବିମାନରେ ଉଡ଼ି ଅଏସ କରୁଥିଲେ। ବେଶ ପୋଷାକରୁ ବେଶ୍ ସମ୍ଭ୍ରାନ୍ତ ଲାଗୁଥିବା ଏହି ଦୁଇ ବ୍ୟକ୍ତି ପ୍ରକୃତରେ ଥିଲେ ଠକ। ଏଭଳି ଦୁଇ ଠକଙ୍କୁ ଇନ୍ଫୋସିଟି ଥାନା ପୁଲିସ କୋଲକାତା ଓ ବିହାରରୁ ଗିରଫ କରିଛି। ଏମାନେ ଜଣେ ଛାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ଗିରଫ ଦୁଇ ଠକ ହେଲେ କୋଲକାତା ହାଓଡ଼ାର ଅମିତ ବାନାର୍ଜୀ (୪୪) ଏବଂ ବିହାର ଦରଭଙ୍ଗାର ଡା. ବିକାଶ ରଂଜନ (୩୯)। ଶନିବାର ଦିନ ସେମାନଙ୍କୁ ପୁଲିସ ଭୁବନେଶ୍ବର ଆଣି କୋର୍ଟ ଚାଲାଣ କରିଛି। ଗିରଫ ବେଳେ ପୁଲିସ ସେମାନଙ୍କ ଘରେ ଚଢ଼ଉ କରି ୯ଟି ମୋବାଇଲ, ୨ଟି ଲାପ୍ଟପ ସହିତ ୧୦ ଲକ୍ଷ ୨୯ ହଜାର ୫ଶହ ଟଙ୍କା ଜବତ କରିଛି।