ସାଉଥମ୍ପଟନ୍: ବର୍ଷା ବ୍ୟାଘାତ, ଆଲୋକ ଅଭାବ ଏବଂ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ ସଂରକ୍ଷିତ ଦିବସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫଳାଫଳ ବାହାରିଗଲା। ଏତେସବୁ ପ୍ରତିବନ୍ଧକ ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିଲାନି। ପ୍ରଥମ ଦିନରୁ ବର୍ଷା ଯୋଗୁଁ ୪ ଦିନ ମଧ୍ୟରେ ପୂରା ୨ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ ଦୁଇ ଦିନ ମଧ୍ୟ ଅଧିକାଂଶ ସମୟ ନଷ୍ଟ ହୋଇଥିଲା। ଏହାସତ୍ତ୍ବେ ରିଜର୍ଭ ଦିବସରେ ହିଁ ନ୍ୟୁଜିଲାଣ୍ଡ୍ ପୂରା ଆଧିପତ୍ୟ ବିସ୍ତାର କରି ମ୍ୟାଚ୍କୁ ନିଜ ସପକ୍ଷରେ କରି ଟ୍ରଫି ହାତେଇଥିଲା। ଏଥି ସହିତ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ ପରାଜୟର ଦୁଃଖକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଦୂର କରିଥିଲା। ଅନ୍ୟପକ୍ଷରେ କୋହଲିଙ୍କ ନେତୃତ୍ବରେ ଭାରତର ଆଇସିସି ଟ୍ରଫି ମରୁଡ଼ି ଧାରା ଆହୁରି ଲମ୍ବିଲା। ଅଭ୍ୟାସ ମ୍ୟାଚ୍ ବିନା ଏକ ବଡ଼ ମୁକାବିଲା ଖେଳିବାର ଫଳ ବି ଭାରତକୁ ମିଳିଲା। ନ୍ୟୁଜିଲାଣ୍ଡ କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ବିଜୟ ଅଭିଜ୍ଞତାକୁ ଭଲ ଭାବେ ଉପଯୋଗ କରି ଭାରତକୁ ଉଚିତ ଶିକ୍ଷା ଦେଲା।
ଭାରତ ଦ୍ବିତୀୟ ପାଳିକୁ ୧୭୦ ରନ୍ରେ ରୋକିଦେବା ପରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୧୩୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଶେଷ ଦିନର ଆଉ ୭.୧ ଓଭର ବାକିଥିଲା ବେଳେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ମ୍ୟାଚ୍ ଜିତିନେଇଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଧିନାୟକ କେନ୍ ୱିଲିୟମ୍ସନ୍ (୫୨) ଏବଂ ରସ୍ ଟେଲର (୪୭) ଭାରତୀୟ ବୋଲରଙ୍କୁ ନିରାଶ କରିଦେଇଥିଲେ। ୱିଲିୟମ୍ସନ୍ ଅର୍ଦ୍ଧଶତକ ପୁରଣ କରିଥିଲା ବେଳେ ମହମ୍ମଦ ସାମିଙ୍କୁ ଚୌକା ମାରି ଟେଲର ବିଜୟ ମୁଣ୍ଡି ମାରିଥିଲେ। ଉଭୟେ ଅବିଭାଜିତ ତୃତୀୟ ୱିକେଟ୍ରେ ୧୭୩ ବଲ୍ରୁ ୯୬ ରନ୍ର ଭାଗୀଦାରି କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ୍ ୪୫.୫ ଓଭରରେ ୨ ୱିକେଟ୍ ହରାଇ ୧୪୦ ରନ୍ କରିନେଇଥିଲା। ଦ୍ରୁତ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନ୍ଙ୍କ ଲଢ଼ୁଆ ମନୋଭାବ ହିଁ ନ୍ୟୁଜିଲାଣ୍ଡ୍କୁ ଆଇସିସି ଦ୍ବାରା ପ୍ରଥମ ଥର ପ୍ରଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଟ୍ରଫି ଭେଟିଦେଲା। ଏଥି ସହିତ ନ୍ୟୁଜିଲାଣ୍ଡ୍ ମଧ୍ୟ ଆଇସିସି ଦଳଗତ ମାନ୍ୟତାର ଶୀର୍ଷ କାହିଁକି ପାଇଛି ତାହା ପ୍ରମାଣିତ କରିଦେଲା।
ଭାରତୀୟ ଦ୍ରୁତ ବୋଲର ସଂପୂର୍ଣ୍ଣ ପ୍ରଭାବହୀନ ରହିଥିଲା ବେଳେ କେବଳ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ହିଁ ଦୁଇ ପ୍ରାରମ୍ଭିକ ଖେଳାଳିଙ୍କୁ ଆଉଟ୍ କରି ଚାପ ପ୍ରୟୋଗ କରିଥିଲେ। ପ୍ରଥମ ପାଳିରେ ମାତ୍ର ୨୧୭ ରନ୍ କରିଥିଲା ବେଳେ ନ୍ୟୁଜିଲାଣ୍ଡ ୨୪୯ ରନ୍ କରି ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା।
ପୂର୍ବରୁ ପ୍ରଥମ ପାଳିରେ ୩୨ ରନ୍ରେ ପଛୁଆ ଥିବା ଭାରତୀୟ କ୍ରିକେଟ୍ ଦଳ ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ବିନିମୟରେ ୬୪ ରନ୍ କରି ନେଇଥିଲା। ଅଧିନାୟକ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ଅପରାଜିତ ରହିଥିଲେ। ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର କରି ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି କରିବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ଉଭୟ କୋହଲି ଓ ପୂଜାରା ପୂରା ନିରାଶ କଲେ। ଦୁଇ ଜଣ ଯାକ ଆଗ ପଛ ହୋଇ ମାତ୍ର ୧ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ନ୍ୟୁଜିଲାଣ୍ଡ ରଚିଥିବା ଚକ୍ରବ୍ୟୂହକୁ ଭାଙ୍ଗିବାରେ ପରବର୍ତ୍ତୀ ବ୍ୟାଟର ବି ବିଫଳ ହୋଇଥିଲେ। କେବଳ ଯୁବ ୱିକେଟ୍ରକ୍ଷକ ଋଷବ ପନ୍ତ (୪୧)ଙ୍କ ଛଡ଼ା କେହି ଯେମିତି ନ୍ୟୁଜିଲାଣ୍ଡ ବୋଲରଙ୍କ ବୋଲିଂକୁ ବୁଝି ପାରିନଥିଲେ। ଅନୁଶାସନ ହୀନ ବ୍ୟାଟିଂ, ଦୁର୍ବଳ ସଟ୍ ଚୟନ ଏବଂ କିୱି ଦ୍ରୁତ ବୋଲରଙ୍କ ଗତି, ବାଉନ୍ସ ଓ ବିବିଧତା ଭରା ବୋଲିଂର ସମ୍ମୁଖୀନ ହୋଇନପାରି ଶେଷ ୮ ୱିକେଟ୍ ୧୦୬ ଏବଂ ଶେଷ ୫ ୱିକେଟ୍ ୩୮ ରନ୍ରେ ହରାଇ ୧୭୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ତାରକା ଖଚିତ ଭାରତୀୟ ଦଳ।