କଣ୍ଟାବାଞ୍ଜି ୩୧/୦୫: କଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣାରେ ୪ଜଣଙ୍କୁ ଗିରଫ କରିଛି କଂଟାବାଞ୍ଜି ପୋଲିସ । ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର ସଦାଶିବ ବନଛୋରଙ୍କ ବାପା ଗଣେଶ ବନଛୋର, ମାଆ ତୁଲସା ବନଛୋର, ଭଉଣୀ କୁମାରି ବନଛୋର, ସ୍ତ୍ରୀ ତପସ୍ୱନି ବନଛୋର ।
ଗିରଫ ୪ ଜଣଙ୍କୁ କଂଟାବାଞ୍ଜି ଜେ.ଏମ.ଏଫ.ସି. କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବା ଯୋଗୁ ତାଙ୍କୁ ବିଚାର ବିଭାଗୟ ହାଜତକୁ ପଠାଇ ଦିଆଯାଇଛି । ଫେବୃଆରି ୨୬ ତାରିଖ କଂଟାବାଞ୍ଜି ପୋଲିସ କୌଣସି ସୁତ୍ରରୁ ଖବର ପାଇ ଡଙ୍ଗାମରା ଗାଁରେ ସତାଶିବ ବନଛୋରଙ୍କ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ଯାହ ମିଳିଥିଲା ତାହା ଦେଖି ପୋଲିସ ତାଜୁବ ହୋଇଯାଇଥିଲା ।
ଚୋରି ସାମଗ୍ରୀର ପରିମାଣ ଏତେ ଥିଲା ଯେ ପୋଲିସକୁ ତାକୁ ଜବତ କରି ଥାନାକୁ ନେବାକୁ ଦୁଇରୁ ତିନିଟି ଚାରି ଚକିଆ ଗାଡି ଭଡା କରିବାକୁ ପଡିଥିଲା । ଦାମି କ୍ୟାମେରା, କମ୍ପ୍ୟୁଟର, ଲ୍ୟାପଟପ, ପ୍ରିଣ୍ଟର, ଲୁହା ଛଡ, ଚାଉଳ, ଡାଲି, ଦାମି ଆସାବପତ୍ର, ମୋଟର ସାଇକେଲ, ଜେନେରେଟର ଭଳି ପ୍ରାୟ ୨୦ ଲକ୍ଷ ଟଙ୍କାର ଅଧିକ ସାମଗ୍ରୀ ଜବତ ହୋଇଥିଲା । ସେହି ସମୟରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।