ରାଜ୍ୟ

ଠିକ୍‌ ଭାବେ ହେଉନି ଜଳ ପରିଚାଳନା: ବରବାଦ୍‌ ହେଲା ୫ ଫୁଟ ହୀରାକୁଦ ପାଣି

ସମ୍ବଲପୁର : ଛତିଶଗଡ଼ ସରକାର ନିଜ ଭାଗର ମହାନଦୀ ପାଣି ବରବାଦ କରୁଥିବା ନେଇ ଓଡ଼ିଶା ଉପରେ ସବୁବେଳେ ଦୋଷ ଲଦିଆସୁଛି। ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏବେ ପୁଣି ହୀରାକୁଦ ଜଳଭଣ୍ଡାରର ୫ ଫୁଟ୍‌ରୁ ଅଧିକ ଜଳ ବ୍ୟବହାର ହୋଇନପାରି ବେକାର ଯାଇଛି। ଅନ୍ୟ ପଟେ ଗତ ମେ ଓ ଜୁନ୍ ମାସରେ ବିଦ୍ୟୁତ୍ ଉତ୍ପାଦନ କ୍ଷତି ପ୍ରାୟ ୪୮ ନିୟୁତ ୟୁନିଟ୍ ହେବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି।

ଅଣମୌସୁମୀ ଜଳ ପ୍ରବାହ ପାଇଁ ଓଡ଼ିଶା ଟ୍ରିବୁନାଲର ଆଶ୍ରୟ ନେଇଛି। ଅନ୍ୟ ପଟେ ଜଳଭଣ୍ଡାରର ଗଚ୍ଛିତ ଜଳର ଠିକ୍ ଉପଯୋଗ ହେଉନାହିଁ। ଅଣମୌସୁମୀରେ ହୀରାକୁଦ ଜଳଭଣ୍ଡାର ଜଳର ସଦୁପଯୋଗ ନିମନ୍ତେ ଶକ୍ତି ଓ ଜଳ ସଂପଦ ବିଭାଗ ଦ୍ୱାରା ଯୁଗ୍ମ କାର୍ଯ୍ୟ ଖସଡ଼ା (ଜଏଣ୍ଟ ୱାର୍କିଂ ଟେବଲ୍‌) ପ୍ରସ୍ତୁତ କରାଯାଇଛି। ଏହି ଯୁଗ୍ମ କାର୍ଯ୍ୟ ଖସଡ଼ାକୁ ଅନୁସରଣ କରି ଜଳ ପରିଚାଳନା କରାଯାଇଥାଏ। ଅତି କମ୍‌ରେ ପ୍ରତି ୧୫ ଦିନରେ ଥରେ ହୀରାକୁଦ ଜଳସ୍ତର, ଜଳସେଚନ ତଥା ବିଦ୍ୟୁତ୍ ଉତ୍ପାଦନ ଇତ୍ୟାଦି ପାଇଁ ଉପଯୋଗ ହୋଇଥିବା ଜଳର ପରିମାଣ ସମୀକ୍ଷା କରିବା ଆବଶ୍ୟକ ପଦକ୍ଷେପ ନିଆଯିବା କଥା। ଚିପିଲିମା ବିଦ୍ୟୁତ୍ କେନ୍ଦ୍ରର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଅନୁଯାୟୀ ବୁର୍ଲା କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳଭଣ୍ଡାରର ଜଳ ବ୍ୟବହାର କରାଯିବା ଉଚିତ। ଯାହା ଦ୍ୱାରା ବୁର୍ଲା ବିଦ୍ୟୁତ୍ କେନ୍ଦ୍ରରୁ ନିଷ୍କାସିତ ଜଳ ଆଉ ଥରେ ପୁଣି ଚିପିଲିମାରେ ପୂରା ଭାବେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଉପଯୋଗ ହୋଇପାରିବ। କିନ୍ତୁ ସେଭଳି ହେଉ ନାହିଁ।

YouTube

ପ୍ରାପ୍ତ ତଥ୍ୟ ଅନୁସାରେ, ଚଳିତ ବର୍ଷ ଗତ ମେ ୧ ତାରିଖରୁ ୧୯ ମଧ୍ୟରେ ବୁର୍ଲା ଜଳ ବିଦ୍ୟୁତ୍ କେନ୍ଦ୍ରରେ ହାରାହାରି ସେକେଣ୍ଡ ପ୍ରତି ୧୨,୭୦୦ ଘନଫୁଟ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରୁଥିଲା। ସେହି ସମୟରେ ଚିପିଲିମାରୁ ହାରାହାରି ସେକେଣ୍ଡ ପ୍ରତି ପ୍ରାୟ ୮,୦୦୦ ଘନଫୁଟ ଜଳ ବ୍ୟବହାର କରାଯାଇ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ଏଥିରୁ ସ୍ପଷ୍ଟ ଯେ ହାରାହାରି ସେକେଣ୍ଡ ପ୍ରତି ୪୭୦୦ ଘନଫୁଟ ଜଳ ଚିପିଲିମାରେ ବିଦ୍ୟୁତ୍‌ ଉତ୍ପାଦନ ନିମନ୍ତେ ବ୍ୟବହାର ନହୋଇ ରେଲୱେ ବ୍ରିଜ ପାଖରେ ଥିବା ସାଇଫନ୍ ଦେଇ ମହାନଦୀକୁ ନିଷ୍କାସିତ ହେଉଥିଲା। ଏହି ଜଳର ସଦୁପଯୋଗ ହୋଇଥିଲେ ପ୍ରାୟ ୧୧ ନିୟୁତ ୟୁନିଟ ବିଦ୍ୟୁତ୍ ଉତ୍ପାଦନ ହୋଇପାରିଥାନ୍ତା। ଅର୍ଥାତ, ଏହି ଅବଧି‌ ମଧ୍ୟରେ ୧୧ ନିୟୁତ ବିଦ୍ୟୁତ୍ ଉତ୍ପାଦନ କ୍ଷତି ହୋଇଛି।

ହୀରାକୁଦ ଜଳଭଣ୍ଡାରର ଡେଥ୍‌ ଷ୍ଟୋରେଜ୍ ଜଳସ୍ତରର ୫୯୦ ଫୁଟ ଧରାଯାଉଛି। ତେବେ, ବିଳମ୍ବରେ ବର୍ଷା ହେଲେ ମଧ୍ୟ ଜଳସେଚନ ଯେମିତି ପ୍ରଭାବିତ ନହେବ, ସେଥିପାଇଁ ପାଇଁ ଜୁନ୍ ୨୫ ବେଳକୁ ଜଳଭଣ୍ଡାରର ଜଳସ୍ତର ୫୯୫ ଫୁଟ ରଖାଯାଉଛି। ଚଳିତ ବର୍ଷ କିନ୍ତୁ ଜଳସ୍ତର ୬୦୦ ଫୁଟରୁ ଅଧିକ ରହିଥିଲାl ଯାହା ଦ୍ୱାରା ପାଖାପାଖି ୦.୩୦୭ ନିୟୁତ ଏକର ଫୁଟ ଜଳ ଜୁନ୍ ୨୫ ମଧ୍ୟରେ ବ୍ୟବହାର ହୋଇପାରିଲା ନାହିଁ। ଆଉ ଏହି ଗଚ୍ଛିତ ଜଳ ଏବେ ବନ୍ୟା ଜଳରେ ରୂପାନ୍ତରିତ ହେବାକୁ ଯାଉଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଉ କିଛି ଦିନ ପରେ ବନ୍ୟାଜଳ ନିଷ୍କାସନ ହେବ ଆଉ ଏହି ସଂଚିତ ଜଳ ବନ୍ୟା ଜଳ ଆକାରରେ ସମୁଦ୍ରକୁ ଚାଲିଯିବ।

WordPress.com

ଏକ ହିସାବ ଅନୁସାରେ, ଉପଯୁକ୍ତ ଜଳ ପରିଚାଳନା ହୋଇଥିଲେ ବୁର୍ଲା ବିଦ୍ୟୁତ୍ କେନ୍ଦ୍ରରେ ପାଖାପାଖି ୧୯ ନିୟୁତ ୟୁନିଟ୍ ଏବଂ ଚିପିଲିମା ବିଦ୍ୟୁତ କେନ୍ଦ୍ରରେ ପ୍ରାୟ ୧୮ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରିଥାନ୍ତା। ଅର୍ଥାତ, ଜଳର ସଦୁପଯୋଗ ହୋଇନପାରି ଜୁନ୍ ମାସରେ ପ୍ରାୟ ୩୭ ନିୟୁତ ୟୁନିଟ ବିଦ୍ୟୁତ ଉତ୍ପାଦନ କ୍ଷତି ହୋଇଛି। ମେ ମାସ ବିଦ୍ୟୁତ୍ ଉତ୍ପାଦନ କ୍ଷତି ହିସାବକୁ ନେଲେ ସର୍ବମୋଟ ୪୮ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷତି ହୋଇଛି। ଏହି ବିଦ୍ୟୁତ ଉତ୍ପାଦନ ହୋଇଥିଲେ ରାଜ୍ୟକୁ ବିଭିନ୍ନ କଂପାନି ଠାରୁ ଅଧିକ ଦରରେ କିଣିବାକୁ ପଡ଼ିନଥାନ୍ତା। ଏବେ ପ୍ରଶ୍ନ ଉଠୁଛି, ଏଥିପାଇଁ ଦାୟୀ କିଏ ? ଆଉ କେତେଦିନ ଏମିତି ତ୍ରୁଟି ପରିଚାଳନା ଚାଲିବ?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।