ରାଜ୍ୟ ସ୍ପେଶାଲ ରିପୋର୍ଟ

ଠିକଣା ବଦଳାଉଛି ମାଓ ସଙ୍ଗଠନ: ବୈପାରିଗୁଡା-ପଟାଙ୍ଗି-ନନ୍ଦପୁର-ଲମତାପୁଟ ପାଲଟିଛି ନୂଆ କରିଡର

କୋରାପୁଟ : ଗ୍ରୀଷ୍ମରେ ରଣ କୌଶଳ ବଦଳାଉଛି ମାଓ ସଙ୍ଗଠନ। ଯବାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ମାଓବାଦୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ମାଓ ଦମନରେ ପୁଲିସକୁ ମିଳି ପାରୁନି ସଫଳତା। ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁରରେ ଦବଦବା କମିବା ପରେ ଜିଲ୍ଲାର ବୈପାରିଗୁଡା-ପଟାଙ୍ଗି-ଲମତାପୁଟ-ନନ୍ଦପୁର ପାଲଟିଛି ନୂଆ କରିଡର୍। ପୁଲିସ୍ ଓ ଯବାନଙ୍କୁ ଚକମା ଦେବା ପାଇଁ କେ‌ତେବେଳେ ମାଓବାଦୀ ବୈପାରିଗୁଡା ତ କେତେବେଳେ ପଡୋଶୀ ଛତିଶଗଡକୁ ଗଳା ବାଟ ଦେଇ ଖସି ଯାଉଛନ୍ତି।

ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଲିସ ଅପହଞ୍ଚ ଅଞ୍ଚଳରେ ପ୍ରବେଶ କରି କମ୍ବିଂ ଅପରେସନକୁ ‌ଜୋର୍‌ଦାର୍ କରିଛି। ଗଛ ସବୁ ପତ୍ର ଝଡ଼ା ଦେଇଥିବାରୁ ଜଙ୍ଗଲରେ ଚଳପ୍ରଚଳ କରିବା ଯବାନଙ୍କ ପାଇଁ ସହଜ ହେଉଛି। ବଡ ଧରଣର ଜଙ୍ଗଲ ପୋଡି ହେଉନଥିବାରୁ ବିଏସଏଫ, ପୁଲିସ ଓ ଡିଭିଏଫ ଯବାନଙ୍କୁ ଏହା ବେଶ ସହାୟକ ହେଉଛି। ପୂର୍ବରୁ ନକ୍ସଲଙ୍କ ଗଡ ଥିଲା ନାରାୟଣପାଟଣା, ଲକ୍ଷ୍ମୀପୁର, ଲମତାପୁଟ, ପଟାଙ୍ଗି ଓ ବନ୍ଧୁଗାଁ। ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ନାରାୟଣପାଟରଶ, ବନ୍ଧୁଗାଁ, ଲକ୍ଷ୍ମୀପୁରରେ ନକ୍ସଲଙ୍କ ସ୍ଥିତି ଦୋହଲି ଯାଇଛି। ଏହି ଅଞ୍ଚଳ ଛାଡ଼ି ମାଓବାଦୀ ଏବେ ବୈପାରିଗୁଡା ବ୍ଲକକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ବୈପାରିଗୁଡାକୁ ସମ୍ପୂର୍ଣ୍ଣ କବଜା କରିବା ପାଇଁ ମାଓବାଦୀ ରଣନୀତି କରିଥିବା ବେଳେ ବିଶେଷକରି ‌ଘୋଡାଘାଟ ଓ ମାଳିପଦର ଅଞ୍ଚଳକୁ ଫୋକସ କରିଛି ଲାଲ୍ ବାହିନୀ। ଏହାର ନେତୃତ୍ବ ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ନେଇଛି।

ବୈପାରିଗୁଡା ଏରିଆ କମିଟି ସହ ନୂଆ ସଦସ୍ୟଙ୍କୁ ସଂଗଠନରେ ସାମିଲ କରିବାକୁ ଲାଗି ପଡିଛି ଲାଲ୍ ବାହିନୀ। ବୈପାରିଗୁଡା ଦେଇ ଆନ୍ଧ୍ର ଓ ମାଲକାନଗିରି ଯିବାକୁ ସୁବିଧା ହେଉଥିବାରୁ ଏହାକୁ ଏକ ନିରାପଦ କରିଡର ଭାବେ ସେମାନେ ବାଛି ନେଇଛନ୍ତି। ଏଥି ସହ ନନ୍ଦପୁର ଓ ପଟାଙ୍ଗି ବ୍ଲକରେ ଶକ୍ତି ବୃଦ୍ଧି ପାଇଁ ଭିତ୍ତିଭୂମି ସଜାଡିବାରେ ଲାଗିଛି ମାଓ ସଙ୍ଗଠନ। ବୈପାରିଗୁଡା ବ୍ଲକରେ ମାଓ ଗତିବିଧି ବଢିଥିବା ବେଳେ ପୁଲିସ ସଜାଗ ହୋଇ ରହିଛି। ଅନେକ ସମୟରେ ଛତିଶଗଡରେ ପୁଲିସ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇ କୋରାପୁଟ ଜିଲ୍ଲାକୁ ପଳାଇ ଆସୁଛନ୍ତି। ଏଠାରେ କମ୍ବିଂ ଜୋରଦାର ପରେ ମାଓବାଦୀ ପୁଣି ଛତିଶଗଡ ମୁହାଁ ହେଉଛନ୍ତି। ବର୍ଷ ତମାମ ମାଓବାଦୀ ଓଡ଼ିଶା-ଆନ୍ଧ୍ର-ଛତିଶଗଡ ମଧ୍ୟରେ ଚଳପ୍ରଚଳ ହେଉଛନ୍ତି। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ୍ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଛି।

କିଛି ବର୍ଷ ହେଲା ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଅଞ୍ଚଳରେ ମାଓ ହି˚ସା ଏକ ପ୍ରକାର ବନ୍ଦ ହୋଇଛି। ଗତ ଦିନରେ ନାରାୟଣପାଟଣା ଡକରି ଘାଟିରେ ପୁଲିସ ଗୁଳିରେ ୪ ମହିଳା ମାଓବାଦୀ ନିହତ ହୋଇଥିଲେ। ତେବେ ଅଳ୍ପକେ ଖସି ଯାଇଥିଲେ ଟପ ମାଓନେତ୍ରୀ ଅରୁଣା। ପୁଲିସର ଘନଘନ ଆକ୍ରମଣରେ ମାଓବାଦୀଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ବିଏସଏଫ କ୍ୟାମ୍ପ ମାଓବାଦୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିଏସଏଫ ପକ୍ଷରୁ ନିୟମିତ ବ୍ୟବଧାନରେ କମ୍ବି˚ ଅପରେସନ୍ ଚାଲିଥିବା ବେଳେ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ସହ ଭିତ୍ତିଭୂମି ବିକାଶ ହେଉଥିବାରୁ ଲୋକେ ନକ୍ସଲଙ୍କ କଥାରେ ପୂର୍ବ ଭଳି ପ୍ରଭାବିତ ହେଉନାହାନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାରେ ମାଓବାଦୀ ସାମାନ୍ୟତମ ପ୍ରଭାବ ପକାଇ ପାରି ନାହାନ୍ତି। ପଡୋଶୀ ନନ୍ଦପୁର ଓ ପଟାଙ୍ଗିରେ ମାଓ ଗତିବିଧି ପୂର୍ବରୁ ସକ୍ରିୟ ଥିଲା। ବିଭିନ୍ନ ସମୟରେ ପଟାଙ୍ଗିରେ ମାଓବାଦୀମାନେ ହି˚ସାକାଣ୍ତ ଘଟାଉଥିଲେ। ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୮ ଯବାନଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଅଧିକ ସତର୍କ ‌ହୋଇଥିଲା। ପଟାଙ୍ଗି ବ୍ଲକର ରେଡ୍ କରିଡର ଭାବେ ଜଣାଶୁଣା କୋଟିଆ ଅଞ୍ଚଳରେ ପୁଲିସ ବାରମ୍ବାର କମ୍ବିଂ ପରେ ମାଓବାଦୀ ପଛଘୁଞ୍ଚା ଦେଇଥିଲେ।

recommended by

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।