ସୋର: ‘ମୁଁ କାଉନ୍ସିଲ୍ ଅଫିସ୍ରୁ କହୁଛି। ବିଶ୍ୱଜିତା ବିଶ୍ୱାଳ ତ…? ଯୁକ୍ତ ଦୁଇ ପରୀକ୍ଷାରେ ତମର ଭଲ ନମ୍ବର ନାହିଁ। ଫୋନ୍ପେ’ରେ ଟଙ୍କା ପଠାଅ, ତମ ନମ୍ବର ବଢ଼ାଇ ଦିଆଯିବ।’ ଏମିତି କଥା ଶୁଣି ଘାବରେଇ ଯାଇଥିଲେ ବାଲେଶ୍ବର ଜିଲ୍ଲା ସୋର ଥାନା ତୁଣ୍ଡପଡ଼ା ଗ୍ରାମର ବିଜୟ କୁମାର ବିଶ୍ବାଳଙ୍କ ଝିଅ ବିଶ୍ୱଜିତା ବିଶ୍ୱାଳ। ଗତକାଲି ମଧ୍ୟାହ୍ନରେ ଜଣେ ଅପରିଚିତ ବ୍ୟକ୍ତି ବିଶ୍ବଜିତାଙ୍କୁ ଫୋନ୍ କରି ତାଙ୍କ ନାମ ସହ ଘର ଠିକଣା ମଧ୍ୟ କହିଦେଇଥିଲେ। ତାଙ୍କ ନାଁ ଓ ଘର ଠିକଣା କେମିତି ଜାଣିଲେ ବୋଲି ବିଶ୍ବଜିତା ସଂଶୟରେ ପଡ଼ିଥିବା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ପୁଣି କହିଥିଲେ, ‘ତୁମର ପ୍ଲସ୍-ଟୁ ପରୀକ୍ଷାରେ ଭଲ ନମ୍ବର ନାହିଁ। ଫୋନ୍ପେ’ରେ ୮ ହଜାର ଟଙ୍କା ପଠାଇଲେ ନମ୍ବର ୭୦ ପ୍ରତିଶତକୁ ବଢ଼ାଇ ଦିଆଯିବ।’ ବିଶ୍ବାସ ଓ ଅବିଶ୍ବାସ ଦୋ’ଛକିରେ ଥିଲେ ମଧ୍ୟ ବିଶ୍ବଜିତା ଉପସ୍ଥିତ ବୁଦ୍ଧି ଖଟାଇ କରି ତାଙ୍କର ପରୀକ୍ଷା ରୋଲ୍ ନମ୍ବର ଜାଣିଛନ୍ତି କି’ ବୋଲି ପଚାରିଥିଲେ।
ଏ କଥା ଶୁଣିବାପରେ ସଂପୃକ୍ତ ବ୍ୟକ୍ତିଜଣକ ଫୋନ୍ କଲ୍ କାଟି ଦେଇଥିଲା। ଏ ନେଇ ବିଶ୍ବଜିତା ଘର ଲୋକଙ୍କୁ ଜଣାଇବା ସହ ଫୋନ୍ କଲ୍ର ତନାଘନା କରିଥିଲେ। ଶେଷରେ ଜଣାପଡ଼ିଥିଲା ଯେ, ଦୁର୍ବୃତ୍ତଜଣକ ପରୀକ୍ଷାରେ ନମ୍ବର ବଢ଼ାଇବା ବାହାନା କରି ତାଙ୍କଠାରୁ ଟଙ୍କା ଠକିନେବାକୁ ଉଦ୍ୟମ କରିଥିଲା। ଏମିତିକି ବିଶ୍ବାସଭାଜନ ହେବାପାଇଁ ଉକ୍ତ ଧୂର୍ତ୍ତ ବ୍ୟକ୍ତିଜଣକ କୌଣସି ସୂତ୍ରରୁ ବିଶ୍ବଜିତାଙ୍କ ସମେତ ତାଙ୍କ ବାପାମାଆଙ୍କ ନାଁ, ଘର ଠିକଣା, ସେ ପଢ଼ୁଥିବା ସୋର ଉପେନ୍ଦ୍ରନାଥ କଲେଜ ନାଁ ପ୍ରଭୃତି ସଂଗ୍ରହ କରିଥିଲା। କେବଳ ବିଶ୍ବଜିତା ନୁହନ୍ତି, ସୋର ଅଞ୍ଚଳରେ ଏକାଧିକ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଖକୁ ଗଲା କିଛିଦିନ ଧରି ଏମିତି ଫୋନ୍କଲ୍ ଆସୁଥିବା ଜଣାପଡ଼ିଛି। ପ୍ରଶ୍ନ ଉଠୁଛି, ପରୀକ୍ଷାର୍ଥୀଙ୍କ ନମ୍ବର ଓ ଠିକଣା ଠକ ବ୍ୟକ୍ତି ପାଉଛନ୍ତି କେମିତି? ଏହି ଘଟଣାକୁ ଗୁରୁତ୍ବର ସହ ନେଇ ପୁଲିସ ଓ ଉଚ୍ଚମାଧମିକ ଶିକ୍ଷା ବିଭାଗ ଏହାର ତଦନ୍ତ କରୁ ବୋଲି ଅଭିଭାବକ ମହଲରେ ଦାବି ହୋଇଛି। ସୂଚନାଥାଉକି; ବିଶ୍ବଜିତା ସୋର ଉପେନ୍ଦ୍ରନାଥ ଜୁନିୟୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିବା ବେଳେ ଏଥର ଶେଷବର୍ଷ ପରୀକ୍ଷା ଦେଇଛନ୍ତି।