ରାଜ୍ୟ

ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ କଲମାର ୧୭ ଗେଟ୍‌ ଖୋଲିଦେଲେ: ତୃତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା/ବରଗଡ଼: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା ହୋଇଥିଲା। ପାଣି ଛଡ଼ାଯାଉ ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ କରିଥିବାବେଳେ ଛତିଶଗଡ଼ ଏହି ଅଭିଯୋଗ ଠିକ୍‌ ନୁହେଁ ବୋଲି କହି ଖଣ୍ଡନ କରିଥିଲା। ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଏହି ଯୁକ୍ତିତର୍କର ଏକ ଭିଡିଓ କ୍ଲିପ୍‌ ମଧ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ସୂରଜଗଡ଼ରେ କ୍ଷେତ୍ର ପରିଦର୍ଶନ ପରେ ଟ୍ରିବ୍ୟୁନାଲ୍‌ ସଦସ୍ୟ ରାୟଗଡ଼କୁ‌ ଫେରିଥିଲେ। ବୁଧବାର ସକାଳୁ ଏହି ଟିମ୍‌ କେଲୋ ପ୍ରକଳ୍ପ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ଜଣାପଡ଼ିଛି।

ଅଣ ମୌସୁମି ସମୟରେ ଛତିଶଗଡ଼ରେ ମହାନଦୀ ଉପରେ କରାଯାଇଥିବା ବ୍ୟାରେଜ୍‌ ଓ ଆନିକଟରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଯିବା ଭୟରେ ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ଗସ୍ତ ପୂର୍ବରୁ କଲମା ବ୍ୟାରେଜର ୧୭ଟି ଗେଟ ଦେଇ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ିଦେଇଥିଲା। ଟ୍ରିବ୍ୟୁନାଲଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରୁ ଛତିଶଗଡ଼ ସରକାରଙ୍କ ଏହି ଚାଲାଖି ଚାଲିଆସିଛି। ପ୍ରଥମ ପର୍ଯ୍ୟାୟ ଗସ୍ତ ପରେ କଲମାର ୨୦ ଗେଟ୍‌ରୁ ୧୯ଟିକୁ ବନ୍ଦ କରି ଗୋଟିଏ ଗେଟ୍‌ରେ ମହାନଦୀକୁ ଜଳ ନିଷ୍କାସନ କରାଯାଉଥିଲା। ସେଥିରୁ ବି କଲମାର ତଳ ମୁଣ୍ଡରେ ଥିବା କଳକାରଖାନା ପାଣି ଉଠାଇ ନେଉଥିଲେ। ଫଳରେ ତଳମୁଣ୍ଡକୁ ଆଦୌ ପାଣି ଆସୁନଥିଲା କହିଲେ ଚଳେ। ତେବେ ଆଜି କଲମା ପରିଦର୍ଶନ ରହିଥିବାରୁ ଏହି ଚାଲାଖି ଟ୍ରିବ୍ୟୁନାଲ୍‌ ଆଖିରେ ପଡ଼ିଯିବା ଆଶଙ୍କାରେ ସକାଳୁ ପୁଣି ୧୭ ଗେଟ୍‌ ଖୋଲି ଦିଆଯାଇଥିବା ସୂଚନା ମିଳିଛି। ଆଜି କେବଳ କଲମା ନୁହେଁ ବରଂ ଛତିଶଗଡ଼ର ଅନ୍ୟ ବ୍ୟାରେଜ୍‌ ଓ ଆନିକଟରୁ ବି ପାଣି ଛାଡ଼ି ଛତିଶଗଡ଼ ସରକାର ଟ୍ରିବ୍ୟୁନାଲ ସମ୍ମୁଖରେ ନାଟକବାଜି କରିଥିବା ଅଭିଯୋଗ ହୋଇଛି। ଆଜି କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଅନ୍ୟ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହୋଇଥିଲେ।

ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଛତିଶଗଡ଼ ସରକାର ମହାନଦୀର ବ୍ୟାରେଜ୍‌ ଓ ଆନିକଟରେ ପାଣି ଉଛୁଳୁଥିବାବେଳେ ଓଡ଼ିଶା ପଟ ଶୁଖିଲା ପଡ଼ିଛି। ଆଜିର ସ୍ଥିତି ଅନୁସାରେ, କଲମା ବ୍ୟାରେଜ୍‌ରେ ନିର୍ଦ୍ଧାରିତ କ୍ଷମତାରେ ପାଣି ଗଚ୍ଛିତ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଛତିଶଗଡ଼ର ଏହି ଦାଦାଗିରି ପାଇଁ କେବଳ ଓଡ଼ିଶା ନୁହେଁ ବରଂ କଲ୍‌ମା ବ୍ୟାରେଜ୍‌ ତଳେ ଥିବା ଛତିଶଗଡ଼ର ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ୟାରେଜ୍‌ ନିର୍ମାଣ ପୂର୍ବରୁ ଏହି ଅଞ୍ଚଳର ଲୋକେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ବ୍ୟାରେଜ୍‌ ହେବା ପରେ ଏଠାକାର ପାଣି ସିଧାସଳଖ ଚାଷୀଙ୍କ ‌କ୍ଷେତକୁ ଯିବ ବୋଲି କୁହାଯାଇଥିଲା। ମାତ୍ର ଛତିଶଗଡ଼ ସରକାର ବ୍ୟାରେଜର ପ୍ରାୟ ପାଣି କଳ କାରଖାନାକୁ ବିକ୍ରି କରିଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।