ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆପଣ ଘରୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ କେତେ ସମୟ ପୂର୍ବରୁ ଗାଡ଼ି ଧରି ବାହାରୁଛନ୍ତି? ଅଫିସ, ସ୍କୁଲ, କଲେଜ, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଭଳି ଜରୁରି ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରୁଛନ୍ତି? ଏଭଳି ପ୍ରଶ୍ନର ଅଧିକାଂଶ ଉତ୍ତର ହେଉଛି- ନା। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ୍ ସମସ୍ୟା ଏବେ ସୀମା ଟପି ଯାଇଛି। ପୂର୍ବେ ସହରର ଗୋଟିଏ ଦୁଇଟି ଛକରେ ଏ ସମସ୍ୟା ଦେଖା ଯାଉଥିଲା, ଏବେ ଯୁଆଡ଼େ ଯିବ ସିଆଡ଼େ ଖାଲି ଜାମ୍ ଆଉ ଜାମ୍। ଛକ ଛକରେ ଟ୍ରାଫିକ୍ ସମସ୍ୟା। ପରିସ୍ଥିତି ଏପରି ହେଲାଣି ଯେ ଟ୍ରାଫିକ ଭିଡ଼ରେ ପଡ଼ିଗଲେ ମଣିଷ ଅଣନିଶ୍ବାସୀ ହୋଇ ପଡ଼ୁଛି। ଏପରିକି ଆମ୍ବୁଲାନ୍ସ, ପୁଲିସ ଭଳି ଜରୁରିକାଳୀନ ଗାଡ଼ି ଭିଡ଼ ଭିତରେ ଅଟକି ଯାଉଛି। ସହରର କାୟା ଓ ଗାଡ଼ି ସଂଖ୍ୟା ଯେତିକି ବଢ଼ି ବଢ଼ି ଯାଉଛି ଟ୍ରାଫିକ୍ ସମସ୍ୟା ସହ ଲୋକେ ସେତିକି ଲଢ଼େଇ କରୁଛନ୍ତି। ଜାତୀୟ ରାଜପଥ ସମେତ ସହର ଭିତରେ କାଁ ଭାଁ ତିଆରି ହୋଇଥିବା ଫ୍ଲାଏଓଭରସବୁ ଏ ସମସ୍ୟାକୁ ସୁଧାରିବାରେ ବିଶେଷ ସଫଳ ହୋଇନାହିଁ। ଆଉ କିଛି କରା ନଗଲେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ।
ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ପ୍ରବେଶ ପଥ ସମେତ ପ୍ରାୟ ୧୨ଟି ପ୍ରମୁଖ ଛକରେ ପ୍ରତିଦିନ ଟ୍ରାଫିକ ଜାମ୍ ସମସ୍ୟାରେ ଲୋକ ଦହଗଞ୍ଜ ହେଉଛନ୍ତି। ସେହି ଛକଗୁଡ଼ିକ ହେଲା: ହଂସପାଳ, ପଳାସୁଣି, ରସୁଲଗଡ଼, ବମିଖାଲ, ରବି ଟକିଜ୍, ଏଜି, ଖଣ୍ଡଗିରି, ସିଆର୍ପି, ଜୟଦେବ ବିହାର, ପଟିଆ, ଡମଣା, କଳିଙ୍ଗ ହସ୍ପିଟାଲ ଓ ବାଣୀବିହାର ଛକ।
କଟକ ପଟୁ ଭୁବନେଶ୍ବରକୁ ପ୍ରବେଶ ବେଳେ ହଂସପାଳ ହେଉଛି ପ୍ରମୁଖ ଓ ପ୍ରଥମ ଛକ। କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଏହି ଛକକୁ ବାଲିଅନ୍ତା ରାସ୍ତା ସଂଯୋଗ ହେଉଛି। ଏଠାରେ ଅନେକ ବର୍ଷ ହେଲା ଫ୍ଲାଏ ଓଭରବ୍ରିଜ୍ କାମ ଚାଲୁଥିବାରୁ ଏହି ଛକରେ ଅସମ୍ଭାଳ ଭିଡ଼ ହେଉଛି। ହଂସପାଳ ଅତିକ୍ରମ କରି ରସୁଲଗଡ଼ ଅଭିମୁଖେ ଆସିବା ସମୟରେ ପୁଣି ଚିନ୍ତା ବଢ଼ାଉଛି ପଳାସୁଣି ଛକ। ଭିଡ଼ରେ ପଳାସୁଣି ଛକ ମଧ୍ୟ ଅନେକ ସମୟରେ ଅଚଳ ହୋଇ ଯାଉଛି। ରସୁଲଗଡ଼ ଛକ ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ଲାଗି ରହୁଛି। ଅନେକ ସମୟରେ ରସୁଲଗଡ଼ରୁ ହଂସପାଳ ଛକ ପର୍ଯ୍ୟନ୍ତ ସାଂଘାତିକ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ରସୁଲଗଡ଼ କଳ୍ପନା ଛକ ରାସ୍ତାରେ ବମିଖାଲ ନିକଟରେ ମଧ୍ୟ ଅସମ୍ଭାଳ ହୋଇ ପଡ଼ୁଛି ଟ୍ରାଫିକ୍। ବମିଖାଲରୁ ରସୁଲଗଡ଼ ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ସଙ୍ଗିନ୍ ହୋଇଯାଉଛି ସମସ୍ୟା। ପଳାସୁଣି ନିକଟରେ ମଧ୍ୟ ପ୍ଲାନିଂ ଜନିତ ତ୍ରୁଟି ରହିଛି। ବାଣୀବିହାର ପଟୁ ୪ ଲେନ୍ ରାସ୍ତା ଆସିଥିବା ବେଳେ ଓଭରବ୍ରିଜରେ ଦୁଇ ଲେନ୍ ହୋଇଯାଉଛି। ବସ୍ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ଜାମ୍ ହେଉଛି।
ଏହି ଦୁଇଟି ଛକ ଜାମ୍ ରହୁଥିବାରୁ ରସୁଲଗଡ଼ ଭିଡ଼ ହୋଇ ଯାଉଛି। ରବି ଟକିଜ୍ ଅଣଓସାରିଆ ରାସ୍ତା ହୋଇଥିବା ବେଳେ ଦୋକାନ ବଜାର ରାସ୍ତାକୁ ଲାଗି କରି ରହିଛି। ତେଣୁ ଏହି ଛକ ଜାମ୍ ହେଉଛି। ନ୍ୟୁ ଭୁବନେଶ୍ବର କୁହା ଯାଉଥିବା ଜୟଦେବବିହାରରୁ ପଟିଆ ଏବେ ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା ପାଲଟି ଯାଇଛି। ମାଳ ମାଳ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପାଇଁ ସେ ରାସ୍ତାରେ ହଜାର ହଜାର ଗାଡ଼ି ଦୌଡ଼ୁଛି। ଚାରିଦିଗକୁ ସଂଯୋଗ କରୁଥିବା ଡମଣା, ପଟିଆ ଓ ମ୍ୟାଗ୍ନେଟିକ୍ ଛକରେ ଅସମ୍ଭାଳ ଭିଡ଼ ହେଉଛି। ସେହିପରି ତ୍ରିଶୁଳିଆ ଦେଇ କଟକକୁ ରାସ୍ତା ସଂଯୋଗ ହେଉଥିବାରୁ ଗାଡ଼ିମୋଟର ସଂଖ୍ୟା ବଢ଼ି ଯାଇଛି। ଗାଡ଼ି ସଂଖ୍ୟା ଅନୁସାରେ ରାସ୍ତା ଜବରଦଖଲ ଯୋଗୁଁ ଟ୍ରାଫିକ୍ ଜାମ୍ ହେଉଛି। ସେହିପରି ଖଣ୍ଡଗିରି ଅନ୍ୟତମ ପ୍ରବେଶ ପଥ ହୋଇଥିବାରୁ ସେଠାରେ ମଧ୍ୟ ପ୍ରବଳ ଭିଡ଼ ହେଉଛି।
୧୬ ଲକ୍ଷ ଟପିଲାଣି ଗାଡ଼ି, ବଢ଼ିବଢ଼ି ଚାଲିଛି ଚାରି ଚକିଆ
ରାଜଧାନୀରେ ଗାଡ଼ି ସଂଖ୍ୟା ୧୬ ଲକ୍ଷ ଟପି ଗଲାଣି। ଚାରି ଚକିଆ ଗାଡ଼ି ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଯାହା ଟ୍ରାଫିକ୍ ଜାମ୍ର ବଡ଼ କାରଣ। ମିଳିଥିବା ସୂଚନା ଅନୁସାରେ, ୨୦୨୩ ମେ’ ସୁଦ୍ଧା ଆର୍ଟିଓ-୧ରେ ୧୨ ଲକ୍ଷ ୫୧ ହଜାର ୯୧୫ ଗାଡ଼ି ପଞ୍ଜୀକୃତ ହୋଇଛି। ସେହିପରି ଚଳିତ ବର୍ଷ ମେ’ ସୁଦ୍ଧା ଆର୍ଟିଓ-୨ରେ ୩ ଲକ୍ଷ ୨୪ ହଜାର ୯୫୩ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାକୁ ମିଶାଇଲେ ୧୫ ଲକ୍ଷ ୭୬ ହଜାର ୮୬୮ ଗାଡ଼ି ହେଉଛି। ଏବେ ସୁଦ୍ଧା ଏହା ୧୬ ଲକ୍ଷ ଅତିକ୍ରମ କରିଥିବା ଅନୁମାନ କରାଯାଉଛି। ପ୍ରତିଦିନ ରାଜଧାନୀକୁ ପ୍ରାୟ ୧ ଲକ୍ଷ ଗାଡ଼ି ଚଳାଚଳ ହେଉଛି। ଟ୍ରାଫିକ୍ ସମସ୍ୟାର ଏହା ଅନ୍ୟତମ କାରଣ ।
ଫାଙ୍କା ପଡ଼ିଛି ୮୦ ପଦବି, ଜରିମାନା ଆଦାୟରେ ମାତିଛି ପୁଲିସ
ରାଜଧାନୀ ଟ୍ରାଫିକ୍ ପୁଲିସରେ ପ୍ରାୟ ୩୫୦ ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ୮୦ରୁ ଅଧିକ ପଦବି ଫାଙ୍କା ପଡ଼ିଥିବା ଜଣାପଡ଼ିଛି। ରାଜଧାନୀର କାୟା ବଢ଼ି ଚାଲିଥିବାବେଳେ ମୁକାବିଲା କରିବା ଲାଗି ଟ୍ରାଫିକ୍ କର୍ମଚାରୀଙ୍କ ସଂଖ୍ୟା କମ୍ ରହିଛି। ସେହିପରି ଜରିମାନା ଆଦାୟରେ ଗୋଟିଏ ଜାଗାରେ ୩ରୁ ୪ ଟ୍ରାଫିକ୍ କର୍ମଚାରୀ ମୁତୟନ ରହୁଛନ୍ତି। ଯାହା ଫଳରେ ଭିଡ଼ ପରିଚାଳନା ଠିକ୍ ଭାବେ ହୋଇପାରୁନି।
ଚାଳକଙ୍କୁ ମିଳୁନି ସୂଚନା
ସ୍ମାର୍ଟସିଟି ହୋଇଥିଲେ ହେଁ ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍ ସମ୍ପର୍କରେ ଗାଡ଼ିଚାଳକମାନଙ୍କୁ କୌଣସି ସୂଚନା ମିଳୁନାହିଁ। ଯଦି ଗୋଟିଏ ଛକ ଜାମ୍ ହୋଇଛି, ତା’ହେଲେ କେଉଁ ରାସ୍ତା ଦେଇ ଗଲେ ଭିଡ଼ ଭିତରେ ଫସିବାକୁ ପଡ଼ିବନି, ସେ ନେଇ କମିସନରେଟ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ।
ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେଲେ ଟ୍ରାଫିକ୍ ସମସ୍ୟା କମିବ
ରାଜଧାନୀରେ ଜରିମାନା ଆଦାୟକୁ ଅଧିକ ଗୁରୁତ୍ବ ଦେଉଛି ଟ୍ରାଫିକ୍ ପୁଲିସ। ସିସିଟିଭି କ୍ୟାମେରା ଥାଇ ମଧ୍ୟ ଏହା କେବଳ ଚାଲାଣ କାଟିବାରେ ବ୍ୟବହାର ହେଉଛି। ଲେନ୍ ଡ୍ରାଇଭିଂ ସିଷ୍ଟମ୍ କରାଯାଉନାହିଁ। ସବୁଠୁ ବଡ଼ କଥା ହେଲା ସ୍କୁଲ, କଲେଜ, ଅଫିସ ଗୋଟିଏ ସମୟରେ ରହୁଛି। ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଗାଡ଼ି ଚଳାଚଳ ହେଉଥିବା ବେଳେ ସେହି ସମୟରେ ଇଟା, ବାଲି, ରଡ୍, ସିମେଣ୍ଟ, ଅଳିଆ ଗାଡ଼ି ମଧ୍ୟ ଯାଉଛି। ଏହା ଟ୍ରାଫିକ୍ ଜାମ୍ର ଅନ୍ୟତମ କାରଣ। ଆଲୋଚନା ମାଧ୍ୟମରେ ସ୍କୁଲ, କଲେଜ ସମୟରେ ପରିବର୍ତ୍ତନ, ଘରୋଇ ଅଫିସ ସମୟ ପରିବର୍ତ୍ତନ, ଲେନ୍ ଡ୍ରାଇଭିଂ, ସିସିଟିଭି କ୍ୟାମେରା ମାଧ୍ୟମରେ ଟ୍ରାଫିକ୍ ପରିଚାଳନା ହୋଇପାରିଲେ ଭିଡ଼ରୁ ରକ୍ଷା ମିଳିପାରିବ।
-ପୀୟୂଷ ରଞ୍ଜନ ରାଉତ, ଅର୍ବାନ୍ ଟାଉନ୍ ପ୍ଲାନର
ଇଞ୍ଜିନିୟରିଂ, ପ୍ଲାନିଂ ତ୍ରୁଟି ପାଇଁ ସୃଷ୍ଟି ହେଉଛି ସମସ୍ୟା
ଇଞ୍ଜିନିୟରିଂ ତ୍ରୁଟି ଟ୍ରାଫିକ୍ ଜାମର ମୁଖ୍ୟ କାରଣ। ପ୍ରବଳ ଭିଡ଼ ହେଉଥିବା ସ୍ଥାନରେ ଗାଡ଼ିର ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ରାସ୍ତା ଅଣଓସାରିଆ ରହୁଛି। ସେହିପରି ପ୍ଲାନିଂରେ ତ୍ରୁଟି ମଧ୍ୟ ଆଉ ଏକ ପ୍ରମୁଖ କାରଣ। ପାର୍କିଂର ପର୍ଯ୍ୟାପ୍ତ ବ୍ୟବସ୍ଥା ନ ହେବା, ରାସ୍ତା କଡ଼ରେ ଖାଲି ଜାଗା ନ ରହିବା, ଅନେକ ସ୍ଥାନରେ ବସ୍ ଛିଡ଼ା ହେଉଥିଲେ ମଧ୍ୟ ଆବଶ୍ୟକ ବସ୍ ବେ’ ନ ହେବା ଆଦି ତ୍ରୁଟି ରହିଛି। ସେହିପରି ସହରରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଲାଗି ଘର ତିଆରି ହେବା ଟ୍ରାଫିକ୍ ଜାମ୍ର ଅନ୍ୟତମ କାରଣ। ରାସ୍ତା ତିଆରି ସମୟରେ ଇଞ୍ଜିନିୟରିଂ ଓ ଟାଉନ୍ ପ୍ଲାନିଂ ତ୍ରୁଟି ସୁଧୁରା ଯାଇ ପାରିଲେ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।
-ସୟଦ୍ ମକବୁଲ୍ ଅଲ୍ଲୀ, ପୂର୍ବତନ ସଦସ୍ୟ,
ନ୍ୟାସନାଲ୍ ରୋଡ୍ ସେଫ୍ଟି କାଉନ୍ସିଲ୍
ଫ୍ଲାଏ ଓଭରବ୍ରିଜ୍ କାମ ସରିଲେ ଟ୍ରାଫିକ୍ ଜାମ୍ ହ୍ରାସ ପାଇବ
ହଂସପାଳ ଓ କସ୍ମୋପଲିସ ନିକଟରେ ଜାତୀୟ ରାଜପଥରେ ଦୀର୍ଘ ଦିନ ହେଲା ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଚାଲିଛି, ଯାହା ଟ୍ରାଫିକ୍ ଜାମ୍ର ଅନ୍ୟତମ କାରଣ। ଫ୍ଲାଏ ଓଭର କାମ ଶେଷ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ନିୟମିତ ବ୍ୟବଧାନରେ କୁହାଯାଉଛି। ଓଭରବ୍ରିଜ୍ କାର୍ଯ୍ୟକ୍ଷମ ହେଲେ ଟ୍ରାଫିକ୍ ଜାମ୍ ହ୍ରାସ ପାଇବ। ଟ୍ରାଫିକ୍ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ରାସ୍ତାର ନିର୍ମାଣ ଶୈଳୀ ଯେଉଁଠି ତ୍ରୁଟି ରହୁଛି ସେ ନେଇ ବିଭାଗକୁ ଅବଗତ କରାଯାଉଛି। ଏହାସହ କେତେକ ଜାଗାରେ ରାସ୍ତା କଡ଼ରେ ବେଆଇନ ପାର୍କିଂ, ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବାମ କଡ଼ ମାଡ଼ି ଗାଡ଼ି ଅଟକି ରହିବାରୁ ଜାମ୍ ହେଉଛି। ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଟ୍ରାଫିକ୍ ସମସ୍ୟାର ମୁକାବିଲା ଲାଗି ଆଗକୁ ଆହୁରି ଦୃଢ଼ ପଦକ୍ଷେପ ନିଆଯିବ। ଚାଳକ ମଧ୍ୟ ସଚେତନ ରହିବା ଦରକାର।
-ଜୟନ୍ତ ଦୋରା, ଟ୍ରାଫିକ୍ ଏସିପି